ଲୋହଡ଼ୋପାଲି ଗାଁର ପୋଖରୀ ଖନନରେ ଦୁର୍ନୀତି ଘଟଣା: ବ୍ଲକ୍‌ ଅଫିସ୍‌ ଘେରିଲା ଦଳିତ ମଞ୍ଚ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ନୂଆଗାଁ ପଞ୍ଚାୟତର ଲୋହଡ଼ୋପାଲି ଗ୍ରାମରେ ଗତ ବର୍ଷ ୨୦୨୨/୨୩ ବର୍ଷରେ ଜମି ମରାମତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଲୋହଡୋପାଲି ଚେରେମୁଣ୍ଡା ପେଚ୍‌ର ମନରେଗା ଅଧୀନରେ ହୋଇଥିବା ଜମି ମରାମତି କାମରେ ହିତାଧିକାରୀମାନଙ୍କର ପାଉଣା ଆତ୍ମସାତ୍‌ କରିଥିବା ଅଭିଯୋଗ କରି ଦଳିତ ମଞ୍ଚ ପକ୍ଷରୁ କୋମନା ବ୍ଲକ୍ ଅଫିସ୍‌ ଘେରାଉ କରାଯାଇଛି। ପାଉଣାକୁ ଆତ୍ମସାତ କରିଥିବା ଜିଆର୍‌ଏସ୍‌ ଓ ଗାଁସାଥୀଙ୍କୁ ବହିଷ୍କାର ପାଇଁ ମଞ୍ଚ ଦାବି କରିଛି। ଦଳିତ ଅଧିକାର ମଞ୍ଚ ନୂଆପଡ଼ାର ଜିଲ୍ଲା ସଭାପତି ରଞ୍ଜନ ସେନାପତିଙ୍କ ନେତୃତ୍ବରେ ଏହି ଘେରାଉ କରାଯାଇଥିଲା। ଏ ଅବସରରେ ବିଡିଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତୁରନ୍ତ ହିତାଧିକାରୀ ମାନଙ୍କର ପାଉଣା ପ୍ରଦାନ, ସମ୍ପୃକ୍ତ କର୍ମଚାରୀଙ୍କୁ ବହିଷ୍କାର ପାଇଁ ଏଥିରେ ଉଲ୍ଲେଖ ରହିଛି। ୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ କୋମନା ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି। ଏଥିରେ ଦଳିତ ଅଧିକାର ମଞ୍ଚର ବ୍ଲକ ସଭାପତି ମୁଖ ସୁନା, କୋମନା ଯୁବ କଂଗ୍ରେସ ସମାଜ ସଭାପତି ନରେନ୍ଦ୍ର ନାଗ, ସମାଜ ପଞ୍ଚାୟତ ସଭାପତି ଅସିତ ସେନ ଦୁରିଆଙ୍କ ସମେତ ହିତାଧିକାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର