ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ

ରାଉରକେଲା: ରାଉରକେଲାରେ ହଇଜା ବ୍ୟାପିବା ଘଟଣାର ନିରୀକ୍ଷଣ ଏବଂ ଅନୁଧ୍ୟାନ କରିବା ଲାଗି ଆଜି କେନ୍ଦ୍ରୀୟ ଟିମ୍ ର ୨ ଜଣ ସଦସ୍ୟ ଆସି ରାଉରକେଲାରେ ପହଞ୍ଚିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ୫ ଜଣିଆ ଟିମରୁ ଆସିଥିବା ଦୁଇ ଜଣ ସଦସ୍ୟ ହଇଜା ବ୍ୟାପିବାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବେ। କେନ୍ଦ୍ରୀୟ ଟିମର ସଦସ୍ୟ ରାଉରକେଲା ସରକାରୀ ହସ୍ପିଟାଲରେ ପହଞ୍ଚିଛନ୍ତି। ୨ ଜଣ ସଦସ୍ୟ ଡାକ୍ତର ରଶ୍ମୀ ରଞ୍ଜନ ମହାନ୍ତି ଏବଂ ସ୍ୱାସ୍ଥ୍ୟ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ଏନ୍ ଏମ୍ ସୋମାଲକର ଆରଜିଏଚର ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ରାଉରକେଲାରେ ହଇଜା ବ୍ୟାପିବା ଘଟଣାରେ କେନ୍ଦ୍ରୀୟ ଟିମ୍ ପଠାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛିଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୧୦ ତାରିଖରୁ ରାଉରକେଲାରେ ବ୍ୟାପିଥିବା ହଇଜାରେ ସରକାରୀ ଭାବେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୫୮୦ ଜଣ ଉର୍ଦ୍ଧ୍ବ ଲୋକ ହଇଜାରେ ଆକ୍ରାନ୍ତ ହୋଇଥିଲେ। ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ଥିଲା। ହଇଜା ନିରାକରଣ ଏବଂ ଅନୁଧ୍ୟାନ ପାଇଁ ଭୁବନେଶ୍ବରରୁ ସ୍ୱାସ୍ଥ୍ୟ ସଚିବ ଏବଂ ବିଶେଷଜ୍ଞ ଦଳ ଆସିଥିଲେ। ଏବେ କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ ପାଇଁ ଆସିଛନ୍ତି। ଆସନ୍ତାକାଲି ଆଉ ୩ ଜଣ ସଦସ୍ୟ ଆସି ପହଞ୍ଚିବେ।

ସମ୍ବନ୍ଧିତ ଖବର