ଜଳୁଛି ଗୁମ୍ମା ସଂରକ୍ଷିତ ଜଙ୍ଗଲ: ପାହାଡ଼ରୁ ପାହାଡ଼କୁ ବ୍ୟାପୁଛି ନିଆଁ

ରାୟଗଡ଼ା: ଜଳୁଛି ଗୁମ୍ମା ସଂରକ୍ଷିତ ଜଙ୍ଗଲ। ଏକର ଏକର ଅଞ୍ଚଳରେ ଲାଗିଛି ନିଆଁ। ଆୟତ୍ତ କରିବାରେ ବନ ବିଭାଗ ବିଫଳ ହେବାରୁ ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡ଼କୁ ବ୍ୟାପୁଛି ନିଆଁ। ଫଳରେ ମୂଲ୍ୟବାନ ଗଛ ଜଳିପୋଡ଼ି ପାଉଁଶ ହେବା ସହ ବହୁ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ରାୟଗଡ଼ା ବନାଞ୍ଚଳ ଅଧୀନରେ ରହିଥିବା ୧୭ଟି ସଂରକ୍ଷିତ ଓ ୨୩ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ନିଆଁର ପ୍ରକୋପ ଦେଖିବାକୁ ମିଳିଛି। ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ ଥିବା ସଂରକ୍ଷିତ ଜଙ୍ଗଲ ଗତ ୩ଦିନ ହେଲା ଜଳୁଛି। ରାସ୍ତାକୁ ଜଙ୍ଗଲ ନିଆଁ ଦୃଶ୍ୟମାନ ହେଉଥିଲେ ମଧ୍ୟ ବନ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଉନି। ସନ୍ଧ୍ୟାରେ ଦୁର୍ବୃତ୍ତ ନିଆଁ ଲଗାଉଥିବା ବେଳେ ରାତି ପାହିବା ବେ‌ଳକୁ ଜଙ୍ଗଲ ଗଛପତ୍ର ପୋଡ଼ି ଅଙ୍ଗାର ହୋଇଯାଉଛି। ୯୦୦ ବର୍ଗ କିଲୋମିଟର କ୍ଷେତ୍ର ବିଶିଷ୍ଟ ରାୟଗଡ଼ା ବନାଞ୍ଚଳରେ ଗତ ଜାନୁଆରିରୁ ଆଜି ସୁଦ୍ଧା ୨୭୮ଟି ପଏଣ୍ଟରେ ନିଆଁ ଲାଗିଥିବା ଓଏଫ୍‌ଏମ୍ଏସ୍

ସାଟେଲାଇଟ୍ ପୋର୍ଟାଲରୁ ଜଣାପଡ଼ିଛି। ବିଶେଷ କରି ମାର୍ଚ୍ଚ ୧୫ରୁ ଏପ୍ରିଲ୍ ୧୦ ତାରିଖ ମଧ୍ୟରେ ୬୬ଟି ସ୍ଥାନରେ ନିଆଁର ପ୍ରକୋପ ଭୟାବହ ରହିଛି। ରାୟଗଡ଼ା ବନାଞ୍ଚଳ ଅଧୀନସ୍ଥ ଗୁମ୍ମା ସେକ୍ସନର କୋଦୁପାଡ଼ୁ, ଗୁମ୍ମା, କୁମ୍ଭିକୋଟା ଓ ନାଥମା ସଂରକ୍ଷିତ ଜଙ୍ଗଲ ସମେତ ରାୟଗଡ଼ା ସେକ୍ସନର ବାରିଝୋଲା, ମାରିଗୁଡ଼ା ସଂରକ୍ଷିତ ଜଙ୍ଗଲ, କୁମୁଟିପେଣ୍ଠ ସେକ୍ସନ ଅଧୀନରେ କୈଳାସପେଟା ସଂରକ୍ଷିତ ଜଙ୍ଗଲର ସର୍ବାଧିକ ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ୧୨ ହଜାର ୯୦୦ ହେକ୍ଟରରେ କୋଦୁପାଡ଼ୁ ସଂରକ୍ଷିତ ଜଙ୍ଗଲ ପରିପୂର୍ଣ୍ଣ ରହିଥିବା ବେଳେ ୪୨୫୨ ହେକ୍ଟରରେ ଗୁମ୍ମା, ୧୪୫୩ ହେକ୍ଟରରେ ବାରିଝୋଲା, ୯୯୮ ହେକ୍ଟରରେ ମାରିଗୁଡ଼ା, ୪୯୧୨ ହେକ୍ଟରରେ କୁମ୍ଭିକୋଟା, ୩୮୦ ହେକ୍ଟରରେ ନାଥମା ଏବଂ ୫୪୩୦ ହେକ୍ଟରରେ ପରିପୂର୍ଣ୍ଣ ହୋଇ ରହିଛି କୈଳାସପେଟା ସଂରକ୍ଷିତ ଜଙ୍ଗଲ।

ପ୍ରତିବର୍ଷ ରାୟଗଡ଼ା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ସମେତ ଅନ୍ୟାନ୍ୟ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ରାୟଗଡ଼ା ଡିଏଫ୍‌ଓ ସଚିନ ଆନ୍ନାସାହେବ ଓହୋଲଙ୍କ ନେତୃତ୍ବରେ ରାୟଗଡ଼ା ବନଖଣ୍ଡର ୭ଟି ବନାଞ୍ଚଳରେ ଥିବା ସଂରକ୍ଷିତ ଓ ପ୍ରସ୍ତାବିତ ଜଙ୍ଗଲରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ରାୟଗଡ଼ା ବନାଞ୍ଚଳରେ ବନ ବିଭାଗ କର୍ମଚାରୀଙ୍କ ସମେତ ୨୨ଟି ନିଆଁ ଲିଭାଳି ଦଳକୁ ନିୟୋଜିତ କରାଯାଇଥିଲେ ତାହା ନିଅଣ୍ଟ ପଡ଼ିଛି। ଜଙ୍ଗଲ ନିଆଁ ଥମିବାର ନାଁ ନେଉନି। ଜାନୁଆରିରୁ ଏପ୍ରିଲ୍ ମାସ ମଧ୍ୟରେ ୨୫୭ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ହାରହାରି ୦.୨୫ ଏକର ଜଙ୍ଗଲ ଧ୍ୱଂସ ହୋଇଛି। ମହୁଲ ସଂଗ୍ରହ, ପୋଡ଼ୁ ଚାଷ ଓ ଅଙ୍ଗାର ସଂଗ୍ରହ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ନିଆଁ ଲଗାଉଛନ୍ତି।

ସମ୍ବନ୍ଧିତ ଖବର