ମାଥିଲି ବ୍ଲକର ୭ ପଞ୍ଚାୟତ ବୁଲିଲେ ସାଂସଦ ଓ ବିଧାୟକ

ମାଥିଲି: ମାଲକାଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକକୁ ନବରଂଗପୁରର ସାଂସଦ ରମେଶ ଚନ୍ଦ୍ର ମାଝି ଏବଂ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଗସ୍ତକରି ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ମାଥିଲି ବ୍ଲକର ୭ଟି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଉନ୍ନୟନମୂଳକ କାର୍ଯ୍ୟକୁ ତଦାରଖ କରିଛନ୍ତି।ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳ ଗସ୍ତ କରି ଲୋକଙ୍କ ସମସ୍ୟାର କିପରି ସମାଧାନ ହେବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ। ବିଧାୟକ ପାଣ୍ଠି ଏବଂ ସାଂସଦ ପାଣ୍ଠିରେ ଏହି ଅଂଚଳଗୁଡିକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଏଥିସହ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ଯେପରି ଲୋକାଭିମୁଖୀ ହେବ ସେନେଇ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏଥିସହ ଲୋକେ ବିଭିନ୍ନ ସମସ୍ୟା ସାଂସଦ ଏବଂ ବିଧାୟକଙ୍କ ନିକଟରେ ଉପସ୍ଥାପନା କରିଥିଲେ। ଯାହାକୁ ଖୁବଶୀଘ୍ର ସମାଧାନ କରାଯିବାର ଦୁହେଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଗସ୍ତ ବେଳେ ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ମଧ୍ୟ ସାଥିରେ ଥିଲେ।ସେ ମଧ୍ୟ କିପରି ବ୍ଲକର ଉନ୍ନତି ହେବ ସେଥିପାଇଁ ଚେଷ୍ଟା ଜାରି ରଖିଥିବା କହିଥିଲେ।ସାଂସଦଙ୍କ ଏହି ଗସ୍ତ ଆଗମୀ ଦିନରେ ବେଶ ପ୍ରଭାବ ପକାଇବ ବୋଲି କୁହାଯାଇଛି।କୌଣସି ସାଂସଦ ଏଭଳି ଦୁର୍ଗମ ଅଂଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିନଥିବା ସ୍ଥାନୀୟ ଲୋକେ କହିଥିଲେ। ତାଙ୍କୁ ପାଖରେ ପାଇ ଲୋକେ ବେଶ ଖୁସି ବୋଲି କହିଥିଲେ। ବ୍ଲକ ପ୍ରଶାସନକୁ ଲୋକଙ୍କ ସମସ୍ୟାଗୁଡିକ ଯେପରି ତୁରନ୍ତ ସମାଧାନ ହେବ ସେନେଇ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର