ଅସୁରକ୍ଷିତ କୋରାପୁଟ-ରାୟଗଡା ରେଳପଥ :ବର୍ଷକରେ ୭ ଅଘଟଣ, କର୍ତୃପକ୍ଷ ‌ବେଫିକର୍

ରାୟଗଡା: ଅସୁରକ୍ଷିତ ହୋଇ ପଡୁଛି କୋରାପୁଟ-ରାୟଗଡା (କେଆର୍) ରେଳପଥ। ଦିନକୁ ଦିନ ବଢ଼ି ଚାଲିଛି ଅଘଟଣ। ଟ୍ରେନ୍ ଲାଇନଚ୍ୟୁତ ସହ ମାଟି ଅତଡା ଖସି ଟନେଲରେ ଫସିବା ରେଳ ବିଭାଗ ପାଇଁ ନିତିଦିନିଆ ଘଟଣା ହୋଇ ଗଲାଣି। ଗତ ବର୍ଷକ ମଧ୍ୟରେ ଏହି ରେଳପଥରେ ୭ଟି ଟ୍ରେନ୍ ଅଘଟଣ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ଚିହ୍ନ ସୃଷ୍ଟି କରିଛି। ବାରମ୍ବାର ଅଘଟଣ ସତ୍ତ୍ବେ ତ୍ରୁଟି ସୁଧାରିବାରେ ବିଭାଗୀୟ କର୍ତୃପକ୍ଷ ସଂପୂର୍ଣ ବେଫିକର ହୋଇ ପଡିଥିବା ଅଭିଯୋଗ ହୋଇଛି। ନିକଟରେ ମେଣ୍ଟେନାନ୍ସ ଇଞ୍ଜିନ୍-ସମଲେଶ୍ବରୀ ଏକ୍ସପ୍ରେସ୍ ଗାଦବାଗୁଡାରେ ମୁହାଁମୁହିଁ ଧକ୍କା ହେବା ସହ ଘଟଣାରେ ୩ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହେବା ବିଭାଗୀୟ ପାରଦର୍ଶିତାକୁ ପଦାରେ ପକାଇଛି।
ଇଷ୍ଟ୍-କୋଷ୍ଟ୍ ରେଲୱେର ବିଶାଖାପାଟଣା ଡିଭିଜନ୍ ଅଧୀନରେ ରହିଛି କେଆର୍ ରେଳପଥ। ୧୭୬ କିମି ବିଶିଷ୍ଟ ଏହି ରେଳପଥ ରାୟଗଡା, କୋରାପୁଟ, ନବରଂଗପୁର, ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଛତିଶଗଡବାସୀଙ୍କ ପାଇଁ ଲାଇଫ୍ ଲାଇନ୍ ପାଲଟିଛି। ପ୍ରତ୍ୟେକ ଦିନ ଏହି ରେଳପଥ ଉପରେ ୧୦ହଜାରରୁ ଊର୍ଧ୍ବ ଲୋକ ନିର୍ଭର କରୁଛନ୍ତି। ତେବେ ଯାତ୍ରୀ ସେବା ଅପେକ୍ଷା ଏହି ରେଳପଥରେ ଖଣିଜ ପଦାର୍ଥ ପରିବହନକୁ ରେଳ ବିଭାଗ ଅଧିକ ଗୁରୁତ୍ବ ଦେବା ସହ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରୁଛି। କିନ୍ତୁ ଯେଉଁ ଅନୁସାରେ ରେଳପଥର ବିକାଶ ହେବା କଥା ତାକୁ ବିଭାଗ ଗୁରୁତ୍ବ ଦେଉନି। ଦୀର୍ଘ ୨୦ବର୍ଷ ସିଙ୍ଗଲ୍ ଲାଇନରେ ରେଳ ଚଳାଚଳ କରିବା ପରେ ୨୦୧୮ ରେଳ ବଜେଟରେ ଏହି ରେଳପଥର ଦୋହରୀକରଣ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ। ଇତି ମଧ୍ୟରେ ବିଦ୍ୟୁତକରଣ କାମ ଶେଷ ହୋଇଥିବା ବେଳେ ଦୋହରୀକରଣ କାମ ମନ୍ଥର ଗତିରେ ଚାଲିଛି। ଯେଉଁଥି ପାଇଁ ବଢ଼ି ଚାଲିଛି ଦୁର୍ଘଟଣା। ୨୦୧୮ ଜୁଲାଇରୁ ୨୦୧୯ ଜୁଲାଇ ମଧ୍ୟରେ ୭ଟି ଅଘଟଣ, ଗୋଟିଏ ଟ୍ରେନ୍ ଦୁର୍ଘଟଣା ଏହାର ଜ୍ବଳନ୍ତ ଉଦାହରଣ। କେଉଟଗୁଡାରୁ ଟିକିରି ଷ୍ଟେସନ ମଧ୍ୟରେ ସର୍ବାଧିକ ଅଘଟଣ ଘଟିବାର ନଜିର ରହିଛି।
୨୦୧୮ ଜୁଲାଇରେ ପ୍ରବଳ ବର୍ଷା ଯୋଗୁ ଭାଲୁମାସ୍କା-ଲେଲିଗୁମ୍ମା ରେଳପଥ ଉପରେ ୪ ଫୁଟର ବନ୍ୟା ପାଣି ଚାଲିବା ଯୋଗୁ ଏହି ରାସ୍ତା ଦେଇ ଯାଉଥିବା ହୀରାଖଣ୍ଡ, ରାଉରକେଲା ଏକ୍ସପ୍ରେସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଉକ୍ତ ମାସରେ ହିଁ ହାୱଡା-ଜଗଦଲପୁର (ପୂର୍ବରୁ କୋରାପୁଟ-ହାୱଡା) ସମଲେଶ୍ବରୀ ଏକ୍ସପ୍ରେସ୍ କେଉଟଗୁଡା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ସେପ୍ଟେମ୍ବର ମାସରେ ସମଲେଶ୍ବରୀ ଏକ୍ସପ୍ରେସ୍ କେଉଟଗୁଡା-ଶିକରପାଇ ଷ୍ଟେସନ ମଝିରେ ଭୂସ୍ଖଳନ ଯୋଗୁ ଫସି ରହିଥିଲା। ଅକ୍ଟୋବରରେ ଲେଲିଗୁମ୍ମା ଟନେଲରେ ଜଗଦଲପୁର-ହୀରାଖଣ୍ଡ ଏକ୍ସପ୍ରେସର ଇଞ୍ଜିନ୍ ଫେଲ୍ ହୋଇଯିବା ଯୋଗୁ ୭ଘଣ୍ଟା ଟ୍ରେନ୍ ଟନେଲ୍ ଭିତରେ ଫଶି ରହିଥିଲା। ଅକ୍ଟୋବର ୧୦ ତାରିଖରେ ନାଲକୋର ଗୁଡସ୍ ଟ୍ରେନ୍ ଭାଲୁମାସ୍କା ନିକଟରେ ଲାଇନଚ୍ୟୁତ ହୋଇଥିଲା। ଅକ୍ଟୋବର ୨୧ରେ ଭାଲୁମାସ୍କା ନିକଟରେ ନାଲକୋ ଗୁଡସ୍ ଟ୍ରେନ ଇଞ୍ଜିନ୍ ଲାଇନଚ୍ୟୁତ୍ ହୋଇଥିବା ବେଳେ ନଭେମ୍ବର ୧ ତାରିଖରେ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍ ଭାଲୁମାସ୍କା-ଲେଲିଗୁମ୍ମା ଷ୍ଟେସନ ମଝିରେ ଏକ ବଙ୍କା ହୋଇଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ଯୋଗୁ ଇଞ୍ଜିନ୍ ଫେଲ୍ ହୋଇଥିଲା। ନୂତନ ଇଞ୍ଜିନ୍ ସଂଯୋଗ ପରେ ବହୁ ବିଳମ୍ବରେ ଟ୍ରେନ୍ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ୨୦୧୯ ଜୁନ୍ ୨୫ ସବୁଠୁ ବଡ ଅଘଟଣ ଘଟିଥିଲା। ସିଙ୍ଗାପୁର-କେଉଟଗୁଡା ଷ୍ଟେସନ ମଧ୍ୟବର୍ତୀ ଅଞ୍ଚଳ ଗାଦବାଗୁଡାରେ ବିଦ୍ୟୁତ୍ ମରାମତି କାମ ସାରି ଫେରୁଥିବା ଟାୱାର୍ କାର ସହ ସମଲେଶ୍ବରୀ ଏକ୍ସପ୍ରେସ୍ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ୩ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଟାୱାର୍ କାର ସଂପୂର୍ଣ ଭାବେ ଜଳି ନଷ୍ଟ ହୋଇ ଯାଇଛି। ସମଲେଶ୍ବରୀ ଏକ୍ସପ୍ରେସର ଇଞ୍ଜିନ୍ ଆଶିଂକ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ରେଳ ବିଭାଗ ଯାତ୍ରୀ ସୁରକ୍ଷାକୁ ଗୁରୁତ୍ବ ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛି। କର୍ତବ୍ୟରେ ଅବହେଳା ଅଭିଯୋଗରେ ଦୁଇ ଷ୍ଟେସନ ମ୍ୟାନେଜର୍, ଦୁଇ ସିଗନାଲ୍ ଅଧିକାରୀ, ଡିଭିଜିନାଲ୍ ଟ୍ରାଫିକ୍ ଇନସପେକ୍ଟରକୁ ବିଭାଗ ନିଲମ୍ବିତ କରିଛି। ଘଟଣାକୁ ନେଇ ରେଳ ବିଭାଗର ତତ୍ପରତା, ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନକୁ ନେଇ ଯାତ୍ରୀ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। ରେଳପଥର ସୁରକ୍ଷା ପ୍ରତି ବିଭାଗ ଅଧିକ ଫୋକସ୍ କରିବା ସହିତ ଦୁର୍ଘଟଣା ଏଡାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ ଦୋହରୀକରଣ କାମ ଶେଷ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର