କଟକ ବାଲିଯାତ୍ରା: ପୌର ନିଗମ ଖର୍ଚ୍ଚ କରିବ ୧୦ କୋଟି, ରାଜ୍ୟ ସରକାର ଦେବେ ୬ କୋଟି

କଟକ: କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ମିଳିଥିବା ବେଳେ ଏବେ ଏହାକୁ ଜାତୀୟସ୍ତର‌ର ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ପୌର ନିଗମ ପକ୍ଷରୁ ଚଳିତ ବାଲିଯାତ୍ରାରେ ଏକାଧିକ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏ ବାବଦରେ ନିଗମ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କା ମିଳିବ ‌େବାଲି ନିଗମ ପକ୍ଷରୁ କୁହାଯାଇଛି। ସେହିପରି ବିଭିନ୍ନ ଟିକସ, ସାଇକେଲ ଷ୍ଟାଣ୍ଡ, ପ୍ଲଟ୍‌ ଆବଣ୍ଟନ ଅଂଶ ବାବଦରେ ୩ କୋଟିରୁ ଅଧିକ ଟଙ୍କା ଆୟ କରାଯିବ ବୋଲି ନିଗମ ତରଫରୁ ଯୋଜନା ରଖାଯାଇଛି। ପୌର ନିଗମ ତରଫରୁ ଚଳିତ ବର୍ଷ ବାଲିଯାତ୍ରକୁ ବିଶ୍ବସ୍ତରରେ ପରିଚିତ କରାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନିଗମ ପକ୍ଷରୁ ବାଲିଯାତ୍ରାରେ ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ୧୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେଥିମଧ୍ୟରେ ୧୫ ମିନିଟରେ ୧୦ ହଜାର କାଗଜ ବୋଟ୍‌ ପ୍ରସ୍ତୁତ କରି ବିଶ୍ବ ରେକର୍ଡ କରିବା, ମହାନଦୀ ପାଣିରେ ଆଲୋକ ଓ ଶବ୍ଦର ଲେଜ୍‌ର ସୋ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଟାବୁଲ(ପ୍ରଜ୍ଞାପନ ମେଢ) ବୁଲାଇବା, ମହାନଦୀ କୂଳରେ ‘କଟକ ଇନ୍‌ କଟକ’, ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା, କଟକର ମୁଖ୍ୟ ପ୍ରବେଶ ପଥରେ ‌ଏକାଧିକ ତୋରଣ କରିବା ପରି ବିଭିନ୍ନ ଯୋଜନା ହାତକୁ ନିଆଯାଇଛି।

ବାଲିଯାତ୍ରା ଆୟୋଜନରେ ପୌର ନିଗମ ପ୍ରଥମେ ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାରଙ୍କୁ ହିସାବ ଦେଲା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କା ପ୍ରଦାନ କରାଯିବ। ଏହାସହ ନିଗମ ଗାଡି ପାର୍କିଂ ଷ୍ଟାଣ୍ଡରୁ ୨ କୋଟି, ଟ୍ରେଡ୍‌ ଓ ଫୁଡ୍‌ ଲାଇସେନ୍ସ, ୟୁଜର ଫି ବାବଦରେ ଦେଢ କୋଟି ଓ ପ୍ଲଟ୍ ଆବଣ୍ଟନରେ ଏକ କୋଟିରୁ ଅଧିକ ଟଙ୍କା ଆୟ କରିବାକୁ ଯୋଜନା ରଖିଛି। ବାଲିଯାତ୍ରାରେ ପ୍ଲଟ୍‌ ବଣ୍ଟନ ଦାୟିତ୍ବ ଜିଲ୍ଲା ପ୍ରଶାସନ ବୁଝୁଥିବା ବେ‌େଳ ପ୍ଲଟ୍ ଆବଣ୍ଟନରେ ଆୟ ହେବାକୁ ଥିବା ଟଙ୍କାର ୩୦ ପ୍ରତିଶତ ପୌର ନିଗମକୁ ମିଳିବ। ବାଲିଯାତ୍ରାର ବ୍ୟବସାୟୀଙ୍କୁ ଟ୍ରେଡ୍‌ ଲାଇସେନ୍ସ ଓ ୟୁଜର ଫି ବାବଦକୁ ୫ ଓ ୩ ଟଙ୍କା ଏପରି ବର୍ଗଫୁଟ୍‌କୁ ମୋଟ ୮ଟଙ୍କା ଦେବାକୁ ହେବ। ସେହିପରି ବ୍ୟବସାୟୀଙ୍କୁ ଫୁଡ୍‌ ଲାଇସେନ୍ସ ପାଇଁ ଶହେ ଟଙ୍କା ଦେବାକୁ ପଡ଼ିବ।
ସେପଟେ ରାଜ୍ୟସ୍ତରୀୟ ବାଲିଯାତ୍ରା ଆୟୋଜନ ପାଇଁ ପୌର ନିଗମ ପକ୍ଷରୁ ଏକାଧିକ କମିଟି ଗଠନ କରାଯାଇଛି। କମିଟିରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟରଙ୍କୁ ସଦସ୍ୟ ଭାବେ ରଖାଯାଇଛି। କଟକ ବାଲିଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ଚଳିତ ବର୍ଷ ଏକାଧିକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିପାଇଁ ୧୦ କୋଟିରୁ ଅଧିକ ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି ବୋଲି ମେୟର ସୁବାସ ସିଂହ କହିଛନ୍ତି।

 

ବାଲିଯାତ୍ରାକୁ ନେଇ ପୌର ନିଗମରେ ସ୍ବତନ୍ତ୍ର ବୈଠକ-  ବାଲିଯାତ୍ରାକୁ ନେଇ ପୌର ନିଗମ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବାଲିଯାତ୍ରାରେ ଆୟୋଜନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏଥିରେ କମିସନର ନିଖଲ୍‌ ପୱନ୍‌ କଲ୍ୟାଣ, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ସମସ୍ତ କର୍ପୋରେଟର, ନିଗମର ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ବାଲିଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।

ଲେଜର୍‌ ସୋ’ରେ ଗାନ୍ଧୀଙ୍କ କଟକ ଆଗମନର ଦୃଶ୍ୟ- ଚଳିତବର୍ଷ ବାଲିଯାତ୍ରାକୁ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଉଛି। ଯାତ୍ରା ପଡ଼ିଆକୁ ଆସୁଥିବା ଦର୍ଶକଙ୍କ ମନୋରଂଜନ ପାଇଁ ପ୍ରଶାସନ ପକ୍ଷରୁ ମହନଦୀରେ ଲେଜର୍‌ ଲାଇଟ୍‌ ସୋ’ର ବ୍ୟବସ୍ଥା କରାଯାଇଛି। ଲେଜର୍‌ ଲାଇଟ୍‌ ସୋ’ରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ବ୍ୟବହାର କରି କଟକର ଐତିହ୍ୟ ସ୍ଥାନ ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ପ୍ରଦର୍ଶନ କରାଯିବ। ଏନେଇ ଆଜି ବାଲିଯାତ୍ରା ପଡ଼ିଆରେ ଏକ ଟ୍ରାଏଲ୍‌ ସୋ’ କରାଯାଇଛି। ଏଥିରେ ପ୍ରଥମେ ଥ୍ରି ଡି ଆନିମେସନ୍‌ ଓ ପରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କଟକ ଗସ୍ତର ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା। ଦିଲ୍ଲୀରୁ ଆସିଥିବା ଟିମ୍‌ ମହାନଦୀ ପାଣିରେ ଏହାକୁ ଆଜି ଟ୍ରାଏଲ୍‌ କରିଛି। ବାଲିଯାତ୍ରା ସମୟରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ମାଧ୍ୟମରେ ୮ଦିନ ଧରି ପ୍ରତିଦିନ ସନ୍ଧ୍ୟାରେ ମାଗଣାରେ ଦର୍ଶକ ଏହାର ମଜା ନେଇପାରିବେ। ମହାନଦୀ ପାଣିରେ ଏକ ସ୍କ୍ରିନ୍‌ ବା ପରଦା କରାଯିବା ସହ ଲାଇଟ୍‌ ଓ ପ୍ରୋଜେକ୍ଟର ମାଧ୍ୟମରେ ଭିଡିଓ ଏବଂ ସାଉଣ୍ଡ ସହିତ ପ୍ରଦର୍ଶନୀର ଟ୍ରାଏଲ୍‌ କରାଯାଇଛି। ଓଡ଼ିଶାରେ ଏଭଳି ଅତ୍ୟାଧୁନିକ ସୋ’ ପ୍ରଥମଥର କରାଯାଉଛି ବୋଲି ଦିଲ୍ଲୀରୁ ଆସିଥିବା ଟିମ୍‌ କହିଥିବା ବେଳେ ବାଲିଯାତ୍ରା ପୂର୍ବରୁ ବାବା କେଦାରନାଥ ଧାମରେ ଶିବଭଙ୍ଗା ନଦୀରେ ଏଭଳି ଲେଜର ସୋ’ କରାଯାଇଛି।

ଶହେ ଅସ୍ଥାୟୀ ଶୌଚାଳୟ ଓ ହାଇମାଷ୍ଟ୍‌ ଲାଇଟ୍‌ର ବ୍ୟବସ୍ଥା
ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆରେ ଶହେଟି ଅସ୍ଥାୟୀ ଶୌଚଳାୟର ବ୍ୟବସ୍ଥା କରାଯିବ। ଏହାସହ ୩ଟି ଭ୍ରାମ୍ୟମାଣ ଶୌଚଳାୟ ରହିବ। ଏହାସହ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରିବାକୁ ଥିବା ବିଭିନ୍ନ ରାସ୍ତାରେ ହାଇମାଷ୍ଟ୍ ଲାଇଟ୍‌ର ବ୍ୟବସ୍ଥା କରାଯିବ।

ଗାଡ଼ି ରଖିବାକୁ ୨୧ଟି ପାର୍କିଂ ଷ୍ଟାଣ୍ଡ
ବାଲିଯାତ୍ରାକୁ ବୁଲି ଆସୁଥିବା ଲୋକଙ୍କ ପାଇଁ ପୌର ନିଗମ ପକ୍ଷରୁ ୨୧ଟି ଗାଡି ପାର୍କିଂ ସ୍ଥାନ କରାଯାଇଛି। ଷ୍ଟାଣ୍ଡରେ ସାଇକେଲ ପାଇଁ ୧୦ଟଙ୍କା, ଦୁଇ ଚକିଆ ଗାଡି ପାଇଁ ୫୦ ଟଙ୍କା, ଅଟୋ ଓ ଚାରି ଚକିଆ ଗାଡି ପାଇଁ ଶହେ ଟଙ୍କା ଓ ବଡ ଗାଡି ପାଇଁ ଦେଢ ଶହ ଟଙ୍କା ରହିଛି। ପାର୍କିଂ ପାଇଁ ଟେଣ୍ଡର ହୋଇଥିବା ବେଳେ ସ୍ଥାନ ଓ ବର୍ଗଫୁଟକୁ ନେଇ ଟଙ୍କା ଧାର୍ଯ୍ୟ କରାଯାଇଛି।

 

ଖାଣ୍ଟି କଟକୀ ସାମଗ୍ରୀ ଉଦ୍‌ଘାଟିତ
ବାଲିଯାତ୍ର ପାଇଁ ପୌର ନିଗମ ପକ୍ଷରୁ ଆୟୋଜିତ ବୈଠକରେ ସହରର ବିଭିନ୍ନ ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀକୁ ଉଦ୍‌ଘାଟନ କରାଯାଇଛି। ସହରର ବିଭିନ୍ନ ସ୍ବଂୟ ସହାୟକ ଗ୍ରୁପ୍‌ଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଖାଦ୍ୟ ଓ ଘରକରଣା ସମଗ୍ରୀକୁ ‘ଖାଣ୍ଟି କଟକୀ’ ବ୍ରାଣ୍ଡରେ ବାଲିଯାତ୍ରାରେ ବିକ୍ରି କରାଯିବ। ଏଥିପାଇଁ ବାଲିଯାତ୍ରାର ଓରମାସ ମଧ୍ୟରେ ୧୫ଟି ଷ୍ଟଲ୍‌ ଓ ଓରମାସ୍‌ ବାହାରେ ୪୮ଟି ଷ୍ଟଲ୍‌ କରାଯିବ। ଏହାକୁ ମିସନ ଶକ୍ତି ବଜାର ଓ ମିସନ ଶକ୍ତି କେଫ୍‌ ନାମରେ ନାମିତ କରାଯିବ। ଉକ୍ତ ଷ୍ଟଲରେ ବିଭିନ୍ନ ପ୍ରକାରର ଲଡୁ, ମସଲା ଗୁଣ୍ଡ, ମୁଡକି, ମିକ୍ସଚର, ପାମ୍ପଡ, ଆଚାର, ବଡି, ଫିନାଇଲ୍‌, ସାବୁନ, ପେପର ପ୍ଲେଟ୍‌, କଟକ ବ୍ୟାଗ ଆଦି ରହିଛି।

କଟକ ଇନ୍‌ କଟକ‌ ହେବ ନିଗମ ରାଜସ୍ବର ଉତ୍ସ
ବାଲିଯାତ୍ରା ପାଇଁ‌ ‌େପୗର ନିଗମ ପକ୍ଷରୁ ନିର୍ମାଣ ଚାଲିଛି ‘କଟକ ଇନ୍‌ କଟକ’ ଯୋଜନା। ବାଲିଯାତ୍ରା ପଡ଼ିଆର ମହାନଦୀ କୂଳରେ ଥିବା ୪୦ରୁ ଅଧିକ ଗଛ ଚାରିପାଖରେ କଂକ୍ରିଟର ପିଣ୍ଡି ନିର୍ମାଣ ଚାଲିଛି। ଏଠାରେ ସହରରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନର ମଡେଲ ତିଆରି ହେବ। ଏଠାରେ ସହରର ଇତିହାସକୁ ନେଇ ଏକାଧିକ ମଡେଲ ରହିବ। ଯାହା ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ଏକ ଆକର୍ଷଣର କାରଣ ହେବ। ବାଲିଯାତ୍ରା ପରେ ପୌର ନିଗମ ପକ୍ଷରୁ ଏହାକୁ ଭୋଜି ଆୟୋଜନର କେନ୍ଦ୍ର ଭାବେ ବ୍ୟବହାର କରାଯିବ। ଏଠାରେ ପିଇବା ପାଣିରୁ ଆରମ୍ଭ କରି ଭୋଜି ଆୟୋଜନ ପାଇଁ ଆବଶ୍ୟକ ଥିବା ବିଭିନ୍ନ ସାମଗ୍ରୀ ନିଗମ ପକ୍ଷରୁ ପ୍ରଦାନ କରାଯିବ। ଏଥିପାଇଁ ନିଗମରୁ ଅର୍ଥ ଦେଇ ଅନୁମତି ନେବାକୁ ‌ପଡ଼ିବ।

ସ୍ୟାଣ୍ଡ ଓ ଫାବ୍ରିକ୍‌ ଆକ୍ଟ ହେବ ଆକର୍ଷଣ
ବାଲିଯାତ୍ରା ଅବସରରେ ଯାତ୍ରାର ଉଭୟ ପଡ଼ିଆରେ ସ୍ୟାଣ୍ଡ ଓ ଫାବ୍ରିକ୍‌ ଆକ୍ଟ କରାଯିବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଏକାଧିକ ଶିଳ୍ପୀଙ୍କ ଦ୍ବାରା ବାଲିରେ ଓ ଫାବ୍ରିକ୍‌ ସାମଗ୍ରୀରେ ବିଭିନ୍ନ କାରୁକାର୍ଯ୍ୟ କରାଯାଇ ପ୍ରଦର୍ଶନ ପାଇଁ ରଖାଯିବ।

ସମ୍ବନ୍ଧିତ ଖବର