ହାତୀ ଆକ୍ରମଣରେ ଜଣେ ମୃତ,ମାସେ ମଧ୍ୟରେ ଗଲାଣି ୨ ଜୀବନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ୍‌ ତଥା ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ଵେରେନପିଣ୍ଡା ଗାଁରେ ହାତୀ ଆକ୍ରମଣରେ ରାଇ ମାଝୀ (୫୬ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମାସେ ବ୍ୟବଧାନରେ ଏହା ୨ୟ ଘଟଣା ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁସାରେ, ଗତ ଶନିବାର ରାଇ ଗାଁ ପାଖ ତାଙ୍କ ଚାଷଜମିକୁ ଯାଇଥିଲେ। ସନ୍ଧ୍ୟାରେ ଜଙ୍ଗଲ ରାସ୍ତାରେ ଘରକୁ ଫେରିବା ବେଳେ ହାତୀପଲ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଦଳିଚକଟି ହତ୍ୟା କରିଥିଲା। ସୋମବାର ଭୋର୍‌ରେ ରାଇଙ୍କ ଭାଇ ରିଗା ମାଝୀ ସେହି ରାସ୍ତା ଦେଇ ଯିବା ସମୟରେ ରାଇଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ରାଇଙ୍କ ଦୁଇପୁଅ ବିଜୟ ମାଝୀ, ଗଜିନ୍ଦ୍ର ମାଝୀ, ଝିଅ ପଦ୍ମା ମାଝୀ, ସ୍ତ୍ରୀ ସିଙ୍ଗାରୀ ମାଝୀ ସମେତ ଗାଁଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ବନ ବିଭାଗ ପକ୍ଷରୁ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫ୍‌ ପ୍ରକାଶ ଚନ୍ଦ୍ର ବାତ୍ରା, ବିଶ୍ୱନାଥପୁର ରେଞ୍ଜର ନରୋତ୍ତୋମ ଭୋଇ, ଫରେଷ୍ଟର ଜଗନ୍ନାଥ ନାଗ ଓ ବିଜେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ଅଞ୍ଚଳରେ ବର୍ଷ ବର୍ଷ ଧରି ହାତୀ କ୍ଷୟକ୍ଷତି କରୁଥିବା ବେଳେ ବର୍ଷସାରା ବିଦ୍ୟୁତ ବିଭାଗ ବିଦ୍ୟୁତ୍‌ କାଟ କରୁଛି। ଏହାକୁ ନେଇ ସ୍ଥାନୀୟ ଲୋକ ଓ ବନ ବିଭାଗ ମଧ୍ୟରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଝାସୁଝା ପରେ ଅଞ୍ଚଳବାସୀ ଶାନ୍ତ ପଡ଼ିଥିଲେ। ପରେ ଘଟଣାସ୍ଥଳରେ ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ ପହଞ୍ଚି ରାଇଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ଆଣିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରାଇଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଅଞ୍ଚଳବାସୀ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି। ପ୍ରକାଶଥାଉ କି, ଗତ ମେ ମାସ ୨୯ ତାରିଖ ଦିନ ଲାଞ୍ଜିଗଡ଼ ସେକ୍ସନ ବସନ୍ତପଡ଼ା ଗାଁର ବାଙ୍ଗେରା ମାଝୀ(୫୫ବର୍ଷ)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର