ପରିବହନକୁ ନେଇ ଚାଲିଛି ଛକାପଞ୍ଝା: ଦୋ ଛକିରେ ନିରୀହ ଆଦିବାସୀ ଶ୍ରମିକ

ଶାନ୍ତିଶୃଙ୍ଖଳା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ

କୋଇଡ଼ା: କୋଇଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଓଏମ୍‌ସି ଖଣିରେ ପରିବହନ ଓ କାମକୁ ନେଇ ଅଶାନ୍ତି ଦେଖାଦେଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ତେ​ବେ ଖଣିରେ ପରିବହନ ସ୍ବାଭାବିକ ଥିଲେ ମଧ୍ୟ ଶତାଧିକ ଶ୍ରମିକ ନିଜର ହକ୍ ପାଇଁ ବିକ୍ଷୋଭ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଖଣି ନିଗମ ଅନ୍ତର୍ଗତ କୁରମିତର ଖଣ୍ଡାଧାର ଲୌହଖଣିରେ ୮ଟି ପରିବହନ ସଂସ୍ଥା କାର୍ଯ୍ୟରତ ଥିଲେ। ଗତବର୍ଷ ଜୁଲାଇରେ ଗୋଟିଏ ନୂଆ ପରିବହନ ସଂସ୍ଥାକୁ ପରିବହନ ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ପୂର୍ବରୁ ନିଯୁକ୍ତ ପରିବହନ ସଂସ୍ଥା ଏହାର ପ୍ରତିବାଦ କରିଥିଲେ। ଏହାକୁ ବଳ ଦେଇଥିଲେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ରାଉରକେଲା ବିଧାୟକ ସାରଦା ନାୟକ। ୪ ଦିନର ପ୍ରତିବାଦ ପରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା। ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ହୋଇ ନିଯୁକ୍ତି, ପାରିପାର୍ଶ୍ବିକ ଉନ୍ନତି ସହିତ ଯାହା ଯେପରି ଚାଲୁଥିଲା ସେମିତି ଚାଲିବ ବୋଲି ନିଷ୍ପତ୍ତି ନିଆଗଲା ଓ ଲିଖିତ ଚୁକ୍ତି ସ୍ଵାକ୍ଷର ହେଲା। ଏହାପରେ ସବୁକିଛି ଠିକ୍‌ଠାକ୍ ଚାଲିଥିଲା। ତେବେ ଗତ ମଙ୍ଗଳବାରଠାରୁ ପୂର୍ବର ନୂଆ ପରିବହନ ସଂସ୍ଥା ଖଣି କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ପାଇ ପରିବହନ ଆରମ୍ଭ କରିଛି। କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ଉଚ୍ଚାଧିକାରୀଙ୍କ ଅଧୀନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଅନ୍ୟପକ୍ଷରେ ଶତାଧିକ ଶ୍ରମିକ ନିଜର ହକ୍ ଦାବିକରି ୩ ମାସ ହେଲା ଖଣି କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ବିକ୍ଷୋଭ ଜାରି ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ଶ୍ରମିକମାନେ ଖଣିରେ ମାନୁଆଲ୍‌ ଭାବେ ନିୟୋଜିତ ଥିଲେ। କିନ୍ତୁ ଯାନ୍ତ୍ରିକ କୌଶଳରେ ଖଣି ପରିବହନ ଓ କାମ ହେଉଥିବାରୁ ୩ ମାସ ହେବ ସେମାନଙ୍କୁ ବସାଇ ଦିଆଯାଇଛି। ସେମାନଙ୍କୁ ମିଳିଥିବା ପ୍ରତିଶ୍ରୁତି ପୂରଣ ହେବା ସହ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ଥଇଥାନ କରାଯିବାକୁ ଦାବିକରି ସେମାନେ ବିକ୍ଷୋଭ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର