ବାଣ ବ୍ୟବସାୟରେ କରୋନା ମାଡ଼: ‘ମିନି ଶିବକାଶୀ’ ପଦ୍ମପୁର ଅଞ୍ଚଳର ପାଞ୍ଚ ଶହ ପରିବାର ଦୁର୍ଦ୍ଦଶାରେ

ଜଗତପୁର: କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳକୁ କୁହାଯାଏ ମିନି ଶିବକାଶୀ। ପଦ୍ମପୁର ଓ ପାର୍ଶ୍ୱବର୍ତ୍ତୀ ତ୍ରିଲୋଚନପୁର, ମହାଜନପୁର, ଲକ୍ଷ୍ମୀନାରାୟଣପୁର, ଇସଲାମପୁର, କୋଠବାଡ଼, ପୁରୁଷୋତ୍ତମପୁର ଓ ଚମ୍ପତି ଅଞ୍ଚଳର ଅଧିକାଂଶ ଘରେ ପୁରୁଷ ମହିଳାମାନେ ଶହେ ବର୍ଷ ଧରି ବାଣ ପ୍ରସ୍ତୁତି କରି ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି l ବାଣ ପ୍ରସ୍ତୁତିକୁ ଏକପ୍ରକାର କୌଳିକ ବୃତ୍ତି ଭାବେ ଗ୍ରହଣ କରି ନେଇଛନ୍ତି। କିନ୍ତୁ ଦୁଇବର୍ଷ ହେଲା କରୋନା ମହାମାରୀ ଯୋଗୁଁ ବେପାର ସଂପୂର୍ଣ୍ଣ ଶୂନ। ଆଲୋକର ପର୍ବ ଦୀପାବଳି ହେଉ କି ବିବାହ, ବ୍ରତ ଅଥବା ଅନ୍ୟ ଉତ୍ସବ; ବାଣ ଉପରେ କଟକଣା ଯୋଗୁଁ ଏହି ଅଞ୍ଚଳର ବାସିନ୍ଦା ଏବେ କିଏ ମଜୁରି ଖଟୁଛି ତ’ କିଏ ପରିବା ବିକୁଛି ଅଥବା ଅନ୍ୟ କୌଣସି କାର୍ଯ୍ୟକୁ ଆଦରି ନେବାକୁ ବାଧ୍ୟ ହୋଇଛି। ବାଣ କାରିଗର ବାଣ ପ୍ରସ୍ତୁତି ପାଇଁ ଆବଶ୍ୟକ କରୁଥିବା କଞ୍ଚାମାଲ ଅର୍ଥାତ ଘଡି, ନଡ଼ିଆ ଖଡ଼ିକା, ତାଳ ପତ୍ର, ବାଉଁଶ, ବାଉଁଶ କାଠି, ସୁତୁଲି, ବାରୁଦ, ରଞ୍ଜକ, ରଙ୍ଗୀନ କାଗଜ ଓ ଇଠା ଯେଉଁମାନଙ୍କ ଠାରୁ ସଂଗ୍ରହ କରନ୍ତି, ସେମାନେ ବି ଏବେ ଦୁର୍ଦ୍ଦଶାରେ। ବାଣ ବନ୍ଦ ଯୋଗୁଁ ଏବେ ଅଞ୍ଚଳର ପ୍ରାୟ ପାଞ୍ଚ ଶହ ପରିବାରର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୋହଲି ଯାଇଛି।

 

ତିନି ମାସ ପରିଶ୍ରମ କରି ବର୍ଷକ ଚଳୁଥିଲୁ
ଆମ ଗ୍ରାମର ଶତକଡା ୯୦ ଭାଗ ଲୋକ ବାଣ ପ୍ରସ୍ତୁତିରେ ସାମିଲ ଥାନ୍ତି। ତିନିମାସ ଅକ୍ଲାନ୍ତ ପରିଶ୍ରମ କରି ଉପାର୍ଜିତ ଧନରେ ଛଅମାସ ପରିବାର ଚଳାନ୍ତି। ବାଣ ପ୍ରସ୍ତୁତି ଏକ ମାତ୍ର ନିର୍ଭରଶୀଳ ଜୀବିକା ଥିବାବେଳେ ଅନ୍ୟପକ୍ଷରେ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଚାଷ ପାଇଁ ଜମି ନାହିଁ କି କୌଣସି ସଂସ୍ଥାରେ ନିଯୁକ୍ତି ପାଇବାର ବ୍ୟବସ୍ଥା ନାହିଁ। ତେଣୁ ଦିନମଜୁରି ଏବେ ଏକ ମାତ୍ର ବିକଳ୍ପ ରାସ୍ତା। ପ୍ରଥମେ ବାଣ ପ୍ରସ୍ତୁତିକୁ ପ୍ରଶାସନ ତାଗିଦ କରିବା ପରେ ପୁଲିସ ଚଢ଼ଉ କରି ବାଣ ପ୍ରସ୍ତୁତି ବନ୍ଦ କରିଥିଲା। ପରବର୍ତ୍ତୀ ଦୁଇ ବର୍ଷ କରୋନା କଟକଣା ପାଇଁ ବାଣ ପ୍ରସ୍ତୁତି ବନ୍ଦ ରହିଛି l ବାଣ ପ୍ରସ୍ତୁତି ପାଇଁ ସରକାରଙ୍କ ଅନୁମତି ଏବଂ ଆର୍ଥିକ ସହାୟତା ମିଳିଲେ ବାଣ କାରିଗରମାନଙ୍କର ପରିବାର ପ୍ରତିପୋଷଣରେ ସୁଧାର ଆସିପାରିବ।
ନିରଂଜନ ଘଡେଇ, ବାଣ ପ୍ରସ୍ତୁତକାରୀ, ତ୍ରିଲୋଚନପୁର

ଗ୍ରାମର ୯୦ ପ୍ରତିଶତ ଲୋକ ଏବେ ଦୁର୍ଦ୍ଦଶାରେ
ଏହି ପଂଚାୟତରେ ୨ଟି ଗ୍ରାମ ତ୍ରିଲୋଚନପୁର ଓ କୋଠବାଡ଼ରେ ୪୫୦ ରୁ ୪୦୦ ପରିବାର, ଅର୍ଥାତ ଶତକଡା ୯୦ ଭାଗ ଲୋକ ବାଣ ପ୍ରସ୍ତୁତି କରି ଚଳନ୍ତି l ଏବେ କୋଭିଡ୍‌ କଟକଣା କାରଣରୁ ସେମାନେ ମୂଲ ମଜୁରୀ ଲାଗି ଚଳୁଛନ୍ତି l ସେମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସରକାରୀ ସହାୟତା ପ୍ରଦାନ କରାଗଲେ ସେମାନଙ୍କ ସ୍ଥିତି ସୁଧରନ୍ତା। ବାଣ ପ୍ରସ୍ତୁତିକୁ ସରକାର କୁଟୀର ଶିଳ୍ପ ମାନ୍ୟତା ଦେଇ ଲାଇସେନ୍ସ ଦେଲେ ପରିସ୍ଥିତିରେ ସୁଧାର ଆସି ପାରନ୍ତା।
ଲକ୍ଷ୍ମୀଧର ନାଥ, ସରପଞ୍ଚ, ତ୍ରିଲୋଚନପୁରl

ବାଣ ଛାଡି ପରିବା ଚାଷ କରୁଛନ୍ତି
ମହାଜନପୁର ଗ୍ରାମର ୪୦ ପ୍ରତିଶତ ଓ ଲକ୍ଷ୍ମୀନାରାୟଣପୁର ଗ୍ରାମର ୫ ପ୍ରତିଶତ ପରିବାର ବାଣ ବ୍ୟବସାୟ ଉପରେ ନିର୍ଭର କରନ୍ତି l ଦୀପାବଳି, ଦୋଳ ମେଲଣ, ବିବାହ ବ୍ରତ ସମୟରେ ବାଣ ବ୍ୟବସାୟରୁ ଯାହା ଲାଭ ମିଳେ, ସେଥିରେ ଏମାନଙ୍କ ପରିବାର ଚଳେ। ଏବେ କୋଭିଡ୍‌ କଟକଣା ଯୋଗୁଁ ବାଣ ବେପାର ତ ବନ୍ଦ, ସେମାନେ ଏବେ ପରିବା ଚାଷକୁ ବିକଳ୍ପ ଭାବେ ଗ୍ରହଣ କରିଛନ୍ତି l କିନ୍ତୁ ମାଙ୍କଡ଼ ଓ ଷଣ୍ଢମାନଙ୍କ ଉପଦ୍ରବ ସେଥିରେ ବି ବାଧକ ସୃଷ୍ଟି କରିଛି। ସେମାନଙ୍କ ପାଇଁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି।
ନିକୁଞ୍ଜ ମଲ୍ଲ, ସରପଞ୍ଚ,ମହାଜନପୁର

ସମ୍ବନ୍ଧିତ ଖବର