ବନ୍ୟାରେ ଭାଙ୍ଗି ଯାଇଥିବା ଘର ସଜାଡ଼ିବାକୁ ଋଣ କରିଥିଲେ, ସବୁ ଲୁଟିନେଲେ ସାଇବର ଠକ

ରାଉରକେଲା: ଏକ ବେସରକାରୀ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ ଚାକିରି କରିବେ ବୋଲି ଭଦ୍ରକ ଧାମନଗରରୁ ୪୦୦ କିଲୋମିଟର୍‌ ଦୂର ରାଉରକେଲା ସହରକୁ ଚାଲି ଆସିଥିଲେ ସତ୍ୟସୁନ୍ଦର ମିଶ୍ର। ଚାକିରିରୁ ଟଙ୍କା ସଞ୍ଚୟ କରି ଘର ମରାମତି କରିବେ ବୋଲି ଆଶା ବାନ୍ଧିଥିଲେ। ସବୁ ବର୍ଷ ପରି ଏଥର ମଧ୍ୟ ଲଘୁଚାପ ବର୍ଷାରେ ବନ୍ୟା ପାଣି ପଶି ତାଙ୍କ ଘର ଭାଙ୍ଗିରୁଜି ଯାଇଛି। ଚାକିରିରୁ ମିଳୁଥିବା ଟଙ୍କାରେ ଘର ମରାମତି ସମ୍ଭବ ହେଲାନି। ଘର କରିବେ ବୋଲି ଗତ ମାସରେ ଏକ ବ୍ୟାଙ୍କରୁ ଲକ୍ଷେ ୧୦ ହଜାର ଟଙ୍କା ଋଣ କରିଥିଲେ। ଋଣ ଟଙ୍କା ବ୍ୟତୀତ କ୍ରେଡିଟ୍ କାର୍ଡରୁ ଉଠାଇ ୪୦ ହଜାର ଓ ଦରମାରୁ ସଂଚିତ ୮ ହଜାରକୁ ମିଶାଇ ମୋଟ ଲକ୍ଷେ ୫୮ ହଜାର ଟଙ୍କା ବ୍ୟାଙ୍କରେ ରଖିଥିଲେ। ଅଗଷ୍ଟ ଶେଷ ସପ୍ତାହ ବେଳକୁ ଗାଁ’କୁ ଯାଇ ଘର ତିଆରି କରିଥାନ୍ତେ। ହେଲେ ଅନ୍‌ଲାଇନ୍‌ ଲୁଟେରା ଦଳ ତାଙ୍କ ବ୍ୟାଙ୍କ ଖାତାରେ କଳାକନା ବୁଲାଇ ଦେଇଛନ୍ତି। ଟଙ୍କା ବଢ଼ିବ ବୋଲି ଲୋଭ ଦେଖାଇ ସବୁ ଟଙ୍କା ଖାଲି କରି ଦେଇଛନ୍ତି। ଠକାମିର ଶିକାର ହୋଇଥିବା ଭଦ୍ରକ ଧାମନଗର ଅଞ୍ଚଳର ସତ୍ୟସୁନ୍ଦର ମିଶ୍ର (୨୮) ରଘୁନାଥପାଲି ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ୦୨୪୫/୨୦୨୩ରେ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ କରୁଛି। ଏହି ଘଟଣା ପରେ ସତ୍ୟସୁନ୍ଦରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଘର କରିବା ତ’ ଦୂରେ ଥାଉ, ନିଜ ଋଣ କେମିତି ପରିଶୋଧ କରିବେ ତାହା ଚିନ୍ତା କରି ମୁଣ୍ଡରେ ହାତଦେଇ ବସିଛନ୍ତି।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଜଣେ ଅଜଣା ଯୁବତୀ ସତ୍ୟଙ୍କ ସହ ହ୍ବାଟ୍‌ସଆପ୍‌ରେ ଯୋଗାଯୋଗ କରି କିପରି ଟଙ୍କା ରୋଜଗାର କରିହେବ ସେ ସଂପର୍କରେ ଜଣାଇଥିଲେ। ଠକ ଯୁବତୀଙ୍କ ମେସେଜ୍‌ରେ ଲେଖାଥିଲା ଯେ, ସେ ସତ୍ୟଙ୍କୁ ଏକ ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଯୋଡ଼ିବେ। ସେହି ଗ୍ରୁପରେ ଏକ ଓ୍ବେବ୍‌ସାଇଟ୍‌ ଲିଙ୍କ୍ ଆସିବ। ସେ ଲିଙ୍କ୍‌କୁ ଖୋଲିବା ପରେ ସେଥିରେ କିଛି ଭଲ କଥା ଲେଖିବେ। ଯାହା ଲେଖିଥିବେ ୩ଟି ସ୍କ୍ରିନ୍‌ସଟ୍‌ ଫଟୋକୁ ସେହି ଟେଲିଗ୍ରାମ୍‌ ଗ୍ରୃପ୍‌ରେ ପକାଇଲେ ପ୍ରଥମେ ୩୦ ଟଙ୍କା ମିଳିବ। ତା’ପରେ ୩ଟି ଫଟୋ ପକାଇଲେ ୯୦ ଟଙ୍କା ଓ ପରେ ୨୧୦ ଟଙ୍କା ମିଳିବ। ଠକ ଯୁବତୀଙ୍କ ସବୁ ସର୍ତ୍ତରେ ରାଜି ହୋଇ ସତ୍ୟ ପ୍ରଥମ ପର୍ଯ୍ୟୟରେ ୨୧୦ ଟଙ୍କା ପାଇଥିଲେ। ଏହାପରେ ଲୋଭରେ ପଡ଼ି ସାଇବର୍‌ ଲୁଟେରାଙ୍କ ଜାଲରେ ଫଶି ଯାଇଥିଲେ। ଏହାପରେ ବିଭିନ୍ନ ପ୍ରକାର କଥା କହି ଯୁବତୀ ଜଣକ ପୂରା ଲକ୍ଷେ ୫୮ ହଜାର ଲୁଟିନେଇ ସତ୍ୟଙ୍କ ଆକାଉଣ୍ଟ ଖାଲି କରି ଦେଇଥିଲେ।

ସମ୍ବନ୍ଧିତ ଖବର