ସିରିଜ ଟ୍ରକ୍‌ ଦୁର୍ଘଟଣାରେ ଡ୍ରାଇଭର ମୃତ

ରଗଡ଼ି: କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବନ୍ଦୀଛକ ଓ କଣ୍ଟାଝରିଗଡ଼ ମଧ୍ୟରେ ଥିବା ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଶୁକ୍ରବାର ରାତି ୧୨ ଟାରେ ତିନିଟି ଟ୍ରକ୍‌ ସିରିଜ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଶଗଡ଼ି ଗ୍ରାମର ଇସଲାମ ଖାଁ (୩୬)। ଅନ୍ୟ ଏକ ଟ୍ରକ୍‌ର ଚାଳକ ଓ ଖଲାସୀ ଆହତ ହୋଇଛନ୍ତି। ତିନିଟି ଯାକ ଟ୍ରକ୍‌ କେନ୍ଦୁଝରରୁ ଲୁହାପଥର ଗୁଣ୍ଡ ବୋଝେଇ କରି ପାରାଦୀପ ଅଭିମୁଖେ ଯାଉଥିଲେ। ପୂର୍ବରୁ ଠିଆହୋଇଥିବା ଟ୍ରକ (ଓଡି୨୯ ଡି ୪୨୧୫)କୁ ପଛରୁ ଆସୁଥିବା (ଓଡି୦୯ ଜି ୦୫୧୫) ଟ୍ରକ ଧକ୍କା ଦେଇଥିଲା। ଫଳରେ ଏହାର ଚାଳକ ଜି. ସିଂହଙ୍କ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଛି।

ଖଲାସୀଙ୍କ ମୁଣ୍ଡ ଫାଟିଯାଇଛି। ଏହାର କିଛି ସମୟ ପରେ ଅନ୍ୟ ଏକ ଟ୍ରକ (ଓଡି ୦୪ କ୍ୟୁ ୪୦୧୮) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ୍‌ର ପଛପଟୁ ଖୁବ୍‌ ଜୋରରେ ଧକ୍କା ଦେଇଥିଲା। ଫଳରେ ଚାପିହୋଇ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଯାଜପୁରରୋଡ ଦମକଳ କର୍ମଚାରୀ ପହଞ୍ଚି କଟରରେ କାଟି ତାଙ୍କୁ ବାହାର କରିଥିଲେ। ଖବର ପାଇ କୋରେଇ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଶବ ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ପଠାଇ ୧୬୯/୨୩ ରେ ଏକ ମାମଲା ରୁଜୁ କରାଯାଇଛି। ରାତିରେ ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା ଘଟିଥିବାରୁ ଏଥିପ୍ରତି ପୁଲିସ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର