ଆଦିବାସୀଙ୍କ ପ୍ରତି ସରକାରଙ୍କ ଉଦାସୀନତା ଯୋଗୁଁ ଭୋଟ ବର୍ଜନ ଚେତାବନୀ

ରାଇରଙ୍ଗପୁର: ରାଇରଙ୍ଗପୁର ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ଗ୍ରାମ ପଞ୍ଚାୟତ ଓ ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପଞ୍ଚାୟତର ଲୋକମାନେ ତାଙ୍କ ଅଞ୍ଚଳ ପ୍ରତି ସରକାରୀ କଳର ଉଦାସୀନତା ଓ ବୈମାତୃକ ମନୋଭାବ ପ୍ରତିବାଦରେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚଢେଇପାହାଡି ବିକାଶ ମଞ୍ଚ ଓ ଓଡିଶା ଗ୍ରାମୀଣ କୃଷି ମଜଦୁର ସଂଘ ବିଜାତଳା ଶାଖା ପକ୍ଷରୁ ସଭାପତି ନିଗମାନନ୍ଦ ପଟ୍ଟନାୟକଙ୍କ ନେତୃତ୍ବରେ ଚଢେଇପାହାଡିଠାରେ ଏକ କର୍ମୀ ବୈଠକରେ ସମୂହନିଷ୍ପତ୍ତି କ୍ରମେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି | ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହିସବୁ ଆଦିବାସୀ ଅଞ୍ଚଳକୁ ସର୍ବନିମ୍ନ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇ ପାରିନାହିଁ | ଉକ୍ତ ଅଞ୍ଚଳରେ ବିଶେଷ ଭାବେ ମୁଣ୍ଡା, ମାଝୀ, ମୁଣ୍ଡାରୀ, ଭୂମିଜ ଓ ସାନ୍ତାଳ ଜାତିର ଆଦିବାସୀ ମାନେ ବସବାସ କରୁଛନ୍ତି | ୧୯୮୮ ମସିହାରୁ ଅଞ୍ଚଳର ଉନ୍ନତି ପାଇଁ ଶ୍ରମିକନେଚା ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଅଞ୍ଚଳର ୨୫ଟି ଗ୍ରାମର ଗ୍ରାମବାସୀମାନେ ଚଳିତ ନିର୍ବାଚନରେ ଏହାର ଉଚିତ୍ ଜବାବ ନେବେ ବୋଲି ଚେତାବନୀ ଦେଇଛନ୍ତି | ନିର୍ବାଚନ ସମୟରେ ପ୍ରତି ନିର୍ବାଚନରେ ମିଥ୍ୟା ପ୍ରତିଶୃତି ଦେଇ ବିଭିନ୍ନ ଦଳର ନେତାମାନେ ଏ ଅଞ୍ଚଳ ପ୍ରତି ଉଦାସୀନତା ମନୋଭାବ ପୋଷଣ କରୁଛନ୍ତି | ନିର୍ବାଚନ ସରିବା ପରେ ଏ ଅଞ୍ଚଳକୁ କୌଣସି ସାଂସଦ, ବିଧାୟକ ତଥା ଅଫିସରମାନଙ୍କର ଦେଖା ନ ଥାଏ | ଏ ଅଞ୍ଚଳର ରାସ୍ତାଘାଟ, ଶିକ୍ଷା, ଜଳସେଚନ, ପାନୀୟଜଳ, କୃଷି ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ | ଏ ଅଞ୍ଚଳର ବିଶେଷ ଦାବିଗୁଡିକ ହେଲା – ଚଢେଇପାହାଡି-ସାରସକଣା ରାସ୍ତା ସଂମ୍ପୂର୍ଣ୍ଣ କରିବା, ଦୀର୍ଘଦିନ ହେବ ମୋବାଇଲ୍ ଟାୱାର ପୋତା ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହଁ, ଫଳରେ ଏଠିକାର ଶିକ୍ଷିତ ଯବକମାନଙ୍କର ପାଠପଢାରେ ବାଧା ସୃଷ୍ଟି ହେଉଛି । ବହୁ ସମୟରେ ଦେଖାଯାଏ, ସେମାନେ ଗଛ ଉପରେ କିମ୍ବା ଡୁଙ୍ଗୁରୀ ଉପରେ ଅବା ବିଭିନ୍ନ ଉଚ୍ଚ ସ୍ଥାନକୁ ଯାଇ ଟେଲିଫୋନ କରିଥାନ୍ତି | ଏ ଅଞ୍ଚଳର ଉନ୍ନତି ପାଇଁ ରେଳୱେର କାମ ହୋଇପାରୁନାହିଁ |

ବହୁଦିନରୁ ଦାବି କରି ଆସୁଥିବା ଗୋରୁମହିଷାଣୀ- ଚଢେଇପାହାଡି-ବାଙ୍ଗିରିପୋଷି ସଂଯୋଗୀକରଣ ଓ ବାଦାମପାହାଡ- କେନ୍ଦୁଝର ସଂଯୋଗୀକରଣ ପାଇଁ ଅଦ୍ୟାବଧି ଅନୁଦାନ ମିଳିପାରିନାହିଁ । ପଞ୍ଚାୟତରେ ଗୋଟିଏ ମାତ୍ର ପଶୁ ଡାକ୍ତରଖାନା (ଏଲ୍ .ଆଇ ସେଣ୍ଟର) ଖୋଲିଥିଲେ ମଧ୍ୟ ଏଠାରେ ପଶୁ ଡାକ୍ତର କିମ୍ବା କର୍ମଚାରୀ କେହି ନ ଥିବାରୁ ଦୀର୍ଘଦିନ ହେବ ବନ୍ଦ ହୋଇ ରହିଛି । ଏହି ପଞ୍ଚାୟତରେ ଜନସାଧାରଣଙ୍କ ସୁବିଧା ପାଇଁ ପୋଷ୍ଟ ଅଫିସ ମଧ୍ୟ ନାହିଁ | ଚଢେଇପାହାଡିରୁ ଗୋରୁମହିଷାଣୀ ରାସ୍ତାରେ ଭୀମଖନ୍ଦା ଠାରେ ୫ ବର୍ଷ ହେବ ବିଜୁ ସେତୁ ଆରମ୍ଭ ହୋଇଥିଲେ ମଧ୍ୟ , ତାର ନିର୍ଦ୍ଦିଷ୍ଟ ସମୟସୀମା ଅତିକ୍ରମ କରିଥିଲେ ମଧ୍ୟ , ସେ କାର୍ଯ୍ୟ ଅଧାପନ୍ଥାରିଆ ହୋଇ ପଡିରହିଛି । ଏ ଅଞ୍ଚଳ ବଣପାହାଡ ଘେରା ହୋଇଥିବାରୁ ଏଠାରେ ପାନୀୟ ସମସ୍ୟା ବଡ ସମସ୍ୟା ଦେଖାଯାଇଥାଏ | ଆର୍ ଡ୍ବ୍ଲୁଏସ୍ ଏସ୍ ପକ୍ଷରୁ ରେଙ୍ଗାଲବେଡା, ଗୋବିନ୍ଦପୁର, ପାହାଡପୁର, ଭୀମଖନ୍ଦା, କଙ୍କଡାବେଡା, ଜାମପାଣି ଓ ଚଢେଇପାହାଡି ଠାରେ ପାନୀୟ ଜଳ ସଂଯୋଗ ହୋଇ ନ ଥିବାରୁ ଚଳିତ ବର୍ଷ ପ୍ରବଳ ଗରମ ହେତୁ ଜନସାଧାରଣ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଓ ବହୁ ଗ୍ରାମରେ ସୋଲାର ଟାଙ୍କି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ଚାଷୀମାନଙ୍କ ପାଇଁ ଥିବା ଏମ୍ ଆଇ ପି ପ୍ରଜେକ୍ଟର ଚେକଡେମ୍ ଗୁଡିକ ବିଭିନ୍ନ ସ୍ଥାନରେ ଭାଙ୍ଗିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ , ସେହିପରି ଭାଦଇଚଟାଣୀ ରେ ଥିବା ଏମ ଆଇ ପି ଅର୍ଦ୍ଧନିର୍ମିତ ଭାବେ ପଡିରହିଛି । ରେସନକାର୍ଡ ହିତାଧିକାରୀମାନେ ଚଢେଇପାହାଡି ପଞ୍ଚାୟତକୁ ଚାଉଳ, ଗହମ ଓ କିରୋସିନ ନେବାକୁ ଆସିଲା ବେଳେ , ସେମାନେ ତିନି ଚାରି କିଲୋମିଟର ଦୂରକୁ ଯାଇ ଟିପ ଚିହ୍ନ ଦେବା ପରେ ,ପୁଣି ଚଢେଇପାହାଡି ଆସି ତାଙ୍କର ରେସନ ସାମଗ୍ରୀ ନେଇଥାନ୍ତି । ଏହାଦ୍ବାରା ହିତାଧିକାରୀମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୫ଟି ପକ୍ଷରୁ ଲକ୍ଷ୍ମୀ ବସ, ଏ ଅଞ୍ଚଳରେ ଚାଲୁଥିଲେ ମଧ୍ୟ ପେସେଞ୍ଜର ନ ହେଲେ ଅଧା ବାଟରୁ ଫେରିଯାଉଛି | ପଞ୍ଚାୟତରେ ଗୋଟିଏ ମାତ୍ର ହାଇସ୍କୁଲ ଥିଲେ ମଧ୍ୟ, +୨ କଳା ଖୋଲାଯାଇ ପାରିନାହିଁ ।

ହାଇସ୍କୁଲରେ ବାଳକ ଛାତ୍ରାବାସ ଖୋଲିବା ପାଇଁ ଦୃଢଦାବି ହେଉଛି । ଶିକ୍ଷା ଦିଗରେ ୫ଟି ସଚୀବ ବହୁ କଥା କହୁଥିଲେ ମଧ୍ୟ , ଏଠାରେ ଥିବା ରଙ୍ଗାମାଟିଆ ଓ ଟିଆକାଠିରେ ଥିବା ସ୍କୁଲ ଉଠାଇ ଦେବା ଫଳରେ , ଏଠିକାର ପିଲାମାନେ ଦୀର୍ଘ ତିନି ଚାରି କିଲୋମିଟରରେ ଥିବା ସ୍କୁଲକୁ ଯାଇ ପାଠ ପଢିବା ସମ୍ଭବ ନୁହେଁ । ତେଣୁ ଏହି ଦୁଇଟି ବିଦ୍ୟାଳୟକୁ ତୁରନ୍ତ ଖୋଲିବାକୁ ଦାବି ହେଉଛି | ବର୍ତ୍ତମାନ ପାନୀୟ ଜଳ ସଂକଟରୁ ରକ୍ଷା ପାଇବା ପାଇଁ ଲୋକେ ଗାଁରୁ ଦୂରରେ ଥିବା ନାଳ, ପୋଖରୀ ଓ ଚୁଆମାନଙ୍କରୁ ପାଣି ସଂଗ୍ରହ କରି ପିଉଛନ୍ତି | ଫଳରେ, ଏ ଅଞ୍ଚଳରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଉଛି | ଡିମିରିକୁଦର ଓ ଭୀମଖନ୍ଦା ଗ୍ରାମ ରାସ୍ତାଗୁଡିକ ମେଟାଲ କିମ୍ବା ପିଚୁ ନ ହୋଇ ପଡିରହିଛି | ଏ ସମସ୍ତ ଦାବି ନେଇ ବିଡିଓ, ଉପଜିଲ୍ଲାପାଳ ତଥା ନିର୍ବାଚିତ ସରପଞ୍ଚ, ବିଧାୟକ, ସାଂସଦଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏ ଅଞ୍ଚଳ ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିବାରୁ , ଏ ଅଞ୍ଚଳବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ଗୋରୁମହିଷାଣୀ, ବିଜାତଳା ଓ ରାଇରଙ୍ଗପୁର ଡାକ୍ତରଖାନା ନେବା ପାଇଁ ଯୋଗାଯୋଗ କଲେ ମଧ୍ୟ ଗ୍ରାମରାସ୍ତା ଖରାପ ଥିବାରୁ ଗାଡି ଅଧା ବାଟ ପର୍ଯ୍ୟନ୍ତ ଯାଇ ରହିଥାଏ । କେବଳ ସରକାର ଓ ନିର୍ବାଚିତ ନେତୃବୃନ୍ଦ ଆଦିବାସୀଙ୍କ ଉନ୍ନତି ନାଁରେ କୁମ୍ଭୀରକାନ୍ଦଣା କାନ୍ଦି ସେମାନଙ୍କ ପାଇଁ ଆସୁଥିବା ଅର୍ଥକୁ ହରିଲୁଟ କରାଯାଉଛି ବୋଲି ବୈଠକରେ ଅଭିଯୋଗ ହୋଇଥିଲା । ଏହିସବୁ ଦାବିକୁ ବାରମ୍ବାର ଉପେକ୍ଷା କରିଚାଲିଥିବାରୁ ଜନଅସନ୍ତୋଷ ରୂପେ ଆନ୍ଦୋଳନ ରୂପ ନେବାକୁ ବସିଛି ,ଏହାର ପରିଣତି ସ୍ବରୂପ ଅଞ୍ଚଳବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମେ ୧୩ ରେ ବିଭିନ୍ନ ସମସ୍ୟା ନେଇ ଚଢେଇପାହାଡି ବିକାଶ ମଞ୍ଚ ଓ ଓଡିଶା ଗ୍ରାମୀଣ କୃଷି ମଜଦୂର ସଂଘ ପକ୍ଷରୁ ଏକ ଦାବୀପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର