ବଡ଼ଚଣାରେ ୭ ଡେଙ୍ଗୁରୋଗୀ ଚିହ୍ନଟ

ବାଲିକୁଦା: ବଡ଼ଚଣା ବ୍ଲକ୍‌ କୋଲଣଗିରି ପଞ୍ଚାୟତ ନାନକାର ଗ୍ରାମରେ ମାଡ଼ିଚାଲିଛି ଡେଙ୍ଗୁ। ବର୍ତ୍ତମାନ ୩ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ୪ ଜଣ ଡାକ୍ତରଖାନାରୁ ଫେରି ଘରେ ଔଷଧ ସେବନ ସହ ବିଶ୍ରାମ ନେଉଛନ୍ତି। କୋଲଣଗିରି ରାଜସ୍ଵ ଗ୍ରାମ ଅନ୍ତର୍ଗତ ୩ ଓ ୪ ନଂ ଓ୍ବାର୍ଡକୁ ନେଇ ଗଠିତ ନାନକାର ଗ୍ରାମରେ ୮ ଦିନ ହେବ ଡେଙ୍ଗୁ ଆତଙ୍କ ଖେଳାଇଛି। ଗ୍ରାମର ରଶ୍ମିତା ଜେନା (୪୦) ପ୍ରଥମେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହୋଇ ଫେରିଛନ୍ତି।

ସେହିଭଳି ଗ୍ରାମର କଳ୍ପନା ମହାନ୍ତି (୨୯), ଭାମା ଜେନା (୭୦), ସୀତାନାଥ ମହାନ୍ତି (୫୫) ଚିକିତ୍ସା ପରେ ଡାକ୍ତରଖାନାରୁ ଫେରି ଘରେ ବିଶ୍ରାମ ନେଉଛନ୍ତି। ସେହିଭଳି ବିଜୟ କୁମାର ମହାନ୍ତି, କାଦମ୍ବିନୀ ମହାନ୍ତି ଓ କମଳା ଜେନା ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅବଗତ ଥାଇ ବି କିଛି ପଦକ୍ଷେପ ଗ୍ରହଣ କରୁନଥିବାର ଅଭିଯୋଗ କରନ୍ତି ଗ୍ରାମବାସୀ। ପଞ୍ଚାୟତ ମହିଳା ସ୍ବାସ୍ଥ୍ୟକର୍ମୀ ଝରଣା ତରାଇ ଓ ଅଙ୍ଗନବାଡି କର୍ମୀ ଆଲୋକବତୀ ମହାରଣା ଘରଘର ବୁଲି ସଚେତନ କରିବା ସହ ବ୍ଲିଚିଂ ପାଉଡର ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆନଗଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର