ସ୍ୱାଧୀନତାର ୭୭ ବର୍ଷ ପରେ ବି ଏମିତି ସ୍ଥିତି: ରେଳପଥ କଡ଼େ ଯାତାୟତ କରୁଛନ୍ତି ୩ ଗ୍ରାମବାସୀ

ବସ୍ତା-୨: ଏମିତି ୩ଟି ଗାଁ ଅଛି, ଯେଉଁଠିକୁ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ରାସ୍ତା ନାହିଁ। ଫଳରେ ଲୋକମାନେ ନାନା ହଇରାଣ ହେଉଛନ୍ତି। କିଛି ଉପାୟ ନପାଇ ରେଳପଥ କଡ଼େ କଡ଼େ ହଜାର ହଜାର ଲୋକ ଯାତାୟତ କରୁଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ତଥା ଜଳେଶ୍ୱର ନିର୍ବାଚନମଣ୍ଡଳୀରେ।
ସୂଚନା ଅନୁସାରେ; ବସ୍ତା ବ୍ଲକ୍‌ ନଟାକଟା ପଞ୍ଚାୟତ ଅଧୀନରେ ରହିଛି ବେଲା, ଖଣ୍ଡପସା ଓ ପାଞ୍ଚବାଟିଆ ରାଜସ୍ବ ଗ୍ରାମ। ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ଦେଢ଼ କିମି ଏବଂ ବ୍ଲକ୍‌ କାର୍ଯ୍ୟାଳୟଠାରୁ ପ୍ରାୟ ୧୧ କିମି ଦୂରରେ ଅବସ୍ଥିତ ଏହି ୩ଟି ଗ୍ରାମରେ ୫ ଶହ ପରିବାର ତଥା ପାଖାପାଖି ଅଢ଼େଇ ହଜାର ଲୋକ ବସବାସ କରନ୍ତି। ଗ୍ରାମବାସୀ ବିଶେଷ କରି ଚାଷ ଓ ବ୍ୟବସାୟ ଉପରେ ନିର୍ଭର କରନ୍ତି। ବ୍ୟବସାୟ କହିଲେ, ଶାଳପତ୍ର ଥାଳି, ଗିନା ଓ ପ୍ଲେଟ୍‌ ନିର୍ମାଣ। ସେହିପରି ଅନେକେ ଲୋକ ଗାଁ’ଠାରୁ ଦୂର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଚାକିରି କରନ୍ତି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ଦୂର ବିଦ୍ୟାଳୟ ଓ କଲେଜକୁ ଯାଆନ୍ତି। ବଜାର ତଥା ଅନ୍ୟତ୍ର ଯିବା ପାଇଁ ଲୋକେ ବସ୍‌ ଓ ରେଳଗାଡ଼ି ସେବା ପାଇଁ ଅମର୍ଦ୍ଦାରୋଡ ଉପରେ ନିର୍ଭର କରନ୍ତି। ହେଲେ ଦୁର୍ଭାଗ୍ୟର କଥା ଗାଁ’କୁ ଏଯାଏ ରାସ୍ତା ନାହିଁ। ତେଣୁ ଗ୍ରାମବାସୀଙ୍କୁ ନାହିଁ ନଥିବା​ ଅସୁବିଧା ଭୋଗିବାକୁ ପଡ଼ୁଛି। ଲୋକ ବାଧ୍ୟହୋଇ ରେଳଧାରଣା ଉପରେ ବିପଦସଙ୍କୁଳ ଅବସ୍ଥାରେ ଯାଆଆସ କରୁଛନ୍ତି।

ବର୍ଷା ହେଲେ ତ ସେହି ରାସ୍ତାରେ ଯିବା ବି କାଠିକର ପାଠ ହୋଇଯାଏ। ଏପରି ସମୟରେ ଚାଷୀମାନେ ଚାଷ କାର୍ଯ୍ୟ ନେଇ ସମସ୍ୟାରେ ପଡ଼ୁଛନ୍ତି। ବ୍ୟବସାୟୀମାନଙ୍କ ବ୍ୟବସାୟରେ ବାଧା ଉପୁଜୁଛି। ଲୋକମାନେ ଠିକଣା ସମୟରେ ପହଞ୍ଚି ପାରୁ ନଥିବାରୁ ବସ୍‌ ଓ ରେଳଗାଡ଼ି ଧରିପାରୁ ନାହାନ୍ତି। ସରକାରୀ ଓ ବେସରକାରୀ ଚାକିରିଆମାନେ ଠିକଣା ସମୟରେ ଅଫିସ୍‌ରେ ଏବଂ ଛାତ୍ରଛାତ୍ରୀମାନେ ଠିକଣା ସମୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପହଞ୍ଚି ପାରୁ ନାହାନ୍ତି। ଆବଶ୍ୟକ ଥିଲେ ବି ଇଚ୍ଛା କରି ନା ବଜାର, ନା ଅନ୍ୟତ୍ର; କେଉଁଠିକୁ ବି ଯାଇପାରନ୍ତି ନାହିଁ। ଗାଁ’କୁ ଆମ୍ବୁଲାନ୍‌ସ ଓ ଦମକଳ ଗାଡ଼ି ଆସିପାରୁନି କି ଗାଁ ଲୋକ ସେବା ପାଇ ପାଇପାରୁ ନାହାନ୍ତି। ସବୁପରେ ବର୍ତ୍ତମାନ ବୋଝ ଉପରେ ନଳିତା ବିଡ଼ା ପରି ସ୍ଥିତି ଉପୁଜିଛି। ଯେଉଁ ରେଳପଥ କଡ଼ ଦେଇ ଲୋକେ ଯିବାଆସିବା କରୁଥିଲେ, ​ସେହି ରାସ୍ତାରେ ତୃତୀୟ ରେଳପଥ କାମ ହେଉଛି।
ତେବେ ସମସ୍ୟା ନେଇ ଗ୍ରାମବାସୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା।

ବେଲା ଗାଁ’ର ତାରାକାନ୍ତ ଚନ୍ଦ, ଯାମିନୀ କୁମାର ଦେ, ଚନ୍ଦନ କୁମାର ସାହୁ, ପ୍ରଭାକର ଦାଶ, ପାଞ୍ଚବାଟିଆ ଗ୍ରାମର ଚକ୍ରଧର ଦାସ, ଗୌରହରି ଦାସ ଏବଂ ଖଣ୍ଡପସା ଗାଁ’ର ଅନିରୁଦ୍ଧ ଦାସଙ୍କ କହିବା କଥା ହେଲା; ସେମାନେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଓ ସରକାରଙ୍କ ପାଖରେ ଅନେକ ଦାବି କଲେଣି। ହେଲେ ଦାବି ପୂରଣ ହେଉନି। ଆଉ ଦାବି କରି କିଛି ଲାଭ ନାହିଁ। ନିର୍ବାଚନକୁ ଅପେକ୍ଷା କରିଛନ୍ତି। ଏହା ଆଗରୁ ଯଦି ୩ଟି ଗାଁ’କୁ ରାସ୍ତା ନିର୍ମାଣ ନହେଲା, ତେବେ ସମସ୍ତେ ଭୋଟ୍‌ ବର୍ଜନ କରିବେ।

ସମ୍ବନ୍ଧିତ ଖବର