ଦିଲ୍ଲୀ ଗଣତନ୍ତ୍ର ଦିବସରେ ପ୍ରତିନିଧିତ୍ବ କରିଥିଲେ ଓଡ଼ିଆ ଝିଅ ସ୍ବାଗତିକା, ସମ୍ବର୍ଦ୍ଧନା ଦେଲା ମହିଳା ମହାବିଦ୍ୟାଳୟ

ରାୟଗଡ଼ା: ଦିଲ୍ଳୀ ଠାରେ ଅନୁଷ୍ଠିତ ଚଳିତ ବର୍ଷର ୭୫ତମ ଗଣତନ୍ତ୍ର ପରେଡ଼ରେ ଅଂଶଗ୍ରହଣ କରି ରାୟଗଡ଼ା ଫେରିଛନ୍ତି ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ସ୍ବାଗତିକା ମଲ୍ଳିକ। ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟ ସମେତ ରାୟଗଡା ଜିଲ୍ଳାର ସୁନାମ ଆଣିଥିବାରୁ ମହିଳା ମହାବିଦ୍ୟାଳୟ ପକ୍ଷରୁ ସ୍ବାଗତିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ଅର୍ଚ୍ଚନା ପଟ୍ଟନାୟକ, ଅଧ୍ୟାପିକା ଭାରତୀ ଚୈାଧୁରୀ, ସରୋଜା ମିଶ୍ର, ଫାରାହ ନାଜ୍, ଦ୍ୱିତୀୟ ଓଡ଼ିଶା ଏନସିସି ବାଟାଲିୟନ କମାଣ୍ଡି ଅଧିକାରୀ ଶ୍ରୀ ବିନୋଦ, ମହାବିଦ୍ୟାଳୟର ଏନସିସି ଅଧିକାରୀ କ୍ୟାପଟେନ୍ ରୀତାରାଣୀ ମିଶ୍ରଙ୍କ ସମେତ ଏନସିସି କ୍ୟାଡେଟ୍ ସ୍ବାଗତିକାଙ୍କ ପିତା ଶତ୍ରୁଘ୍ନ ଏବଂ ମାତା କବିତା ମଲ୍ଳିକ ମଂଚାସୀନ ହୋଇଥିଲେ। ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ପଟ୍ଟନାୟକ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତିକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କ୍ୟାପେଟନ୍ ରୀତାରାଣୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ସମସ୍ତେ ସ୍ବାଗତିକାଙ୍କ ଏଭଳି ସଫଳତାକୁ ନେଇ ବେଶ ପ୍ରଶଂସା କରିବା ସହ ଜୁନିଅର ଏନସିସି କ୍ୟାଡେଟମାନଙ୍କୁ ସ୍ବାଗତିକାଙ୍କ ଭଳି କଠିନ ପରିଶ୍ରମ କରି ଦିଲ୍ଳୀ ଠାରେ ଅନୁଷ୍ଠିତ ହେଉଥିବା ପରେଡରେ ଅଂଶଗ୍ରହଣ କରି ନିଜର ଓ ନିଜ ଜିଲ୍ଳା, ରାଜ୍ୟ ଓ ଦେଶର ନାମକୁ ଗୌରବାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ।

୨ ମାସର କଠିନ ପରିଶ୍ରମ ପରେ ଏନସିସି କ୍ୟାଡେଟ୍ ସ୍ବାଗତିକା ଭୁବନେଶ୍ୱର ଓ ଦିଲ୍ଳୀ ଠାରେ ଆୟୋଜିତ ଆରଡିସିସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇ ଶେଷରେ ଦିଲ୍ଳୀର କର୍ତ୍ତବ୍ୟ ପଥ ଠାରେ ଅନୁଷ୍ଠିତ ହୋଇଥିବା ୭୫ତମ ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇ ପାରିଥିଲେ। ଦିଲ୍ଳୀ ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବାର ଅନୁଭୂତିକୁ ପ୍ରକାଶ କରିବା ସହ ମୁଁ କରି ଦେଖାଇ ପାରିବି ଭଳି ସଂକଳ୍ପ ନେଇ ଯେ କୈାଣସି କାମ କଲେ ତାହିଁରେ ନିଶ୍ଚିତ ସଫଳତା ମିଳିବ ବୋଲି ସ୍ବାଗତିକା ପ୍ରକାଶ କରିଛନ୍ତି। ନିଜ ଝିଅର ଏହି ସଫଳତାକୁ ନେଇ ପିତା ଶ୍ରୀ ମଲ୍ଳିକ ବେଶ୍ ଖୁସି ଥିବା ବେଳେ ଜୁନିଅରମାନେ ମଧ୍ୟ ଆଗାମୀ ବର୍ଷରେ ଏଭଳି ସଫଳତା ପାଇବାକୁ ଚେଷ୍ଠା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଂରାଜି ବିଭାଗର ଅଧ୍ୟାପିକାଙ୍କ ସମେତ ଏନସିସି କ୍ୟାଡେଟ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର