ଗଞ୍ଜାମ ଜିଲ୍ଲା ପୁଣି ଜାତୀୟସ୍ତରରେ ପୁରସ୍କୃତ, ଉପରାଷ୍ଟ୍ରପତିଙ୍କ ଠାରୁ ’ଜାତୀୟ ଜଳ ପୁରସ୍କାର’ ଗ୍ରହଣ କଲେ ଜିଲ୍ଲାପାଳ

ଛତ୍ରପୁର: ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କାର ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ଏବେ ପୁଣି ଥରେ ସମ୍ମାନିତ ହୋଇଛି । ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନ, ପ୍ଲେନାରୀ ହଲରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଏହି ଚତୁର୍ଥ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି। ଗଂଜାମ ତରଫରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଗ୍ରହଣ କରିଛନ୍ତି।

ସମାରୋହରେ ଗଞ୍ଜାମ ଜ଼ିଲ୍ଲାପରିଷଦ ମୁଖ୍ୟ  ଅଧିକାରୀ ଭି କୀର୍ତି ଭାସନ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ ଓ ଜିଲ୍ଲାର ଉନ୍ନତି କଳ୍ପେ କରାଯାଇଥିବା ବିଭିନ୍ନ ପଦକ୍ଷେପ ହିଁ ଏଭଳି ପୁରସ୍କାର ଆଣିପାରୁଛି ବୋଲି ବହୁ ମତ ପ୍ରକାଶ ପାଇଛି।

ସରକାରଙ୍କର ଏକ ‘ଜଳ ସମୃଦ୍ଧ ଭାରତ’ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଚାଲିଥିବା ଦେଶବ୍ୟାପି ଅଭିଯାନର ଏକ ଅଂଶ ଭାବରେ ଜାତୀୟ ଜଳ ପୁରସ୍କାର ବିଭିନ୍ନ ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା କରାଯାଇଥିବା ଉତ୍ତମ କାର୍ଯ୍ୟ ଏବଂ ପ୍ରୟାସକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେଇଥାଏ । ଏହା ଜଳର ମହତ୍ତ୍ୱ ବିଷୟରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଅଭିଳାଷ ରଖେ ଏବଂ ସେମାନଙ୍କୁ ସର୍ବୋତ୍ତମ ଜଳ ବ୍ୟବହାର ଅଭ୍ୟାସ ଗ୍ରହଣ କରିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥାଏ । ଏହି କାର୍ଯ୍ୟକ୍ରମ ସବୁ ଲୋକ ଏବଂ ସଂଗଠନ ଗୁଡିକୁ ଏକ ଦୃଢ଼ ସହଭାଗିତା ସୃଷ୍ଟି କରିବା ପାଇଁ ଏବଂ ଜଳ ଉତ୍ସ ସଂରକ୍ଷଣ ଏବଂ ପରିଚାଳନା କାର୍ଯ୍ୟକଳାପରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଅଧିକ ମଜଭୁତ କରିବାକୁ ଏକ ସୁଯୋଗ ପ୍ରଦାନ କରିଥାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଜଳ ଶକ୍ତି ମନ୍ତ୍ରାଳୟ ଜାତୀୟ ସ୍ତରରେ ଜଳ ପରିଚାଳନା ଏବଂ ଜଳ ସଂରକ୍ଷଣ ବିଷୟରେ ସଚେତନତା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଛି । ଦେଶରେ ଜଳ ସମ୍ପଦ ପରିଚାଳନା ଦିଗରେ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଭିନ୍ନ ହିତାଧିକାରୀ ମାନଙ୍କୁ ଉତ୍ସାହିତ କରିବାର ଉଦ୍ଦେଶ୍ୟ ସହିତ ଏକ ସମନ୍ୱିତ ଜାତୀୟ ଜଳ ପୁରସ୍କାର ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ବିବେଚନା କରାଯାଇଥିଲା । ତଦନୁସାରେ, ଡିଓଡବ୍ଲ୍ୟୁଆର୍, ଆର୍ଡି ଏବଂ ଜିଆର୍ ଦ୍ୱାରା ୨୦୧୮ ରେ ପ୍ରଥମ ଜାତୀୟ ଜଳ ପୁରସ୍କାର ଆରମ୍ଭ କରାଯାଇଥିଲା । ଦ୍ୱିତୀୟ ଏବଂ ତୃତୀୟ ଜାତୀୟ ଜଳ ପୁରସ୍କାର ୨୦୧୯ ଏବଂ ୨୦୨୦ ବର୍ଷ ପାଇଁ ଦିଆ ଯାଇଥିଲା। କୋଭିଡ୍ ମହାମାରୀ କାରଣରୁ ୨୦୨୧ ମସିହାରେ ଏହି ପୁରସ୍କାର ପ୍ରଦାନ କରା ଯାଇନଥିଲା।

ସମ୍ବନ୍ଧିତ ଖବର