ଆଗକୁ ପ୍ରବଳ ବର୍ଷା:ବାହ୍ୟ ଜଗତରୁ ବିଛିନ୍ନ ହେବ ମାଲକାନଗିରି!

* ୩ଟି ପୋଲ ନିର୍ମାଣ ନୋହିଲା * ପୂର୍ତ୍ତ ବିଭାଗର ନିଘା ନାହିଁ

ମାଲକାନଗିରି: ପ୍ରତିବର୍ଷ ବର୍ଷା ଆସିଲେ ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୁଏ। ଚଳିତ ବର୍ଷ ଯଦିଓ ମୌସୁମୀ ସାମାନ୍ୟ ବିଳମ୍ବରେ ପହଞ୍ଚିଛି କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସରେ ଭଲ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଏଭଳି ହେଲେ ଚଳିତ ବର୍ଷ ପୁଣି ବନ୍ୟା ଜଳରେ ବୁଡ଼ିବ ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ। କାରଣ ଚଳିତ ବର୍ଷ ମଧ୍ୟ ବର୍ଷା ପୂର୍ବରୁ ମାଲକାନଗିରି ଠାରୁ ବାଲିମେଳା ମଧ୍ୟରେ ରହିଥିବା ତିନୋଟି ପୋଲ ନିର୍ମାଣ କାମ ଶେଷ ହୋଇପାରିଲା ନାହିଁ। ବର୍ଷା ପାଣିରେ ଏହି ରାସ୍ତାରେ ଥିବା ୩ଟି ଅସ୍ଥାୟୀ ରାସ୍ତା ଧୋଇଯିବ କିମ୍ବା ବୁଡ଼ିଯିବ। ଏହାଦ୍ବାରା ମାଲକାନଗିରି-ବାଲିମେଳା ରାସ୍ତା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି।
ପୂର୍ତ ବିଭାଗ ପକ୍ଷରୁ ଏମଭି-୧୧, ଏମ-୩୭ ଏବଂ କୋରୁକୋଣ୍ଡା ପୋଲ ନିର୍ମାଣ କାମ ୪ବର୍ଷ ତଳେ ଆରମ୍ଭ ହୋଇଥିଲା। ପୋଲ ଗୁଡ଼ିକ ୨ବର୍ଷ ମଧ୍ୟରେ ଶେଷ କରିବାକୁ ନିର୍ଧାରିତ କରାଯାଇଥିଲା। କିନ୍ତୁ ନିର୍ଧାରିତ ସମୟର ଅତିରିକ୍ତ ୨ବର୍ଷ ବିତିବା ସତ୍ତ୍ବେ ଅଧାରୁ ଅଧିକ କାମ ଶେଷ ହୋଇନି। ଯେଉଁଭଳି ମନ୍ଥର ଗତିରେ ଚାଲିଛି ଆହୁରି ୨ବର୍ଷ ଲାଗିଯିବ ବୋଲି କୁହାଯାଉଛି। ପୂର୍ବରୁ ଉପରୋକ୍ତ ସ୍ଥାନରେ ପୋଲ ରହିଛି। କିନ୍ତୁ ଏହି ପୋଲ ଗୁଡ଼ିକର ଉଚ୍ଚତା କମ ରହିଛି। ତେଣୁ ବର୍ଷା ଦିନେ ପୋଲ ଉପରେ ପାଣି ପ୍ରବାହିତ ହୋଇଥାଏ। ଏପରିକି ଦିନ ଦିନ ଧରି ପାଣି କମିନଥାଏ। ଯାହାଫଳରେ ମାଲକାନଗିରି ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ। ବାଲିମେଳା, ଚିତ୍ରକୋଣ୍ଡା, ଖଇରପୁଟ, କୁଡୁମୁଲୁଗୁମ୍ମା ବ୍ଲକର ଲୋକେ ମାଲକାନଗିରି ଆସିବା ଏକ ପ୍ରକାର ଅସମ୍ଭବ ହୋଇଯାଇଥାଏ। ଏହି ତିନୋଟି ପୋଲକୁ ବିଜୟଵାଡାର ଆରଆର ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ନିର୍ମାଣ କରୁଥିବା ବେଳେ ଏହାର ବ୍ୟୟ ଅଟକଳ ୫ କୋଟି ୯୮ ଲକ୍ଷ ଟଂକା ରହିଥିଲା। ଏହାର ନିର୍ମାଣ ସମୟସୀମା ଡିସେମ୍ବର ୨୦୧୭ ରହିଥିଲା। ତେବେ ଦୁଇ ଦୁଇ ଥର ସମୟସୀମା ଚାଲି ଯାଇଥିବା ବେଳେ ଚଳିତ ବର୍ଷ ବର୍ଷା ପୂର୍ବରୁ ଏହା ସମାପ୍ତ ହୋଇପାରିବ ନାହିଁ ବୋଲି ଜଣାପଡିଛି। ପୋଲ ଗୁଡ଼ିକୁ ଏସଏଆରସିଏ ଯୋଜନା ମାଧ୍ୟମରେ କରାଯାଉଥିବା ବେଳେ ପୂର୍ତ୍ତ ବିଭାଗ ଏହାର ଦାୟିତ୍ବ ନେଇଛି।
ଜିଲ୍ଲାରେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ କରାଯାଉଥିବା ପୋଲ, ରାସ୍ତା ଏବଂ ମେଡିକାଲର ମାନକୁ ନେଇ ସବୁବେଳେ ପ୍ରଶ୍ନ ଉଠେ। ଏବେ ପୁଣି ଏହି ତିନୋଟି ପୋଲ ନିର୍ମାଣରେ ବିଳମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଅଂଚଳର ଲୋକେ ପୂର୍ତ୍ତ ବିଭାଗର ଏମିତି ଧିମା କାମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସଂପୃକ୍ତ କମ୍ପନି ବିରୁଦ୍ଧରେ ଲେଖା ଯାଇଥିବା କୁହାଯାଉଛି। ହେଲେ ପରବର୍ତୀ ସମୟରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ବର୍ତ୍ତମାନ ସୁଦ୍ଧା ୫୦ପ୍ରତିଶତରୁ ମଧ୍ୟ କମ୍ କାମ ସରିଥିବା ଦେଖିବାକୁ ମିଳିଛି। କାମ ଯେତେ ଧିମା ହେଉଛି ପୋଲ ବାବଦ ବ୍ୟୟ ଅଟକ ସେତିକି ବଢ଼ୁଥିବା ବି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ବର୍ତମାନ ତିନୋଟି କାର୍ଯ୍ୟ ପାଇଁ ବ୍ୟୟ ବାରାଦ ପ୍ରାୟ ଦୁଇ ଗୁଣ ବଢ଼ି ୧୧ କୋଟି ୭୩ ଲକ୍ଷରେ ପହଞ୍ଚିଛି। ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଡିଜାଇନରେ ପରିବର୍ତନ କରାଯାଇଥିବାରୁ ବିଳମ୍ବ ହେଉଛି। ବର୍ଷା ଆସି ଯାଇଥିବାରୁ ଏହି କାମ ପୁଣି ବନ୍ଦ ହୋଇଯାଇଛି। ଆସନ୍ତା ଅକ୍ଟୋବର ମାସରେ ପୁଣି କାମ ଚାଲୁ ହେବ ବୋଲି ଜଣାପଡିଛି। ତେବେ ଏମଭି-୧୧ ପୋଲକୁ ବର୍ଷା ପୂର୍ବରୁ ସମାପ୍ତ କରାଯିବା ବୋଲି ଯୁକ୍ତି ବାଢିଛି ବିଭାଗ। ପୂର୍ତ୍ତ ବିଭାଗର ଖାମଖିଆଲି ଯୋଗୁଁ ଜିଲ୍ଲାରେ ସରକାରୀ ପ୍ରକଳ୍ପ ବିଳମ୍ବିତ ହେଉଛି କିମ୍ବା କାମର ମାନକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଛି। ଯେତିମି ଗୁରୁପ୍ରିୟା ସେତୁ ହେଉ କିମ୍ବା ୭ ମହଲା ଜିଲ୍ଲା ମେଡିକାଲ। ପୂର୍ତ୍ତ ବିଭାଗ ଏହି ବଡ଼ ଧରଣର ପ୍ରକଳ୍ପ ନିର୍ମାଣ ସମୟରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏହାସତ୍ତ୍ବେ ବହୁ ରାସ୍ତା ଆରଡି ବିଭାଗରୁ ହଟାଯାଇ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ସେଥିରୁ ଶିଖପାଲ୍ଲୀ ପଡିଆ ରାସ୍ତା ମଧ୍ୟ ତଦନ୍ତ ପରିସରକୁ ଆସୁଛି। ଜିଲ୍ଲାରେ ବାରମ୍ବାର ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ପ୍ରକଳ୍ପର ମାନକୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଏ ଦିଗରେ କେହି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ରାଜନୈତିକ ଦଳ ମଧ୍ୟ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ମାଲାକନଗିରି ଓ ବାଲିମେଳା ମଧ୍ୟରେ ରହିଥିବା ୩ଟି ପୋଲ ପୁଣି ଲୋକଙ୍କ ପାଇଁ କାଳ ହେବ ବୋଲି ଆଶଂକା କରି ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର