ଟାଟାନଗର-ବାଦାମପାହାଡ ସନ୍ଧ୍ୟାକାଳୀନ ମେମୁ ଟ୍ରେନର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ରାଇରଙ୍ଗପୁର/ବାଦାମପାହାଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଝାଡଖଣ୍ଡର ସିନ୍ଦରିଠାରୁ ଟାଟାନଗରରୁ ବାଦାମପାହାଡ ମେମୁ ରେଳସେବାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ରେଳ ଉପରେ ସୁଚିନ୍ତିତ ବକ୍ତବ୍ୟ ଦେବାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆଜି ଏହି ଟ୍ରେନ୍ ଶୁଭାରମ୍ଭ ଫଳରେ ଭାରତର ଅର୍ଥନୀତି, ବେପାର ବାଣିଜ୍ୟର ଉନ୍ନତି ହେବାସହିତ ଭାରତ ଇତିହାସରେ ନୂଆ ଯୁଗର ଅୟମାରମ୍ଭ ହୋଇପାରିଛି । ଏହି ଅବସରରେ ବାମନଘାଟୀ ଉପଖଣ୍ଡ ବାଦାମପାହାଡ ରେଳ ଷ୍ଟେସନ ନିକଟରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବିଜେପି ରାଜ୍ୟ ସଂପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଅତିଥିମାନେ ନୂଆ ରେଳ ଶୁଭାରମ୍ଭରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ସହିତ ଭାରତ ପ୍ରଗତି କ୍ଷେତ୍ରରେ ନୂଆ ରାହା ସୃଷ୍ଟି ହେବ ବୋଲି କହିଥିଲେ । ଏହି ସଭାକୁ କାର୍ଯ୍ୟାଳୟ ଅଧ୍ୟକ୍ଷକ ହରିହର ସେଠୀ ପରିଚାଳନା କରିଥିଲେ । ଏହି ଟ୍ରେନକୁ ବହଳଦା ରୋଡ, ଆଁଲାଯୋଡ଼ି, ଗୋରୁମହିଷାଣୀ, ରାଇରଙ୍ଗପୁର, କୁଲଡିହା, ଛନୁଆ ଓ ବାଦାମପାହାଡ ଷ୍ଟେସନ ପହଞ୍ଚିବା ପରେ ଅଞ୍ଚଳବାସୀ ସ୍ବାଗତ କରିଥିଲେ। ଦୀର୍ଘଦିନ ଧରି ରାଇରଙ୍ଗପୁର ବାସୀମାନଙ୍କର ଦାବୀ ରହିଆସୁଥିଲା ସଂନ୍ଧ୍ୟାବେଳା ଟାଟାରୁ ବାଦାମପାହାଡକୁ ଏକ ରେଳ ଚଳାଚଳ ହେଉ, ଯାହାଦ୍ୱାରା ଲୋକେ ଦିନରେ ଦିନସାରା କାମସାରି ସଂନ୍ଧ୍ୟା ବେଳା ଫେରି ଆସିପାରିବେ । ସେହି ସ୍ଵପ୍ନ ଆଜି ପୁରଣ ହୋଇପାରିଥିବାରୁ ରାଇରଙ୍ଗପୁର ଉପଖଣ୍ଡବାସୀ ଧନ୍ୟବାଦ୍ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର