କ୍ରସବୋ ପ୍ରତିଯୋଗିତାରେ ଚମ୍ପିୟନ ଭାଇଭଉଣୀଙ୍କୁ ଭବ୍ୟ ସ୍ବାଗତ

ରାୟଗଡା: ଉତ୍ତରପ୍ରଦେଶର ଆଗ୍ରା ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପରୁ ଚମ୍ପିୟନ ହୋଇ ଫେରିଛନ୍ତି ଭାଇଭଉଣୀ ଲୋହିତ ଓ ନେହା ପଟନାୟକ।ରାୟଗଡା ରେଳଷ୍ଟେସନରେ କରାଯାଇଛି ଉଭୟଙ୍କୁ ଭବ୍ୟ ସ୍ୱାଗତ। ରବିବାର ଟ୍ରେନ ଯୋଗେ ରାୟଗଡାରେ ପହଂଚିବା ପରେ ବାପା ଆନନ୍ଦ ଓ ମା’ ମାଙ୍ଗା ପଟ୍ଟନାୟକଙ୍କ ସମେତ ରାୟଗଡା ବିଜେଡିର ବରିଷ୍ଠ ସଂଗଠକ କୋଣ୍ଡାବାବୁ, ବରିଷ୍ଟ ଆଇନଜୀବୀ ଵାଇ ମଧୁ , ବିରଜା ପାତ୍ର, କେସି ପଟ୍ଟନାୟକ, ରାୟଗଡା ବିଧାୟକ ପ୍ରତିନିଧି ଦେବଗିରି ପଟ୍ଟନାୟକ, ଯୁବ ବିଜେଡ଼ିର ଜିଲ୍ଲା ସମ୍ପାଦକ କେ.ଶ୍ରୀନିବାସ,ବିଜେପି ନେତା ପଦ୍ମନାଭ ଦାଶ, ମଞ୍ଜୁଳା ମିଣିୟାକଙ୍କ ସମେତ ଶିଷ୍ଠା କରଣ ସଙ୍ଘ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ପୁଷ୍ପଗୁଛ ଓ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।ପରେ ନେହା ଓ ଲୋହିତ ନିଜ ପ୍ରଶଂସଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରେଳ ଷ୍ଟେସନ ଠାରୁ ମା‘ ମଝିଘରିଆଣି ମନ୍ଦିର ପର୍ଯ୍ୟନ୍ତ ନଗର ପରିକ୍ରମା କରିଥିଲେ।

ପ୍ରକାଶ ଥାଉକି ଇଣ୍ଡିଆନ କ୍ରସବୋ ସୁଟିଂ ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଆଗ୍ରାସ୍ଥିତ ପୁଲିସ ଲାଇନ ପଡ଼ିଆ ଠାରେ ୧୦ତମ ଅନ୍ତର୍ଜାତୀୟ କ୍ରସବୋ ସୁଟିଂ ଚାମ୍ପିୟନସିପ ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡା ସହରର ହାଉସିଂ ବୋର୍ଡ଼ କଲୋନିରେ ରହୁଥିବା ଏ. ଆନନ୍ଦ ପଟ୍ଟନାୟକଙ୍କ ଝିଅ ଏ. ନେହା ପଟ୍ଟନାୟକ ମହିଳା ଓପେନ ଫ୍ରି ଷ୍ଟାଇଲ ବର୍ଗରେ ଏବଂ ପୁଅ ଏ. ଲୋହିତ ପଟ୍ଟନାୟକ ପୁରୁଷ ଓପେନ ଷ୍ଟାଣ୍ଡାର୍ଡ ବର୍ଗରେ ଭାରତ ପକ୍ଷରୁ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରି ସ୍ବର୍ଣ୍ଣ ପଦକ ଜିତି ଦେଶକୁ ତଥା ଓଡିଶା ସମେତ ରାୟଗଡା ଜିଲ୍ଲାକୁ ଗୌରବନ୍ୱିତ କରିଛନ୍ତି।ଏହି ଚାମ୍ପିୟନସିପର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ଓ ନ୍ୟାୟ ବିଭାଗ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଏସପି ସିଂ ବାଘଲେ, ୟୁପି ସରକାରଙ୍କ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବେବି ରବି ମୌର୍ୟ, ବିଧାୟକ ରାଜା ମହେନ୍ଦ୍ର ସିଂ, ସିବିଏସଇ ସଂଯୋଜକ ରମାନନ୍ଦ ଚୌହାନ, ଆଗ୍ରା ପୁଲିସ କମିସନର ଡ଼ଃ ପ୍ରିତେନ୍ଦ୍ର ସିଂ, ଏୟାର କୋମଡର ଏସ. କେ. ଗୁପ୍ତା, ଆଗ୍ରା ଏସିପି କେଶବ କୁମାର ଚୌଧୁରୀ, ଡିସିପି ରବି କୁମାର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିମାନଙ୍କୁ ପଦକ ଓ ମାନପତ୍ର ବିତରଣ କରିଥିଲେ।ଏହି କ୍ରସବୋ ଚାମ୍ପିୟନସିପରେ ଭାରତ ସମେତ ଯୁନାଇଟେଡ଼ କିଙ୍ଗଡମ, ଯୁନାଇଟେଡ଼ ଷ୍ଟେଟସ ଅଫ ଆମେରିକା, ସ୍ବେଡେନ, ଅଷ୍ଟ୍ରେଲିଆ ଓ ନିୟୁଜଲାଣ୍ଡ ଭଳି ସାତୋଟି ଦେଶ ଭାଗ ନେଇଥିଲେ।ଚମ୍ପିୟାନ ହୋଇ ଫେରିବା ପରେ ଭାଇଭଉଣୀ ଏହି ସଫଳତାର ଶ୍ରେୟ ନିଜ ବାପା ମା’ଙ୍କୁ ଏବଂ ନିଜ କୋଚଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର