ସହରର ୬୦ ଭାଗ ଡ୍ରେନ୍‌ ମୁକୁଳା

କଟକ: ଗୁଡ଼ି ଉଡ଼ାଇବା ସମୟରେ ଗତକାଲି ବିଡ଼ାନାସୀ ଅଞ୍ଚଳର ଜଣେ ତୃତୀୟ ଶ୍ରେଣୀ ଛାତ୍ର ‌ମୁକୁଳା ଡ୍ରେନ୍‌ରେ ପଡ଼ି ପ୍ରାଣ ହରାଇଥିବା ବେଳେ ଏହାକୁ ନେଇ ପୌର ନିଗମ ଉପରକୁ ଅଙ୍ଗୁଳି ଉଠିଛି। ସହରର ସମସ୍ତ ଡ୍ରେନ୍‌କୁ ଆବଦ୍ଧ କରିବାକୁ ନିୟମ ଥିବା ବେଳେ ଏବେ ନିଗମର ୬୦ ପ୍ରତିଶତରୁ ଅଧିକ ଡ୍ରେନ୍‌ ମୁକୁଳା ଅବସ୍ଥାରେ ଅଛି। ବି‌ଶେଷ ଭାବେ ମିସନ୍‌ ରୋଡ୍‌ ଅଞ୍ଚଳରେ ୪ରୁ ଅଧିକ ସ୍କୁଲ୍‌ ଓ ୨ଟି କଲେଜ ଥିବା ବେଳେ ଏଠାରେ ୭୦ ପ୍ରତିଶତରୁ ଅଧିକ ଡ୍ରେନ୍‌ ମୁକୁଳା ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଉକ୍ତ ରାସ୍ତାଦେଇ ୧୦ ହଜାରରୁ ଅଧିକ ସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀ ଯିବାଆସିବା କରୁଥିବା ବେଳେ ରାସ୍ତାପାର୍ଶ୍ବର ଡ୍ରେନ୍‌ ଖୋଲା ଥିବାରୁ ଅଭିଭାବକଙ୍କ ସମେତ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସହର ମଧ୍ୟରୁ ବର୍ଷାଜଳ ଓ ଲୋକଙ୍କ ଘରୁ ବର୍ଜ୍ୟପାଣି ନିଷ୍କାସନ ପାଇଁ ପୌର ନିଗମ ଅଞ୍ଚଳରେ ୧୭୨୯ କିଲୋମିଟର ଦୀର୍ଘ ଡ୍ରେନ୍‌ ରହିଛି। ସେଥିମଧ୍ୟରୁ ୨୨ କିଲୋମିଟର ଏମ୍‌ଏସ୍‌ଡବ୍ଲୁସି-୧ ଓ ୨ ଡ୍ରେନ ଏବଂ ୨୯ କିଲୋମିଟର୍‌ ବିଏସ୍‌ଡବ୍ଲୁସି ଶାଖା ଡ୍ରେନ୍‌ ରହିଛି।

ଏହାଛଡ଼ା ୫୨୦ କିଲୋମିଟର ସରଫେସ୍‌, ୧୩୦ କିଲୋମିଟର ମେଜର୍‌ ସରଫେସ୍‌ ଡ୍ରେନ ଥିବା ବେଳେ ବଳକା ୧୦୨୮ କିଲୋମିଟର କଚ୍ଚା ଡ୍ରେନ ରହିଛି। କିନ୍ତୁ ବଡ଼ କଥା ହେଉଛି, ପୌର ନିଗମ ପକ୍ଷରୁ ଏକ ହଜାର କିଲୋମିଟରରୁ ଅଧିକ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଯାଇ ଆବଧ କରାଯାଇ ନାହିଁ। ପ୍ରତିବର୍ଷ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାବଦରେ ନିଗମ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି। ମାତ୍ର ଏବେ ସୁଦ୍ଧା ସହରର ୬୦ ଭାଗ ଡ୍ରେନ୍‌ ମୁକୁଳା ଅବସ୍ଥାରେ ପଡ଼ିଛି। ମୁକୁଳା ଡ୍ରେନ୍‌ରେ ଛୋଟ ପିଲା ଓ ବୁଲା ପଶୁ ପଡ଼ି ଆହତ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ମାତ୍ର ଏହାକୁ ନିଗମ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉ ନଥିବାରୁ ଦୁର୍ଘଟଣା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି। ସେପଟେ ମିସନ୍‌ ରୋଡ୍‌ରେ ଷ୍ଟିୱାର୍ଟ ସ୍କୁଲ, ବକ୍‌ଲି ବାଳିକା ସ୍କୁଲ, ମିସନ୍‌ ସ୍କୁଲ, ନ୍ୟୁ ଷ୍ଟିୱାର୍ଟ ପରି ୪ରୁ ଅଧିକ ସ୍କୁଲ ଓ ଷ୍ଟିୱାର୍ଟ ସାଇନ୍ସ ଓ ଶୈଳବାଳା ମହିଳା କଲେଜ ପରି ୨ଟି କଲେଜ ରହିଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ୧୦ ହଜାରରୁ ଅଧିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯିବାଅସିବା କରୁଥିବା ବେଳେ ଅଞ୍ଚଳର ୭୦ ଭାଗ ଡ୍ରେନ୍‌ ଉପରେ ସ୍ଲାବ୍‌ ନାହିଁ। ଡ୍ରେନ୍‌ ସଫେଇ ପାଇଁ ଗତ ୪ମାସ ତଳେ ଉକ୍ତ ଅଞ୍ଚଳର ନାଳ ଉପରୁ ସ୍ଲାବ୍ ଉଠାଯାଇଥିବା ବେଳେ ତାହାକୁ ଆଜି ପର୍ଯ୍ୟନ୍ତ ଆବଦ୍ଧ କରାଯାଇ ନାହିଁ। ଏଭଳି ସ୍ଥିତିରେ ମୁକୁଳା ଡ୍ରେନ୍‌ରେ ପଡ଼ି କେହି ମୃତାହତ ହେଲେ କିଏ ଉତ୍ତରଦାୟୀ ରହିବ ବୋଲି ଅଭିଭାବକ ମହଲରେ ପ୍ରଶ୍ନ ହୋଇଛି। ସେପଟେ ପୌର ନିଗମେର ସ୍ବତନ୍ତ୍ର ଡ୍ରେନେଜ୍‌ ଡିଭିଜନ୍‌ ନ ଥିବାରୁ ନିଗମ ପକ୍ଷରୁ ସବୁ ଡ୍ରେନ୍‌ର ରକ୍ଷଣାବେକ୍ଷଣ କରିବା ସମ୍ଭବ ହେଉ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର