ପ୍ରତିଭାଧର ଦିବ୍ୟାଙ୍ଗଙ୍କ ସଫଳ କାହାଣୀ: ଜୀବନ ବାଜି ଜିଣିଯାଇଛନ୍ତି ଜୟନ୍ତ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ର ଜୟନ୍ତ କୁମାର ପ୍ରଧାନ। ସେ ନିଜକୁ ଶିକ୍ଷକତା, ସଂଗୀତ, ଚିତ୍ରକଳା ଓ ତବଲା ବାଦନ କ୍ଷେତ୍ରରେ ଦକ୍ଷ କରିପାରିଛନ୍ତି। ସୋର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ବୈଷ୍ଣବ ପ୍ରଧାନଙ୍କ ବଡ଼ପୁଅ ଜୟନ୍ତ କୁମାର ପ୍ରଧାନ। ବୟସ ୪୬ ବର୍ଷ। ୮ ଭାଇ ଓ ୩ ଭଉଣୀଙ୍କ ମଧ୍ୟରୁ ଜୟନ୍ତ ବଡ଼। ମାତ୍ର ଅଢ଼େଇ ବର୍ଷ ବୟସରେ ସେ ପୋଲିଓର ଶିକାର ହୋଇ ଦିବ୍ୟାଙ୍ଗ ପାଲଟିଗଲେ। ଠିକ୍‌ ଭାବେ ଚଲାବୁଲା କରିପାରିଲେ ନାହିଁ। ତଥାପି ଜୟନ୍ତ ଭାଙ୍ଗିପଡ଼ି ନଥିଲେ। ନିଜ ମନକୁ ଦୃଢ଼ କରି କିଛି କରିଦେଖାଇବାର ସଂକଳ୍ପ ନେଇଥିଲେ।
ଜୟନ୍ତ ୧୯୯୩ ମସିହାରେ ମଙ୍ଗଳପୁର ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କଲେ। ପରେ ମଙ୍ଗଳପୁର ଶ୍ରୀନିବାସ କଲେଜରୁ ସ୍ନାତକ, ମାଦ୍ରାସ୍‌ ହିନ୍ଦୀ ପ୍ରଚାର ସଭାରୁ ହିନ୍ଦୀରେ ଏମ୍‌ଏ, ସଂଗୀତରେ ବିଶାରଦ ଏବଂ ଦିଲ୍ଲୀରୁ ଚିତ୍ରକଳାରେ ଡିପ୍ଲୋମା ପାସ୍‌ କଲେ। ପରେ ସେ ଏକ ଘରୋଇ ସ୍କୁଲ୍‌ରେ ୪ ବର୍ଷ ଶିକ୍ଷକତା ମଧ୍ୟ କରିଛନ୍ତି। ସେହିପରି ୨୦୧୮ ମସିହାରୁ ଏଯାଏ ସୋର ମଙ୍ଗଳପୁର ସରକାରୀ ଦିବ୍ୟାଙ୍ଗ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ଅନ୍ୟପଟେ ସମାଜର ସୁଧାର ଆଣିବା ସହିତ ଦୁର୍ବଳ ବର୍ଗର ଲୋକଙ୍କ ସେବା କରିବାରେ ଜୟନ୍ତ ନିଜକୁ ସାମିଲ କରିବା ସହ ୨୦୧୪ ମସିହାରେ ‘ମାନବ ଉତ୍‌ଥାନ ସେବା ସଂସ୍ଥାନ’ ନାମକ ଏକ ସଂଗଠନ ଗଢ଼ିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବିଜ୍ଞାନମେଳା, ବୃକ୍ଷରୋପଣ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଆୟୋଜନ କରିବା ସହ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନିଜ ପକେଟ୍‌ରୁ ଅର୍ଥ ଖର୍ଚ୍ଚ କରନ୍ତି। ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ନିଜସ୍ୱ ପ୍ରୟାସରେ ‘ବୈଷ୍ଣବ ମଲ୍ଲିକା ମେଧା ଅନ୍ୱେଷଣ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛନ୍ତି ଏବଂ ୩ ଜଣଙ୍କୁ ବୃତ୍ତି ଦେଉଛନ୍ତି। ସଂସ୍ଥାନ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା ଶିବିର ମଧ୍ୟ ଆୟୋଜନ କରାଯାଉଛି। କେବଳ ସେତିକି ନୁହେଁ, ଜୟନ୍ତ କିଛି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ଭଜନ ସନ୍ଧ୍ୟା ଟ୍ରୁପ୍‌ କରିଛନ୍ତି ଏବଂ ସେମାନଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି।
ତେବେ ଏକାଧାରରେ ଶିକ୍ଷକ, କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ ଓ ତବଲା ବାଦକ ଭାବେ ଦିବ୍ୟାଙ୍ଗ ଜୟନ୍ତ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଆଶା ଓ ବିଶ୍ବାସ; ଭବିଷ୍ୟତରେ ମଧ୍ୟ ଅନେକ ତାଙ୍କଠାରୁ ପ୍ରେରଣା ନେବେ ନିଶ୍ଚୟ।

ସମ୍ବନ୍ଧିତ ଖବର