ଯୋଡ଼ା ସହରରେ ଆତଙ୍କ; କୁକୁର କାମୁଡ଼ାରେ ୨୯୩ ଆହତ

ଯୋଡ଼ା: ସହରରେ ବିଭିନ୍ନ ବସ୍ତି, ହଟିଙ୍ଗ, କଲୋନୀ ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ନଅ ମାସ ମଧ୍ୟରେ ୨୯୩ଜଣ କୁକୁର କାମୁଡାରେ ଆହତ ହୋଇଛନ୍ତି। ସବୁ ଜାଣିବା ପରେ ମଧ୍ୟ ପ୍ରଶାସନିକସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ  ତୀବ୍ର ଅସନ୍ତୋଷ ଦେଖାଦେଇଛି। ଯୋଡ଼ା ସହରର ଶାସ୍ତ୍ରୀ ନଗର, ଏନ୍ଏସି ଗେଟ, କଳାପାହାଡ଼, ନେପାଳି  ହଟିଂ, ମୁଖାର୍ଜୀ ହାତିଂ, ଆଜାଦ ବସ୍ତି, ବାଚୁ ହଟିଂ, ସହିଦ ନଗର, ହନୁମାନ ହଟିଂ, ହୁଡ଼ି ସାହି,  ବନେଇକଳା କମାର ଯୋଡ଼ା , ବାଂଶପାଣି  ସହିତ  ବିଭିନ୍ନ ବସ୍ତି , ଯୋଡ଼ା ବଜାର ଓ ଛକ ଗୁଡିକରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦଳ ଦଳ ବୁଲା କୁକୁର ବୁଲୁଛନ୍ତି।

କମାରଯୋଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୨ ମସିହା ଅକ୍ଟୋବର ମାସରେ ୧୧ ଜଣ ,  ନଭେମ୍ବର ମାସରେ ୩୫ ଜଣ, ଡିସେମ୍ବର ମାସରେ ୩୬ ଜଣ ଏବଂ ୨୦୨୩  ମସିହା ଜାନୁଆରି ମାସରେ ୩୯ ଜଣ, ଫେବ୍ରୁଆରି ମାସରେ ୩୪ ଜଣ, ମାର୍ଚ୍ଚ ମାସରେ ୫୧ ଜଣ, ଏପ୍ରିଲ ମାସରେ ୩୨   ଜଣ, ମେ ମାସରେ ୩୬ ଜଣ ଓ ଜୁନ ମାସ ୧୬ ତାରିଖ ମଧ୍ୟରେ ୧୯ ଜଣଙ୍କୁ କୁକୁର କାମୁଡ଼ିଥିବାରୁ  ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବହୁ ଶିଶୁ ରହିଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଯୋଡ଼ା ପୌର ପାଳିକା ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଅଭିଷେକ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସହରରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିଯାଇଛି। ବୁଲା କୁକୁରଙ୍କ ପାଇଁ ସରକାରୀ ସ୍ତରରେ ରହିଥିବା ଗାଇଡ ଲାଇନ ଅନୁଯାୟୀ ପୌରପାଳିକା ବ୍ୟବସ୍ଥା କରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର