ଗହୀରାଖାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ୮୨୩ ହେକ୍ଟର ଚାଷଜମିକୁ ମିଳୁନି ପାଣି, ମରାମତି ଓ ପୁନରୁଦ୍ଧାର ଦାବି

ଜଳେଶ୍ୱର (ସତ୍ୟବ୍ରତ ପ୍ରଧାନ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଧୀନ ଗହୀରାଖାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବେ ସଂକଟରେ। ଦିନକୁ ଦିନ ଜଳଭଣ୍ଡାରଟି ପୋତିଯାଉଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ ଚାଷଜମିକୁ ଆବଶ୍ୟକ ପରିମାଣରେ ଜଳସେଚନ ହୋଇପାରୁନି। ପରିଣାମ ସ୍ବରୂପ ଚାଷ ଓ ଚାଷୀ; ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି।
ଚାଷଜମି ପାଇଁ କିପରି ସହଜରେ ଜଳ ମିଳିପାରିବ, ସେନେଇ ୧୯୧୧ ମସିହାରେ ତତ୍କାଳୀନ ମୟୂରଭଞ୍ଜ ରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଗୋହୀରାଖାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଖନନ କରାଇଥିଲେ। ଜଳଧାରଣ ପାଇଁ ପ୍ରକଳ୍ପର ଉଭୟ ପାର୍ଶ୍ବରେ ସୁଉଚ୍ଚ ବନ୍ଧ କରାଯାଇଥିଲା। ରାଜାଙ୍କ ଦ୍ୱାରା ପ୍ରକଳ୍ପ ପ୍ରତିଷ୍ଠା ହୋଇଥିବାରୁ ଏହାକୁ ଲୋକେ ରଜାବନ୍ଧ ବୋଲି ମଧ୍ୟ କହନ୍ତି। ପ୍ରକଳ୍ପର ମୁଖ୍ୟ କେନାଲ୍‌ର ଲମ୍ବ ସାଢ଼େ ୩ କିମି ହୋଇଥିବା ବେଳେ ୩ଟି ଶାଖା କେନାଲ୍‌ର ଲମ୍ବ ସାଢ଼େ ୭ କିମି। ସେହିପରି ୩ଟି ସ୍ଲୁଇସ୍‌ ଗେଟ୍‌ର ଲମ୍ବ ୮୨୦ ମିଟର। ଏହି ପ୍ରକଳ୍ପ ଯୋଗୁଁ ଖରିଫ ଋତୁରେ ଜଳେଶ୍ୱର ବ୍ଲକ୍‌ର ସର୍ଦ୍ଦାରବନ୍ଧ, ଓଲମରା ଓ ରାଇବଣିଆ ପଞ୍ଚାୟତ ଅଧୀନ ୧୭ଟି ଗାଁ’ର ପାଖାପାଖି ୧୯୧୧ ଜଣ ଚାଷୀ ଉପକୃତ ହେଉଛନ୍ତି। ଖରିଫ ଧାନଚାଷ ସମୟରେ ମୋଟ ୮୨୩ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରୁଛି। ତେବେ ଜଳଭଣ୍ଡାରଟି ଦିନକୁ ଦିନ ପୋତି ହୋଇଯାଉଥିବାରୁ ପୂର୍ବାପେକ୍ଷା କମ୍‌ ପାଣି ରହୁଛି। ଯାହା ଖରିଫ ଚାଷ ପାଇଁ ନିଅଣ୍ଟ ହେଉଛି। ପୁଣି ଯେଉଁ ବର୍ଷ ସ୍ବଳ୍ପ ବର୍ଷା ହେଉଛି, ସେହି ବର୍ଷ ତ ସ୍ଥିତି ସଙ୍ଗିନ ହୋଇପଡ଼ୁଛି।

ମୁଖ୍ୟ କେନାଲ୍‌ ନଷ୍ଟ ହୋଇଯାଇଥିବାରୁ ପାଣି ନଷ୍ଟ ହେଉଛି। ତେଣୁ ୩ ନମ୍ବର ସ୍ଲୁଇସ୍‌ ଗେଟ୍‌ରେ ମରାମତିର ଆବଶ୍ୟକତା ଅଛି। ସାଇଫନ୍‌ ମଧ୍ୟ ଠିକ୍‌ ଭାବେ କାମ କରୁନି। ସେହିପରି ପ୍ରକଳ୍ପର କିଛି ଅଂଶ ପଶ୍ଚିମବଙ୍ଗର ଝଡ଼ାବଣି ଗାଁ’କୁ ଲାଗିଥିବାରୁ ସେଠାକାର ଲୋକେ ବର୍ଷାଦିନେ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଲେ ସ୍ଲୁଇସ୍‌ ଗେଟ୍‌କୁ ଜୋର୍‌ କରି ଖୋଲିଦେଉଛନ୍ତି। ମାଛ ଧରିବା ପାଇଁ ମଧ୍ୟ କିଛି ବ୍ୟକ୍ତି କେନାଲ୍‌ରେ ଅନାବଶ୍ୟକ ଭାବେ ପାଣି ଛାଡ଼ିଦେଉଥିବା କୁହାଯାଇଛି। ଏପରି ସମୟରେ ରାଜାରାଜୁଡ଼ା ଅମଳର ଉକ୍ତ ଜଳଭଣ୍ଡାରର ମରାମତି ଓ ପୁନରୁଦ୍ଧାର ସହ ଖରିଫ ପରି ରବି ଋତୁରେ ମଧ୍ୟ ଚାଷ ପାଇଁ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ଚାଷୀମାନେ ଦାବି କରି ଆସୁଛନ୍ତି। ତେବେ ଆବଶ୍ୟକତାକୁ ଦେଖି ସମସ୍ୟାର ସମାଧାନ ପାଇଁ ଗହୀରାଖାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶଯ୍ୟାକୁ ବିସ୍ତୀର୍ଣ୍ଣ କରାଯିବା ଜରୁରୀ ହୋଇପଡ଼ିଛି। ପ୍ରକଳ୍ପକୁ ଲାଗି କୌଣସି ସରକାରୀ ଜମି ନଥିବାରୁ ଜମି ଅଧିଗ୍ରହଣର ଆବଶ୍ୟକତା ଅଛି କହି ସରକାର ପ୍ରକଳ୍ପର କଳେବର ବୃଦ୍ଧି ନେଇ ଚିନ୍ତା କରୁ ନଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟରେ ପ୍ରଶାସନିକସ୍ତରରେ ଆଲୋଚନା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସେ ଦିଗରେ ପଦକ୍ଷେପ ନିଆ ଯାଉନାହିଁ। ଅବଶ୍ୟ ଚଳିତ ଆର୍ଥିକ ବର୍ଷରେ ଜଳଭଣ୍ଡାରର ମରାମତି ଓ ପୁନରୁଦ୍ଧାର ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ତାହା ଟେଣ୍ଡର ପର୍ଯ୍ୟାୟରେ ରହିଥିବା ବେଳେ ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର