ଦୁଇ ଦିନରେ ୫୫୦ ମିଲି ବର୍ଷିଲା: ସହର ଭାସିଲା, ଧାନ ଫସଲ ଲେଉଟିଲା 

ଦୁଇ ଦିନରେ ୧୪୩୫ ହେକ୍ଟର ଚାଷ ଜମି ନଷ୍ଟ

ଖୋର୍ଦ୍ଧା: ବଙ୍ଗୋପସାଗରରେ ଲଘୁଚାପ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଛି । ବର୍ଷାରେ ଖୋର୍ଦ୍ଧା ସହରର ଓ ଆଖପାଖ ଅଂଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଧାନ ବିଲରେ ଫଳନ୍ତି ଧାନଗଛ ବର୍ଷାରେ ଲେଉଟିବା ଆରମ୍ଭ କରିଛି । ଫଳରେ ଧାନ ଫସଲ ପଚିବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ଗତକାଲି ବୋଲଗଡ଼, ବେଗୁନିଆ, ଟାଙ୍ଗୀ, ଖୋର୍ଦ୍ଧା ଓ ଭୁବନେଶ୍ୱର ଆଦି ବ୍ଲକରେ ୨୩ ମିଲିମିଟର ବର୍ଷା ହୋଇଥିଲା । ଆଜି ରେକର୍ଡ ପରିମାଣ ୫୪୬ ମିଲିମିଟର ବର୍ଷା ହୋଇଛି । ବାଣପୁରରେ ସର୍ବାଧିକ ୧୦୭ ମିମି ବର୍ଷା ହୋଇଥିବା ବେଳେ ବାଲିପାଟଣାରେ ୫.୨୦ ମିମି ବର୍ଷା ହୋଇଛି । ବାଲିଅନ୍ତାରେ ୬୧ ମିମି, ଭୁବନେଶ୍ୱରରେ ୫୭ମିମି, ଜଟଣୀରେ ୧୫ ମିମି, ବେଗୁନିଆରେ ୪୫.୫୦ ମିମି, ବୋଲଗଡ଼ରେ ୬୬ ମିମି, ଚିଲିକାରେ ୧୦୨ ମିମି, ଖୋର୍ଦ୍ଧାରେ ୧୫ ମିମି, ଟାଙ୍ଗୀରେ ୭୧.୪୦ ମିମି ବର୍ଷା ହୋଇଛି ।

ଗତକାଲି ସକାଳ ୧୦ଟାରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା । ରାତି ୮ଟା ବେଳକୁ ବର୍ଷା ଟିକିଏ ଥିମି ଥିବା ବେଳେ ଆଜି ପୁଣି ସକାଳ ୧୧ଟାରୁ ବର୍ଷା ଆରମ୍ଭ ହୋଇଥିଲା । ଗତକାଲି ତୁଳନାରେ ଆଜି ଅଧିକ ପରିମାଣରେ ବର୍ଷା ହୋଇଛି । ବର୍ଷାରେ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ସହରର ଅବ୍ୟବସ୍ଥିତ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗୁଁ ସହରର ପ୍ରମୁଖ ରାସ୍ତା ଘାଟ, ଗଳିକନ୍ଦିରେ ପାଣି ଜମି ରହିଥିଲା । ତେବେ ଗତ ଦୁଇ ଦିନ ଧରି ପାଗ ମେଘୁଆ ସାଙ୍ଗକୁ ଲଗାଣ ବର୍ଷାା ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବର୍ଷା ଯୋଗୁଁ ଧାନ ଧରିଥିବା ଗଛଗୁଡ଼ିକ ଭାରି ହୋଇ ପାଣିରେ ଲେଉଟି ଯାଇଛି । ସେହିଭଳି ଯେୁଁ ଚାଷୀ ଧାନ କାଟି ବିଲରେ ରଖିଥିଲେ ସେହି ଧାନଗୁଡ଼ିକ ଗଜା ଧରିବା ଆବସ୍ଥାକୁ ଆସିଯାଇଛି ।

ଏନେଇ କୃଷି ବିଭାଗ ଡେପୁଟି ଡାଇରେକ୍ଟର ଗଣେଶ୍ୱର ଦାସଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଗତ ଦୁଇ ଦିନ ବର୍ଷାରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାଥମିକ ଆକଳନରେ ୧୪୩୫ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ବାଣପୁର, ଚିଲିକା, ଟାଙ୍ଗୀରେ ସର୍ବାଧିକ କ୍ଷତି ହୋଇଥିବା ବେଳେ ବୋଲଗଡ଼ ଓ ଖୋର୍ଦ୍ଧାରେ କ୍ଷତିର ପରିମାଣ ୨୦-୨୫ ହେକ୍ଟର ମଧ୍ୟରେ ରହିଛି । ତେବେ ଲଘୁଚାପ ଅବପାତର ରୂପ ନେବ ବୋଲି ପୂର୍ବାନୁମାନ କରିଛି । ଯଦି ଏହାହୁଏ ତେବେ ଅଧିକ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି । ଯେଉଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି ସେମାନଙ୍କ ପାଇଁ ଇମେଲ୍ ଓ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ସେମାନେ ବ୍ଲକ କୃଷି ଅଧିକାରୀଙ୍କ ସହ ତୁରନ୍ତ ସମ୍ପର୍କ କରି ଫସଲ ବୀମାରେ କ୍ଷତିପୂରଣ ପାଇଁ ଆବେଦନ କରନ୍ତୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର