ଓଦା ଧାନ ଆଳରେ କଟ୍‌ନି ଛଟ୍‌ନି

ନୃସିଂହ ବାରିକ

ବାଲେଶ୍ବର: ଡିସେମ୍ବର ୧୦ରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପଞ୍ଜିକୃତ ଚାଷୀମାନଙ୍କୁ ନିର୍ଦ୍ଧାରିତ ସମୟଠାରୁ ଢେର ବିଳମ୍ବରେ ଟୋକନ୍‌ ମିଳିଲା। ସେପଟେ ସମବାୟ ସମିତି କର୍ତ୍ତୃପକ୍ଷ ଓ ଯୋଗାଣ ବିଭାଗ ମଧ୍ୟରେ ତାଳମେଳ ନ ରହିବାରୁ କେତେକ ଜାଗାରେ ବିଳମ୍ବରେ ମଣ୍ଡି ଖୋଲିଛି। ତା’ ଛଡ଼ା ଧାନକିଣା ଟାର୍ଗେଟ୍‌ ଆସିନଥିବାରୁ ସମିତିଗୁଡ଼ିକ ଧାନ ଉଠାଇବା ନେଇ ମଧ୍ୟ ଦ୍ବନ୍ଦ୍ବରେ ରହିଛନ୍ତି। ଏଭଳି ଦୋଛକିରେ ଚାଷୀମାନେ ଖାଲି ହନ୍ତସନ୍ତ ହେବା ସାର ହେଉଛି। ଗତ ୨ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବାଲେଶ୍ବର ସଦର ବ୍ଲକ୍‌ରେ ଚାଷୀଙ୍କର ଶହଶହ ଧାନବସ୍ତା ଭିଜିଛି। ଧାନ ବିକ୍ରି ପାଇଁ ଅନ୍‌ଲାଇନ୍‌ରେ ଆବେଦନଠୁ ନେଇ ଟୋକନ୍ ପାଇବା ଯାଏ ନାନା ଜଟିଳ ପ୍ରକ୍ରିୟା ସତ୍ତ୍ବେ ଚାଷୀ ସୁରୁଖୁରରେ ଧାନ ବିକ୍ରି କରିପାରୁନାହିଁ। ଯାହାକୁ ନେଇ ବାଲେଶ୍ବର ସଦର ବ୍ଳକ୍‌ ଅଞ୍ଚଳରେ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜାନୁଆରି ୩ରେ ବାଲେଶ୍ବର ସଦର ବ୍ଲକ୍‌ ଛାନୁଆ ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିଛି। ଏହା ମଧ୍ୟରେ ୨୦ ଦିନ ବିତିଲାଣି। ଚାଷୀଙ୍କର କ୍ରମିକ (ସିରିଏଲ୍‌) ନମ୍ବର ପଡୁନାହିଁ। କିଛି ଚାଷୀଙ୍କୁ ପଞ୍ଜୀକରଣ ପରେ ଧାନଖର୍ଦ୍ଦି ପାଇଁ ମେସେଜ୍‌ ଆସିଛି, କିନ୍ତୁ ଟୋକନ୍‌ କ୍ରମିକ ନମ୍ବର ଆସିନଥିବାରୁ ଚାଷୀମାନେ ହରଡ଼ଘଣାରେ ପଡ଼ିଛନ୍ତି। ପ୍ରକାଶଥାଉକି, ଏହି ସମିତି ଅଧୀନରେ ଛାନୁଆ, ବାହାବଳପୁର, ଦୁବଲାଗଡ଼ି ପଞ୍ଚାୟତର ୧୦ଟି ଗ୍ରାମର ୪୩୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସମିତିକୁ ଚଳିତବର୍ଷ ୬୪୧୫ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଦିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦ଟି ପାଳିରେ ୧୪୦ ଜଣ ଚାଷୀଙ୍କଠାରୁ ୪୫୮୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଆହୁରି ୨୯୭ ଜଣ ଚାଷୀ ଧାନ ଦେବା ଅପେକ୍ଷାରେ ଅଛନ୍ତି। ତେବେ ଧାର୍ଯ୍ୟ ତାରିଖରେ ମିଲର୍ସ ଆସୁନଥିବାରୁ ମଣ୍ଡିରେ ସେମିତି ଧାନ ପଡ଼ିରହୁଛି। ସମିତିର ପାଚେରି ଭାଙ୍ଗି ଯାଇଥିବାରୁ ଗଚ୍ଛିତ ଧାନ ଛେଳି, ଗୋରୁଙ୍କ ମୁହଁରେ ଯାଉଛି। ପିଣ୍ଡି କିମ୍ବା ଗୋଦାମ ନଥିବାରୁ ଖୋଲା ଆକାଶ ତଳେ ପଡିରହିଛି ଶହଶହ ଧାନବସ୍ତା। ଫଳରେ ଦୁଇ ଦିନ ଲଘୁଚାପ ବର୍ଷାରେ ଅନେକ ଚାଷୀଙ୍କର ଧାନ ଭିଜିଯାଇଛି। ଏହାର ଫାଇଦା ଉଠାଇ ମିଲର୍ସ ଧାନର ମାନ ଠିକ୍‌ ନାହିଁ କହି କୁଇଣ୍ଟାଲ ପିଛା ୮ରୁ ୧୦ କେଜି କାଟି ଦେଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ଚାଷୀଙ୍କଠାରୁ ସମିତି ସିଧାସଳଖ ଧାନ ସଂଗ୍ରହ କରିବାର ନିୟମ ଥିଲେ ମଧ୍ୟ ମିଲର୍ସଙ୍କ ମର୍ଜିରେ ହିଁ ସବୁ କିଛି ଚାଲିଛି। ଏ ‌ଦିଗରେ ଯୋଗାଣ ବିଭାଗ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ। ଯାହାଫଳରେ ଚାଷୀମାନେ ଠକାମିର ଶିକାର ହେଉଛନ୍ତି। ଧାନବିକ୍ରି ପାଇଁ ଏମିତି ଦହଗଞ୍ଜ ହେବା ଅପେକ୍ଷା ପଶ୍ଚିମବଙ୍ଗର ଧାନ ବେପାରୀଙ୍କ ହାତରେ ଧାନ ଟେକି ଦେବାକୁ ଶ୍ରେୟସ୍କର ମଣୁଛନ୍ତି ଚାଷୀ।

ଅନ୍ୟପକ୍ଷରେ ଏହି ସମିତିରେ ଆଜିକୁ ବର୍ଷେ ହେଲା ସଂପାଦକ ପଦ ଖାଲି ପଡ଼ିଥିବା ବେଳେ କଷିପଦା ସମିତି ସଂପାଦକ ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ଯେଉଁଥି ପାଇଁ ପରିଚାଳନାଗତ ସମସ୍ୟା ଉପୁଜୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେବଳ ଏହି ସମିତି ନୁହେଁ, ସଦର ବ୍ଲକ୍‌ ଅଧୀନରେ ଥିବା ୧୯ଟି ସମିତିରେ ମଧ୍ୟ ନାହିଁନଥିବା ଅବ୍ୟବସ୍ଥା। କେଉଁଠି କଟ୍‌ନି ଛଟ୍‌ନିକୁ ନେଇ ଉତ୍ତେଜନା ପ୍ରକାଶ ପାଉଛି ତ କେଉଁଠି ଟୋକନ୍‌, ବସ୍ତା ଓ ସିରିଏଲ୍‌ ନମ୍ବରକୁ ନେଇ ଝଗଡ଼ା ଲାଗିରହୁଛି। ଚାଷୀଙ୍କ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ, ସ୍ଥାନୀୟ ରାଜନେତା; କାହାରି ଆନ୍ତରିକତା ଥିବା ପରି ମନେ ହେଉନି। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାସଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଚାଷୀଙ୍କଠାରୁ କେମିତି ସହଜରେ ଧାନସଂଗ୍ରହ ହୋଇପାରିବ, ସେ ନେଇ ଦୃଷ୍ଟି ଦେବାକୁ ବିଭିନ୍ନ ଚାଷୀ ସଂଗଠନର କର୍ମକର୍ତ୍ତା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର