ମଦ ପିଇବା ପାଇଁ ୧୦୦ ଟଙ୍କା ନ ଦେବାରୁ ମା’କୁ ପିଟିପିଟି ହତ୍ୟା କଲା ପୁଅ

ରାଇରଙ୍ଗପୁର/ଯଶିପୁର: ଟଙ୍କା ଆଉ ନିଶା ପାଇଁ ଭୁଲିଗଲା ରକ୍ତ ସଂପର୍କ। ନିଜ ମା’କୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବଜାରରେ। ମାତ୍ର ୧୦୦ ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ।

ସୂଚନା ଅନୁସାରେ ଯଶିପୁର ବଜାର ପାଖ ଏକ ପଡ଼ିଆରେ ଅନେକ ଦିନ ହେଲା ଝୁମ୍ପୁଡ଼ି କରି ସାଳନ୍ଦୀ ନାଏକ (୬୦)ଙ୍କ ପରିବା‌ର ବସବାସ କରୁଛନ୍ତି। ଗତକାଲି ରାତିରେ ସାଳନ୍ଦୀଙ୍କ ସାନପୁଅ ସରୋଜ ନାଏକ (୨୨) ନିଜର ଜଣେ ସାଙ୍ଗ ସହ ନିଶାସକ୍ତ ଅବସ୍ଥାରେ ମା’ ପାଖରେ ପହଞ୍ଚିଥିଲେ। ସେ ମାଆକୁ ‌ଶହେ ଟଙ୍କା ଦେଇ ମଦ ଆଣିବାକୁ କହିଥିଲା। ମାଆ ୫୦ ଟଙ୍କାର ମଦ ନେଇ ଆସିଥିଲେ। ଏହା ଜାଣି ପୁଅ ସରୋଜ ବାକି ୫୦ ଟଙ୍କା ମାଗିଥିଲେ। ହେଲେ ସେତେବେଳକୁ ନିଶାସକ୍ତ ଥିବା ମାଆ ଟଙ୍କା ଦେବାକୁ ମନା କରିଦେଇଥିଲେ। ବାଶ୍ ଏତିକି କଥାରେ ପୁଅର ମୁଣ୍ଡକୁ ରାଗ ଚଢ଼ିଯାଇଥିଲା। ସେ ପାଖରେ ଥିବା ଏକ ଠେଙ୍ଗାରେ ମାଆକୁ ପିଟିବାକୁ ଲାଗିଥିଲା।

ଏନେଇ ଘରର ସଦସ୍ୟମାନେ ଜାଣିବା ପରେ ସରୋଜଙ୍କୁ କାବୁ କରିଥିଲେ ଏବଂ ସାଳନ୍ଦୀଙ୍କୁ ଯଶିପୁର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯଶିପୁର ପୁଲିସ ଖବର ପାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଯାଇଛି। ଏନେଇ ଥାନାରେ ୯୪/୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସରୋଜ ଫେରାର୍‌ ହୋଇଯାଇଥିବା ତଦନ୍ତକାରୀ ଅଧିକାରୀ କ୍ଷମାସାଗର ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର