ଖୋର୍ଦ୍ଧାରେ ‘ଶୂନ ମୃତାହତ ସପ୍ତାହ’ ପ୍ରହସନ, ୭ ଦିନରେ ୨ ମୃତ, ୨ ଆହତ

ସାତ ଦିନରେ ଦୁର୍ଘଟଣା ମାମଲା ପଞ୍ଜୀକରଣକୁ ଏଡ଼ାଇ ସଫଳତା

ଖୋର୍ଦ୍ଧା: ଅପ୍ରିଲ୍ ୧ ତାରିଖରୁ ୭ ତାରିଖ ସମଗ୍ର ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଶୂନମୃତାହତ ସପ୍ତାହ ପାଳନ କରାଯାଇଥିଲା। ସଡ଼କ ଦୁର୍ଘଟଣାରେ ମୃତାହତ ତାଲିକାରେ ରାଜ୍ୟରେ ସବୁଠୁ ଆଗରେ ଥିବା ଖୋର୍ଦ୍ଧା ଜିଲ୍ଲାରେ କିନ୍ତୁ ଶୂନମୃତାହତ ସପ୍ତାହ ସଫଳ ହେବା ସହ ୭ ଦିନରେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଦର୍ଶାଯାଇଛି। ଗ୍ରାମାଞ୍ଚଳ ପୁଲିସ ଜିଲ୍ଳାରେ ଗୋଟିଏ ମାମଲା ବ୍ୟତୀତ ଥାନାରେ କୌଣସି ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇନାହିଁ ବୋଲି ପୁଲିସ ଓ ସଡ଼କ ପରିବହନ ବିଭାଗ ବାହାସ୍ପୋଟ ମାରିଛନ୍ତି। କିନ୍ତୁ ବାସ୍ତବରେ ଏହି ୭ ଦିନ ମଧ୍ୟରେ ୨ଜଣ ଆହତ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ୭ ଦିନ ମଧ୍ୟରେ ଘଟିଥିବା ଅନେକ ଛୋଟ ଦୁର୍ଘଟଣାକୁ ଥାନାଗୁଡ଼ିକରେ ପଞ୍ଜୀକରଣ କରାନଯାଇ ୭ ଦିନର ପରବର୍ତ୍ତୀ ସମୟରେ କରାଯାଇଛି।

ପରିସଂଖ୍ୟାନରେ ଖୋର୍ଦ୍ଧା ଜିଲ୍ଲାରେ ୨୦୨୧ରେ ୮୧୮ଟି ସଡ଼କ ଦୁର୍ଘଟଣାରେ ୩୪୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୫୬ଜଣ ଗୁରୁତର ଓ ସାମାନ୍ୟ ଆହତ ହୋଇଥିଲେ। ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା। ସେହିବର୍ଷ ୧୦୦୧ଟି ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ବେଳେ ୩୩୨ଜଣଙ୍କ ମୃତ୍ୟ ଓ ୭୫୨ଜଣ ଗୁରୁତର ଓ ସାମାନ୍ୟ ଆହତ ହୋଇଥିଲେ। ନିକଟରେ ଯାଇଥିବା ଶୂନମୃତାହତ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲାକୁ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହି ସପ୍ତାହରେ ଯେପରି ଦୁର୍ଘଟଣା ଘଟିବ ନାହିଁ, ଘଟିଲେ ଯେଭଳି ମୃତାହତଙ୍କ ସଂଖ୍ୟା ହ୍ରାସ ପାଇବ ସେନେଇ ଆବଶ୍ୟକ ବ୍ୟବସ୍ଥା କରିବାକୁ ପୁଲିସ ଓ ସଡ଼କ ପରିବହନ ବିଭାଗକୁ ନିର୍ଦେଶ ଦିଆଯାଇଥିଲା। ଏହାପରେ ଖୋର୍ଦ୍ଧାର ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ ଧରପଗଡ଼ କରାଯାଇ ହେଲମେଟ୍ ପିନ୍ଧିନଥିବା ଆଦି ମାମଲାରେ ଜୋରିମାନା ଆଦାୟ କରାଯାଇଥିଲା। ଖୋର୍ଦ୍ଧା ଏଆର୍ଟିଓ ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଥିଲା ଯେ ୭ ଦିନରେ ବିଭିନ୍ନ ଟ୍ରାଫିକ୍ ଉଲ୍ଲଂଘନରେ ୩୦୯ଟି ଚାଲାଣ କଟାଯାଇ ୧୮ଲକ୍ଷ ୧୬ହଜାର ୩୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ନିରାକାରପୁର ଥାନାରେ ଗୋଟିଏ ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇଛି। କିନ୍ତୁ ବାସ୍ତବ କଥା ହେଲା, ଶୂନ ମୃତାହତ ସପ୍ତାହରେ କୌଣସି ଦୁର୍ଘଟଣା କିମ୍ବା ମୃତାହତ ଘଟିନାହିଁ ସେଭଳି ନୁହେଁ, ଯେଉଁ ସବୁ ଦୁର୍ଘଟଣା ଘଟିଛି ସେଗୁଡ଼ିକର ମାମଲା ରୁଜୁ କରାଯାଇନାହିଁ।

ସୂଚନାନୁସାରେ, ୩୧ ତାରିଖରେ ବାଣପୁର ଦାମିଆବରବରା ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ଆଣିବାକୁ ଆସିଥିବା ଏକ ଟାଟା ଏସି ଦୁର୍ଘଟଣା ଘଟି ୫ଜଣ ଆହତ ହୋଇଥିବା ବେଳେ ସେହିଦିନ ଟାଙ୍ଗୀ ବାଇପାସ୍ ଠାରେ ଏକ ଅଜଣାଗାଡ଼ି ଦୁର୍ଘଟଣାରେ ଜଣେ ବୃଦ୍ଧ ଆହତ ହୋଇଥିଲେ। ୧ ତାରିଖ ଠାରୁ ୭ ତାରିଖ ମଧ୍ୟରେ ନିରାକାରପୁର ତାଳପଡ଼ା ନିକଟରେ ଏକ ଡାଲା ଅଟୋ ଓଲଟି ବୁଲୁ ବେହେରା (୪୫)ଙ୍କ ମୃତ୍ୟୁ ଘଟିଥିଲା। ଟାଙ୍ଗୀ-ଚଣ୍ଡେଶ୍ୱର ନିକଟରେ ଦୁଇଟି ମୋଟର ସାଇକଲ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ସାମ୍ବାଦିକଙ୍କ ସମେତ ୨ଜଣ ଆହତ ହୋଇଥିଲେ। ୬ ତାରିଖ ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟ ୧୬ ନମ୍ବର ଜାତୀୟ ରାଜପଥର ଉଡ଼ନ୍ତାପୋଲ ନିକଟରେ ଏକ ହାଇୱା ଅନ୍ୟଏକ ଅଜଣାଗାଡ଼ିକୁ ପଛପଟୁ ଧକ୍କା ଦେବା ଫଳରେ ହାଇୱା ଚାଳକ କାର୍ତିକ କୁମାର ଜେନାଙ୍କ ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା ଟାଉନ ଥାନା, ସଦର ଥାନା, ବାଣପୁର, ବାଲୁଗାଁ ଆଦି ଥାନା ଇଲାକାରେ ୮ରୁ ଉର୍ଦ୍ଧ୍ବ ଦୁର୍ଘଟଣାରେ ୧୧ଜଣ ଆହତ ହୋଇଛନ୍ତି। ଏହି ସମସ୍ତ ମାମଲା ଥାନାରେ ୭ ଦିନ ମଧ୍ୟରେ ରୁଜୁ ହୋଇନାହିଁ। ଶୂନ ମୃତାହତ ସପ୍ତାହକୁ ସଫଳ ଦେଖାଇବାକୁ ଦୁର୍ଘଟଣା ମାମଲାର ପଞ୍ଜୀକରଣକୁ ଏଡ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର