କାଶୀପୁରବାସୀଙ୍କ ପ୍ରିୟ ଆମ୍ବ ଟାକୁଆ, ତିଆରି ହେଉଥିବା ଖାଦ୍ୟକୁ ନେଇ ଲୋଡ଼ା ରହିଛି ପ୍ରଶାସନର ସଚେତନତା

ରାୟଗଡା: ଯେଉଁ ଟାକୁଆକୁ ନେଇ କାଶୀପୁର ଦିନେ ବିଶ୍ଵ ଦରବାରରେ କୁଖାଦ୍ୟ ଖାଇ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ଏବେ ମଧ୍ୟ ସେହି ଖାଦ୍ୟ କାଶୀପୁର ବ୍ଳକର କିଛି ଅଞ୍ଚଳରେ ପ୍ରିୟ ଖାଦ୍ୟ ହୋଇଥିବା ଦେଖିବାକୁ ମିଳିଛି। କାଶୀପୁର ବ୍ଲକର ବ୍ଳରଗୁଡ଼ିବାଲି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ସେହି ଗାଁର ପ୍ରାୟ ପରିବାର ଆମ୍ବ ଟାକୁଆକୁ ଶୁଖାଇ ରଖିବା ସହ ଏହାକୁ କିଛି ଦିନ ପରେ ଟାକୁଆରୁ କୋଇଲି କାଢି ତାକୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କରି ବ୍ୟବହାର କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ମନେ ପଡି ଯାଇଥିଲା ସେହି ୨୦୦୧ ଓ ୨୦୧୬ ମସିହାରେ ଏହି ଆମ୍ବ ଟାକୁଆ ଖାଇ ମୃତ୍ୟୁ ମୁଖରେ ପଡ଼ିଥିବା ଘଟଣା। କିନ୍ତୁ ଆମ୍ବ କୋଇଲିରେ ବହୁ ଔଷଧୀୟ ଗୁଣ ରହିଥିବା ସ୍ଥାନୀୟ ଲୋକେ ଏବଂ ବିଜ୍ଞାନ ମଧ୍ୟ କହୁଛି।

ଏହି ନୂଆଗାଁର ବାସିନ୍ଦା ପାର୍ବତୀ ଗୌଡ(୭୦) ଏନେଇ ନିଜର ଅଭିଜ୍ଞତା ବଖାଣିଥିଲେ। ପିଲାଟି ଦିନରୁ ସେ ଏହି ଆମ୍ବ ଟାକୁଆରୁ କୋଇଲି କାଢି ବିଭିନ୍ନ ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରି ଖାଉଛନ୍ତି। କିନ୍ତୁ କେବେ ମଧ୍ୟ ସେ କୌଣସି ରୋଗର ଶିକାର ହୋଇ ନଥିବା କହିଥିଲେ। ଏହି ଟାକୁଆରୁ ପ୍ରାୟତଃ ଜାଉ ଓ ପିଠା ପ୍ରସ୍ତୁତ କରାଯାଇଥାଏ ବୋଲି ପାର୍ବତୀ କହନ୍ତି।ସରକାର ଏବେ ଟଙ୍କିକିଆ ଟାଉଳ ପ୍ରଦାନ କରୁଛନ୍ତି। କିନ୍ତୁ ମୁଁ ପିଲାବେଳେ ଚାଉଳ କଣ ଜାଣିନଥିଲି। ମୋର ବାପା ମାଆ ଏହି ଆମ୍ବ ଟାକୁଆରୁ ପିଠା ଓ ଜାଉ କରି ମୋତେ ବଡ କରିଛନ୍ତି। ଆମ୍ବ ଟାକୁଆ ଖାଇ ଲୋକେ ବିଭିନ୍ନ ରୋଗରେ ପଡିଛନ୍ତି ବୋଲି ପ୍ରଶ୍ନ କରିବାରୁ ଏହା ମିଛ ବୋଲି ସେ ପ୍ରମାଣିତ କରିବେ ବୋଲି ଯୁକ୍ତି ବାଢିଥିଲେ।

Sambad

ସେ ପୁଣି କହିଥିଲେ ଯେ, ପ୍ରତିବର୍ଷ ବାହୁଡ଼ା ଯାତ୍ରା ପୂର୍ବରୁ ଆମ୍ବ ଟାକୁଆରୁ କୋଇଲିକୁ କାଢି ପ୍ରଥମେ ଧରଣୀ ପେନୁଙ୍କୁ ପ୍ରଦାନ କରାଯାଇ ପୂଜାର୍ଚ୍ଚନା କରାଯାଏ। ତା’ପରେ କୋଇଲି ବାହାର କରିବା ପରେ ପ୍ରାୟ ୨୪ ଘଣ୍ଟା କପଡାରେ ବାନ୍ଧି ନାଳ ନିକଟରେ ବତୁରାଯାଏ। ପରେ କୋଇଲିକୁ ଗୁଣ୍ଡ କରାଯାଇ ଖରାରେ ଶୁଖାଯାଇଥାଏ। ଆଉ ଯାତ୍ରାରେ ଏହି ଚୁନାରେ ପିଠା ଓ ଜାଉ କରି ଆମେ ପ୍ରତିବର୍ଷ ଖାଉଛୁ ବୋଲି କହିଥିଲେ। ଆମ୍ବ ଟାକୁଆ ବିଷୟରେ ବଖାଣୁଥିବା ବେଳେ ସେ ହସି ହସି ଯେଉଁ ସବୁ କଥା କହୁଥିଲେ, ସେଥିରୁ ଅନୁମାନ କରାଯାଉଥିଲା ଯେ, ସେ ଏହି ଖାଦ୍ୟ କେତେ ଖୁସିରେ ଖାଇ ଆସୁଛନ୍ତି। ବର୍ଷାଦିନ ଆସି ଯାଇଥିବା ବେଳେ ଏହି ଖାଦ୍ୟ ଲୋକଙ୍କର କୌଣସି କ୍ଷତି କରିବ ନାହିଁ ତ ବୋଲି ସନ୍ଦେହ ସୃଷ୍ଟି ହୋଇଛି।

ତେବେ ବର୍ଷାଦିନ ଆସିଲେ କାଶୀପୁର ଅଞ୍ଚଳରେ ସଂକ୍ରାମକ ଲାଗି ରହେ। ଅଜଣା ରୋଗରେ ଲୋକେ ପ୍ରତିବର୍ଷ ମୃତ୍ୟୁବରଣ କରନ୍ତି। ସରକାର ଏବଂ ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରା ନଗଲେ ଆଗାମୀ ଦିନରେ କୌଣସି ଅଘଟଣକୁ ଏଡାଇ ଦିଆଯାଇ ନପାରେ ବୋଲି ଆଲୋଚନା ହେଉଛି। ଆମ୍ବ ଟାକୁଆ କାଶୀପୁର ଅଞ୍ଚଳର ପ୍ରାୟ ଗ୍ରାମରେ ଲୋକେ ଖାଉଥିବା ଦେଖିବାକୁ ମିଳେ। ପ୍ରତ୍ୟେକ ଘରେ ଆମ୍ବ ଟାକୁଆ ଶୁଖାଇଥିବା ଦେଖିବାକୁ ମିଳେ। ଏହାର ବ୍ୟବହାର ଯୁଗ ଯୁଗ ଧରି ଚାଲି ଆସିଥିବା ଲୋକ କହନ୍ତି। ଯେଉଁ ଘଟଣା ପୂର୍ବରୁ ଘଟିଛି ତାହା ଅନ୍ୟ କେଉଁ କାରଣରୁ ଘଟିଥାଇପାରେ ବୋଲି ଲୋକେ ଯୁକ୍ତି ବାଢିଥିଲେ।

ସମ୍ବନ୍ଧିତ ଖବର