ହାତୀକୁ ମିଳୁନି ଠିକଣା: ହାତୀକୁ ଛାଡିବାକୁ ନାକେଦମ ହେଲାଣି ବନବିଭାଗ

ଭୁବନେଶ୍ୱର: ହାତୀକୁ ମିଳୁନି ଠିକଣା | ହାତୀକୁ ଛାଡିବାକୁ ବନବିଭାଗ ନାକେଦମ ହେଲାଣି | ମିଳିଥିବା ସୂଚନା ମୁତାବକ ଟ୍ରାଙ୍କୁଲାଇଜର କରି ଦନ୍ତାହାତୀକୁ ପଟିଆ ଜଙ୍ଗଲରେ ଛାଡ଼ିବାକୁ ନେଉଥିବାବେଳେ ଅର୍ଜୁନପୁରର ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ବିରୋଧ କରିଥିଲେ । ଶେଷରେ ସେଠାରୁ ବନବିଭାଗ ଫେରି ଆସି ଟାଙ୍ଗୀ ରେଞ୍ଜ ଅଧୀନ ଭୁଷଣ୍ଡପୂର୍ ସେକସନ୍ ନାଲସିହ୍ ର ହାତିଆ ପାହାଡ଼ ଜଙ୍ଗଲରେ ଛାଡ଼ିବାକୁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ଏହା ପରେ ହାତୀକୁ ନେଇ ବନବିଭାଗ ନିରାଶ ହୋଇ ଖୋର୍ଦ୍ଧା ଅଭିମୁଖେ ଫେରିଥିଲେ ।

ବନ ବିଭାଗ ହାତୀଟିକୁ ୫୦କିମିରୁ ଅଧିକ ବାଟ ୮ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗାଡ଼ିରେ ବୁଲୁଥିବାରୁ ତାର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ପ୍ରଭାବ ପଡ଼ିପାରେ। ଏପଟେ ଦୁଇ ଦୁଇଟି ଜଙ୍ଗଲରୁ ହାତୀ ଫେରି ଥିବାରୁ ହାତୀର ନୁଆ ଠିକଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ମିଳିଥିବା ସୂଚନା ମୁତାବକ ଗତକାଲି ଜଙ୍ଗଲୀ ହାତୀଟି ସହର ଭିତରକୁ ପଶିଥିବାବେଳେ ତାକୁ ପାତ୍ରପଡ଼ା ଶନି ମନ୍ଦିର ନିକଟରୁ ଟ୍ରାଙ୍ଗୁଲାଇଜ୍‌ କରି ବନ ବିଭାଗ ଧରିବାରେ ସମର୍ଥ ହୋଇଥିଲା । ଏହି ଦନ୍ତା ହାତୀଟି ଧଉଳି‌ରୁ ଗ୍ୟାରେଜ୍‌ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ତାପରେ ସେଠାରୁ ସୁନ୍ଦରପଦା, ପୋଖରୀପୁଟ ଦେଇ ଆଇଗିଣିଆ ଆଡ଼େ ଯାଇଥିଲା। ହାତୀଟି ସହରର ଭିତରକୁ ପଶି ଆସିଥିବାରୁ ତାକୁ ଘଉଡ଼େଇବା ପାଇଁ ପ୍ରାୟ ୬୦ ବନ କର୍ମଚାରୀ ନିୟୋଜିତ ହୋଇ ନାକେଦମ ହୋଇଥିଲେ ।

ସମ୍ବନ୍ଧିତ ଖବର