ଚାଷୀଙ୍କ ପ୍ରତିବାଦ ସମୟରେ ବିଜେଡିର ଗୁଣ୍ଡାରାଜ: ପ୍ରତିବାଦକାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ଦଶରଥପୁର: ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଚାଷୀଙ୍କ ପ୍ରତିବାଦ ସମୟରେବି‌ଜୁ ଜନତା ଦଳର (ବିଜେଡି) କିଛି କର୍ମୀ ଗୁଣ୍ଡାରାଜ ଚଳାଇ ଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଯୁବ ସଭାପତି ପ୍ରଭାତ ଚନ୍ଦ୍ର ଦାସ, ଅସନପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ କାଶୀନାଥ ମାଲିକଙ୍କ ସମେତ ୨୦ରୁ ଅଧିକ କର୍ମୀ ଚାଷୀମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଚାଷୀଙ୍କୁ ସମବାୟ ସମିତି ସମ୍ପାଦକ ଟୁଲା ଧଳ ଋଣ ପ୍ରଦାନ ନକରିବା, ଚାଷୀମାନଙ୍କୁ ସେମାନଙ୍କର ଚେକ, ସଭ୍ୟ ବହି, ବ୍ୟାଙ୍କ ବହି ନଦେବା ଏବଂ ଚାଷୀଙ୍କ ନାମରେ ଅଜ୍ଞାତରେ ସେମାନଙ୍କ ଖାତାରୁ ଅଧିକ ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗରେ ପାଲଟପୁର ପଞ୍ଚାୟତର ନୀଳକଣ୍ଠପୁର ଏବଂ ମୁରାରୀପୁରର ଚାଷୀମାନେ ସମବାୟ ସମିତିକୁ ଯାଇଥିଲେ।

ଆଜି ଦିନ ୧୦.୩୦ରେ ଚଷାଖଣ୍ଡ ସମବାୟ ସମିତିକୁ ଚାଷୀମାନେ ଯାଇ ସମ୍ପାଦକଙ୍କୁ ଫୋନ କରିଥିଲେ। ମାତ୍ର ସମ୍ପାଦକ ଯାଇପାରିବେ ନାହିଁ ବୋଲି କହିବାରୁ ଚାଷୀମାନେ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ। ମାତ୍ର କିଛି ସମୟ ପରେ ସ୍ଥାନୀୟ କିଛି ବିଜେଡି ନେତା ଓ କର୍ମୀମନେ ଆସି ବାଡ଼ି ଧରି ପିଟାପିଟି କରିଥିଲେ ବୋଲି ଜଣାପଡ଼ିଛି। ଏଥିରେ ପାଲଟପୁରର ପୂର୍ବତନ ସମିତି ସଭ୍ୟ ବିମଳ ମାଲିକ ଗୁରୁତର ଆହତ ହୋଇଛନ୍ତି। ଦଶରଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର