ଛାଡ଼ିଦେଇଥିଲେ ସ୍ବାମୀ: ଏବେ ଝିଅକୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କଲେ ଶାନ୍ତିଲତା

ରାଜବରହମପୁର: ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସି ଅଧୀନ ୮ ନମ୍ବର ୱାର୍ଡ ଚିମିନିଭାଟି ଗ୍ରାମର ଫୁଲମଣି ବେହେରାଙ୍କ ଝିଅ ଶାନ୍ତିଲତା ବେହେରା ଖଇରା ବ୍ଲକ୍‌ ଫଗୁଣା ଗ୍ରାମର ଉତ୍ତମ କୁମାର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ କନ୍ୟାସନ୍ତାନ ଅଛନ୍ତି। ତେବେ ପରେ ଉତ୍ତମ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଫଳରେ ଶାନ୍ତିଲତା ୧୪ ବର୍ଷର ଝିଅ ନନ୍ଦିନୀ ବେହେରାଙ୍କ ସହ ବାପଘରକୁ ପଳାଇଆସି ସେଠାରେ ଆଶ୍ରୟ ନେଇଛନ୍ତି।

ନନ୍ଦିନୀ ଏବେ ନୀଳଗିରି କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ। ଦୁଇମାସ ତଳେ ନନ୍ଦିନୀଙ୍କ ପେଟ ଯନ୍ତ୍ରଣା ହୋଇଥିଲା। ଫଳରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ବି ଯନ୍ତ୍ରଣା କମି ନଥିଲା। ପରେ ପରୀକ୍ଷାରୁ ନନ୍ଦିନୀଙ୍କ ପେଟରେ ମାଂସ ବଢ଼ିଛି ବୋଲି ଡାକ୍ତର କହିଥିଲେ ଏବଂ ବାଲେଶ୍ୱର ଡାକ୍ତରଖାନା ଯିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ବାଲେଶ୍ୱର ଡାକ୍ତରଖାନାରେ ଅଲ୍‌ଟ୍ରାସାଉଣ୍ଡ ଓ ସିଟିସ୍କାନ୍‌ ପରେ ନନ୍ଦିନୀଙ୍କ ଗର୍ଭାଶୟରେ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା। ଏହା ଜାଣିବା ପରେ ଶାନ୍ତିଲତାଙ୍କ ପାଦତଳୁ ମାଟି ଖସିଯାଇଥିଲା।

ଦୁଃଖକୁ ଛାତି​ରେ ଚାପି ଧରି ସେ କଟକସ୍ଥିତ ହରିହର କ୍ୟାନ୍‌ସର ହସ୍‌ପିଟାଲ୍‌ରେ ଝିଅର ଚିକିତ୍ସା କରାଉଛନ୍ତି। ଏବେ ନନ୍ଦିନୀଙ୍କୁ କେମୋ ଦିଆଯାଉଛି। ତେବେ ସମ୍ପୂର୍ଣ ଭଲ ହେବା ପାଇଁ ରାଜ୍ୟ ବାହାରକୁ ନେଇ ତାଙ୍କର ଚିକିତ୍ସା କରାଇବାକୁ ପଡ଼ିବ। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି। ହେଲେ ନା ଶାନ୍ତିଲତା ନା ତାଙ୍କର ଗରିବ ବାପା; କାହା ପାଖରେ ଏତେ ଟଙ୍କା ଅଛି ଯେ ନନ୍ଦିନୀଙ୍କ ଚିକିତ୍ସା ହୋଇପାରିବ। ଏପରି ସମୟରେ ଶାନ୍ତିଲତା ଝିଅକୁ ବଞ୍ଚାଇବା ପାଇଁ ସହୃଦୟ ବ୍ୟକ୍ତିଙ୍କଠାରୁ ଆର୍ଥିକ ସହାୟତା ଲୋଡ଼ିଛନ୍ତି। କେହି ସହାୟତା ଦେବାକୁ ଚାହୁଁଥିଲେ ମୋବାଇଲ୍‌ ନମ୍ବର ୭୬୫୫୦୩୮୬୯୪ରେ ଯୋଗାଯୋଗ କରିବା ପାଇଁ ସେ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର