ଶ୍ରଦ୍ଧାଞ୍ଜଳି ଦେବା ସହ ସଂସଦ ଭବନ ବୁଲି ଦେଖିଲେ କୋରାପୁଟର ଝିଅ

କୋରାପୁଟ: ସଂସଦ ବୁଲି ଦେଖିବା ସହ ସଂସଦର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ଭାରତର ମହାନ ଜନନାୟକ ତଥା ପ୍ରଥମ ରାଷ୍ଟ୍ରପତି ଡଃ. ରାଜେନ୍ଦ୍ର ପ୍ରସାଦଙ୍କ ୧୩୦ ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଇଂରାଜୀ ଭାଷାରେ ନିଜର ବକ୍ତବ୍ୟ ପ୍ରଦାନ କରି ଅଜସ୍ର ପ୍ରଶଂସା ସାଉଁଟିଛନ୍ତି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଶୀତିଲଗ୍ନା ଶତପଥି।

ଦିଲ୍ଲୀ ଏନସିଆରଟି ସହଯୋଗରେ ସଂସଦ ସଚିବାଳୟ ଦ୍ୱାରା ଆୟୋଜିତ ପ୍ରାଇଡ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଞ୍ଚଳିକ କାର୍ଯ୍ୟାଳୟ ଭୂବନେଶ୍ୱର ତରଫରୁ ଓଡିଶାରୁ ଏକମାତ୍ର ଛାତ୍ରୀ ଭାବରେ ଶୀତିଲଗ୍ନା ତୁମର ସଂସଦକୁ ଜାଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସଂସଦର ରାଜ୍ୟସଭା, ଲୋକସଭା ଓ ସଂସଦ ପାଠାଗାର ପ୍ରଭୃତି ଦେଖିବା ସହ ସଂସଦର ସେଣ୍ଟେରାଲ ହଲରେ ନିମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ଡଃ. ରାଜେନ୍ଦ୍ର ପ୍ରସାଦଙ୍କ ଜୀବନୀ ଓ କୃତିତ୍ୱକୁ ନେଇ ସେ ଏକ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ସମଗ୍ର ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ୨୭ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ମାତ୍ର ୧୩ ଜଣ ଛାତ୍ରଛାତ୍ରୀ ବକ୍ତବ୍ୟ ଦେବା ପାଇଁ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାରୁ କୋରାପୁଟିଆ ଝିଅ ଶୀତିଲଗ୍ନା ଶତପଥି ପ୍ରତିନିଧିତ୍ୱ କରିଥିଲେ। ଛାତ୍ରୀର ଅଭିଭାବକ ଭାବରେ କବି ରବି ଶତପଥି ଏହି ସୁଯୋଗରେ ସାମିଲ ହୋଇ ପାରିଥିଲେ।

Sambad

ସୂଚନାଯୋଗ୍ୟ ଯେ, ସଡକ ସୁରକ୍ଷା ସଚେତନତାକୁ ନେଇ ନିକଟ ଅତିତରେ ଆୟୋଜିତ ଜାତୀୟ କ୍ଷୁଦ୍ର ଚଳଚିତ୍ର ପ୍ରତିଯୋଗିତାରେ ଶୀତିଲଗ୍ନା ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲ। ଶୀତିଲଗ୍ନାଙ୍କ ଏପରି ସଫଳତାକୁ ନେଇ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ବିଶ୍ୱାଳ, ଶିକ୍ଷକ ତରୁଣ କୁମାର ଦାଶଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସମେତ ଓଡିଶାର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଶୀତିଲଗ୍ନାକୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଥିବା ବେଳେ ସେ ଏହାର ସମସ୍ତ ଶ୍ରେୟ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଓ ସଂସଦ ସଚିବାଳୟର ପ୍ରାଇଡ କାର୍ଯ୍ୟକ୍ରମର ସମସ୍ତ ଅଧିକାରୀ ମାନଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର