ଘର ସାମ୍ନାରେ ଝିଅକୁ ପ୍ରେମିକ ସହ କଥା ହେଉଥିବା ଦେଖି ରାଗରେ ଆକ୍ରମଣ କଲେ ବାପା; ଏକାଠି ଟଳି ପଡ଼ିଲେ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲାରେ ଡବଲ ମର୍ଡରର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଝିଅର ପ୍ରେମ ସମ୍ପର୍କ ଥିବା କଥା ବାପା ଜାଣିବା ପରେ ଝିଅ ଓ ତାର ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ହତ୍ୟା କରିବା ପ‌ରେ ରକ୍ତ ଜୁଡ଼ୁବୁଡ଼ୁ ଅସ୍ତ୍ର ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି ହତ୍ୟାକାରୀ ବାପା।

ପ୍ରକାଶିତ ରିପୋର୍ଟ ମୁତାବକ, ପରୋଲି ଗ୍ରାମରେ ୨୦ବର୍ଷର ସଚିନ ପାଖାପାଖି ଦୁଇବର୍ଷ ହେବ ସେହି ଗ୍ରାମରେ ରହୁଥିବା ମହେଶଙ୍କ ଝିଅ ନୀତୁଙ୍କୁ ଭଲ ପାଇ ଆସୁଥିଲେ। ଦୁହିଁଙ୍କ ପରିବାର କିନ୍ତୁ ଏସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଥ‌ିଲେ। ଏହାପରେ ବି ସଚିନ ଓ ନୀତୁ ଲୁଚିଛପି ଦେଖା କରୁଥିଲେ।

ମଙ୍ଗଳବାର ସକାଳ ୪ଟା ସମୟରେ ନୀତୁ ସଚିନଙ୍କୁ ଦେଖା କରିବାକୁ ଡାକିଥିଲେ। ଏହି ସମୟରେ ନୀତୁଙ୍କ ପରିବାରଲୋକ ଉଠି ପଡ଼ିଥିଲେ। ଆଉ ଝିଅକୁ ପ୍ରେମିକ ସଚିନ ସହିତ ବସିଥିବା ଦେଖିବାକୁ ପାଇଲେ।

ଏହାପରେ ନୀତୁଙ୍କ ବାପା ମହେଶ ରାଗରେ ଘର ଭିତରୁ ଏକ ଧାରୁଆ ଅସ୍ତ୍ର ଆଣି ପ୍ରଥମେ ସଚିନ ଓ ନୀତୁଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପ୍ରେମୀଯୁଗଳଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ହତ୍ୟା ଘଟଣା ସମ୍ପର୍କରେ ସଚିନଙ୍କ ପରିବାରଲୋକ ଥାନାରେ ଅଭିଯୋଗ କରିବା ପୂର୍ବରୁ ମହେଶ ନିଜେ ଯାଇ ଆତ୍ମସମର୍ପଣ  କରିଥିଲେ। ପୁଲିସ ମହେଶଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ସଚିନ ଓ ନୀତୁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର