ଓଡ଼ିଶା ମହିଳା କ୍ରିକେଟ୍‌ ଦଳରେ ନୀଳଗିରି ଝିଅ: ବାପାଙ୍କ ସ୍ବପ୍ନ ପୂରଣ ପାଇଁ ଧରିଲେ ବ୍ୟାଟ୍‌

ବାଲେଶ୍ବର/ନୀଳଗିରି: ଦିନେ ବାପା ଜଣେ ପ୍ରତିଷ୍ଠିତ କ୍ରିକେଟର୍‌ ହେବାକୁ ଲକ୍ଷ୍ୟ ରଖିଥିଲେ। ମାତ୍ର ପରିବାରର ଆର୍ଥିକ ଦୁରବସ୍ଥା ବାଧକ ସାଜିଲା। ଦୀର୍ଘ ୧୩ ବର୍ଷ ପରେ ଏନେଇ ଜାଣିବା ପରେ ବାପାଙ୍କ ସ୍ବପ୍ନକୁ ପୂରଣ କରିବାକୁ ଝିଅ ଅଣ୍ଟା ଭିଡ଼ିଲେ। କଠିନ ପରିଶ୍ରମ ବଳରେ ଲକ୍ଷ୍ୟ ହାସଲ କଲେ। ଏବେ ସଂପୃକ୍ତ ଝିଅ ‘ଓଡ଼ିଶା ଅଣ୍ଡର ୧୫’ ଟିମ୍‌ରେ ସ୍ଥାନ ପାଇଛନ୍ତି। ସଂପୃକ୍ତ ପ୍ରତିଭା ସଂପନ୍ନ ଝିଅ ହେଉଛନ୍ତି ନୀଳଗିରି ବ୍ଲକ୍‌ ସିଆଡ଼ିମାଳ ପଞ୍ଚାୟତ ବାବନ୍ଧ ଗ୍ରାମର ବାବୁଲା ସିଂ ଓ ବାସନ୍ତୀ ସିଂଙ୍କ ସୁକନ୍ୟା ଶୁଭଲକ୍ଷ୍ମୀ ସିଂ (୧୪)। ଏବେ ସେ ନୀଳଗିରି ଇଂରାଜୀ ମିଡିୟମ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ।

କ୍ରିକେଟର ହେବାକୁ ବାବୁଲାଙ୍କ ସ୍ବପ୍ନ ଥିଲା। ମାତ୍ର ପରିବାରରେ ଅନଟନ ବାଧକ ହେବାରୁ କ୍ରିକେଟର ହେବା ନିଶାକୁ ମନରେ ମାରି ଦେଇଥିଲେ। ପରିବାର ଗୁଜରାଣ ମେଣ୍ଟାଇବାକୁ ସେ ଶିକ୍ଷକତା କଲେ। ଏବେ ଭୋଗରାଇ ବ୍ଲକ୍‌ ବାଆରବଣୀ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା କରୁଛନ୍ତି। ମାତ୍ର ୧୩ ବର୍ଷ ବୟସରେ ଏନେଇ ଶୁଭଲକ୍ଷ୍ମୀ ଜାଣିବା ପରେ ବାପାଙ୍କ ସ୍ବପ୍ନକୁ ପୂରଣ କରିବାକୁ କ୍ରିକେଟ୍‌କୁ ବ୍ରତ ଭାବରେ ଗ୍ରହଣ କରି ଅଭ୍ୟାସ ଆରମ୍ଭ କଲେ। ନୀଳଗିରିରୁ ଯାଇ ବାଲେଶ୍ବର କ୍ରିକେଟ୍‌ ଏକାଡେମିରେ ଗୁରୁ ଦିଲ୍ଲୀପ ଦାସଙ୍କ ତତ୍ତ୍ବାବଧାନରେ ସେ ପ୍ରଶିକ୍ଷଣ ନେଲେ। ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ପ୍ରଶିକ୍ଷଣ ନେବା ସହ ଘରେ ବାପାଙ୍କ ତତ୍ତ୍ବାବଧାନରେ ଅଭ୍ୟାସ କଲେ। କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣି ଦେଇଛି। ଚଳିତ ବର୍ଷ ୧୭ ତାରିଖରୁ ବିସିସିଆଇ ପକ୍ଷରୁ ହେବାକୁ ଥିବା ଦିନିକିଆ ମ୍ୟାଚ୍‌ ପାଇଁ ‘ଓଡ଼ିଶା ମହିଳା ଅଣ୍ଡର ୧୫’ ଦଳରେ ସ୍ଥାନ ପାଇ ସେ ବରୋଦାକୁ ଯାତ୍ରା କରିଛନ୍ତି। ବାପା, କୋଚ୍‌ ଓ ପରିବାରବର୍ଗଙ୍କୁ ସଫଳତାର ଶ୍ରେୟ ଶୁଭଲକ୍ଷ୍ମୀ ଦେଇଛନ୍ତି। ଏନେଇ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର