ଖରିଆରରୋଡ ରେଲଓ୍ବେ ଷ୍ଟେସନରେ ସମ୍ବଲପୁର ଡିଆରଏମ୍, ନୂଆପଡ଼ା ଷ୍ଟେସନରେ ସମତା ଏକ୍ସପ୍ରେସ ରହଣି ଦାବି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲଓ୍ବେ ଷ୍ଟେସନରେ ସମ୍ବଲପୁର ଡିଆରଏମ ପହ‌ଞ୍ଚି ଅମୃତ ଭାରତ ଯୋଜନାରେ ନିର୍ମାଣ କାମ ପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଷ୍ଟେସନର ନବକଳେବର ପାଇଁ ଅ‌ଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ଆଜି ସମ୍ବଲପୁର ରେଲଓ୍ବେ ଡିଆରଏମ ବିନିତ କୁମାର ଖରିଆରରୋଡ ରେଲଓ୍ବେ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରିବା ସହ ଭିତ୍ତିଭୂମି ତଦାରଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଯୋଜନାରେ ଅଧିନରେ ଖରିଆରରୋଡ ରେଲଓ୍ବେ ଷ୍ଟେସନ ସାମିଲ ହୋଇଛି। ଏହି ଷ୍ଟେସନର ଉନ୍ନତିକରଣ ପାଇଁ ୧୩ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରି ବିଶ୍ବସ୍ତରୀୟ ରେଳ ଷ୍ଟେସନ ରୂପେ ନିର୍ମାଣ କରିବାକୁ ରହିଛି। ବିଦ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ଓ ପ୍ଲାଟଫର୍ମକୁ ସଂଯୋଗ ପାଇଁ ୩ଟି ଲିପ୍ଟ ନିର୍ମାଣ ହେବ। ଏଠି ନୂଆ ପାଦଚଲା ଓଭର ବ୍ରିଜ ସହ ଅତ୍ୟାଧୂନିକ ନୂତନ ଟିକେଟ କାଉଣ୍ଟର ଓ ଯାତ୍ରୀ ଅପେକ୍ଷାଳୟ ନିର୍ମାଣ ହେବାକୁ ଯାଉଛି। ଷ୍ଟେସନର ପରିସରରେ ହାଇଲେବଲ ପ୍ଲାଟଫର୍ମ ଓ ସିଡି ନିର୍ମାଣ ହେବ। ଭିଆଇପି ଲଜ୍ ନିର୍ମାଣ ସହ ୩ ଶହ ଯାନବାହନ ରହଣି ବ୍ୟବସ୍ଥା ହେବ।

କଳାହାଣ୍ତି ସାଂସଦ ପ୍ରତିନିଧି ତଥା ଜେଡଆରୟୁସିସି ଗୋଲ୍ଡି ଅଗ୍ରୱାଲ, ଖରିଆରରୋଡ ଏନଏସି ଅଧ୍ୟକ୍ଷ ସୋନିଆ ଅଗ୍ରୱାଲ, ଚେମ୍ବର ଅଫ କମର୍ସ ଅଧ୍ୟକ୍ଷ ସନ୍ଦୀପ ଶର୍ମା, ପ୍ରେମ ସାହୁ, ସନ୍ଦେଶ ଢୋଲକିଆ, ରମେଶ ଅଗ୍ରୱାଲ ପ୍ରମୁଖ ପହ‌ଞ୍ଚି ଅମୃତ ଭାରତ ଯୋଜନା ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ସହ ଷ୍ଟେସନର ଅନ୍ୟ ସମସ୍ୟା ଅବଗତ କରିଛନ୍ତି। ଖରିଆରରୋଡ ରେଲଓ୍ବେ ଷ୍ଟେସନରେ ପୁରୀ-ସୁରତ ଓ ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଟ୍ରେନ ରହଣି ସହ ଜାତୀୟ ରାଜପଥ ୩୫୩ ଉଭୟ ପାର୍ଶ୍ବରେ ରେଲଓ୍ବେ ସରକାରୀ ଜମିରେ ମାକେର୍ଟ କବ୍ଦ୍ଲେକ୍ସ ନିର୍ମାଣ କରି ବ୍ୟବସାୟୀଙ୍କୁ ବ୍ୟବସାୟ କରିବାର ସୁଯୋଗ ଦେବା ଓ ଖରିଆରରୋଡ ସହର ଧୋବିପଡାରୁ ପିଏଚଡିପଡା ରାସ୍ତାରେ ରେଲଓ୍ବେ କ୍ରସିଂ ନିର୍ମାଣ କରିବାକୁ ଦାବି କରିଛନ୍ତି। ଏହି ନିର୍ମାଣ ଖୁବ ଶୀଘ୍ର ଆରମ୍ଭ ହେବା ସହ ସବୁ ସମସ୍ୟାର ସାମଧାନ ହେବ ବୋଲି ଡିଆରଏମ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ନୂଆପଡ଼ା ଷ୍ଟେସନରେ ସମତା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତୁଲସ ପଟେଲ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ତା, ସାଧାରଣ ସମ୍ପାଦକ ସଦାନନ୍ଦ ଯୋଶୀ, ଚୁନୁଲାଲ ପଟେଲ, ଲଲିତ ଅଗ୍ରୱାଲ ପ୍ରମୁଖ ଅନୁରୋଧ କରିଛନ୍ତି। ଏହା ଉପରେ ରେଲଓ୍ବେ ବୋର୍ଡର ଦୃଷ୍ଟି ଆକର୍ଷଣ କରି ସମତା ଟ୍ରେନର ରହଣି ବ୍ୟବସ୍ଥା କରିବୁ ବୋଲି ଡିଆରଏମ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର