ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇଥିଲେ: ପୁଲିସକୁ ସଂଘବଦ୍ଧ ଆକ୍ରମଣ

ମହିଳା ଥାନାଧିକାରୀଙ୍କୁ ଘରେ ପୂରାଇ ତାଲା ଠୁଙ୍କିଲେ

ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁର ଜଣେ ଗଞ୍ଜେଇ ମାଫିଆକୁ ଧରିବାବେଳେ ଝାରବନ୍ଧ ପୁଲିସ ଆକ୍ରମଣର ଶିକାର ହୋଇଛି। ଜଣେ ମହିଳା ଥାନା ଅଧିକାରୀଙ୍କୁ ଘରେ ଭର୍ତ୍ତିକରି ତାଲା ଠୁଙ୍କି ଦେଇଛନ୍ତି। ପରେ ଏହି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ଗତକାଲି ଡଭା-ବସନା ରାସ୍ତାରେ ଝାରବନ୍ଧ ପୁଲିସ ପାଟ୍ରୋଲିଂ କରୁଥିଲା। ଏହିସମୟରେ ବସନା ଥାନା କେଶରପୁର ଗାଁର ଯଦୁନାଥ ଶ୍ରୀବସ (୨୯) ଓ ଡିଲେଶ୍ୱର ଗହୀର (୨୫) ଏକ ବାଇକ୍‌ରେ ନିତ୍ୟାନନ୍ଦପୁର ଗାଁର ନାନୁ ସାହୁଠାରୁ ଗଞ୍ଜେଇ ନେଉଥିବାବେଳେ ପୁଲିସ ଧରିଥିଲା। ପଛରେ ଥିବା ନାନୁ ସାହୁ ପୁଲିସକୁ ଦେଖି ଫେରାର ହୋଇଯାଇଥିଲା। ଆଜି ଭୋର୍‌ରେ ଝାରବନ୍ଧ ଥାନା ଅଧିକାରୀ ଶୁଚିସ୍ମିତା ମହାନ୍ତି, ଏଏସ୍‌ଆଇ ସମାରୁ ନାଗ, କନେଷ୍ଟବଳ ଡାକ୍ତର ଷାଣ୍ଢ, ଆକାଶ ପ୍ରଧାନ ଓ ଆଇଆର୍‌ବି ଯବାନ ନାନୁ ସାହୁ ଘରେ ଚଢ଼ଉ କରିଥିଲେ। ନାନୁକୁ ଧରି ଗାଡ଼ିକୁ ଆଣୁଥିବାବେଳେ ତାଙ୍କ ପରିବାର ଲୋକେ ପୁଲିସକୁ ଆକ୍ରମଣ କରି ନାନୁକୁ ଫେରାର୍‌ କରାଇ ଦେଇଥିଲେ। ଥାନା ଅଧିକାରୀ ଶ୍ରୀମତୀ ମହାନ୍ତିଙ୍କୁ ଗୋଟିଏଘରେ ଭର୍ତ୍ତିକରି ତାଲା ଠୁଙ୍କିଦେଇ ପଥର ଓ ଠେଙ୍ଗାରେ ଅନ୍ୟ ପୁଲିସଙ୍କୁ ଆକ୍ରମଣ କରିବାସହ ପୁଲିସଗାଡ଼ିକୁ ଭଙ୍ଗାରୁଜା କରିଥିଲେ।

ଖବର ପାଇ ବିଳାସପୁର ସରପଞ୍ଚ ଚୈତରାମ ନାଏକ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଆହତମାନଙ୍କୁ ନୂଆପଡ଼ା ଜିଲ୍ଲା ସୀମାନ୍ତ ବେଲଟୁକୁରି ପୁଲିସ ସହାୟତାରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଖବର ପାଇ ଏସ୍‌ଡିପିଓ ବିଭୂତିଭୂଷଣ ଭୋଇ, ପାଇକମାଲ ଓ ଜଗଦଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ୮ ଜଣଙ୍କୁ ଗିରଫ କରିବା ସହ ୬ଟି ବାଇକ୍‌, ଗୋଟିଏ କାର୍‌ ଓ ଟ୍ରାକ୍ଟରକୁ ଜବତ କରିଥିଲେ। ଗିରଫ ପପୁ ସାହୁ, ଯୁଗଳ କିଶୋର ସାହୁ, ଜନକ ସାହୁ, ତୁଳସୀବତୀ ସାହୁ, ରାଜମତୀ ସାହୁ, ଅବନୀ ସାହୁ, ହୀରାବାଈ ସାହୁ ଓ ମାଧୁରୀ ସାହୁଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏନେଇ ଝାରବନ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର