୧୫ ଶହ ଟଙ୍କାରେ ବଙ୍ଗ ବେପାରୀଙ୍କ ହାତରେ ଚାନ୍ଦବାଲିରୁ ଚାଲାଣ ହେଉଛି ଧାନ ଫଟୋ

ଚାନ୍ଦବାଲି: ସରକାରୀ ଭାବେ ଜିଲ୍ଲାରେ ଖୋଲି ନାହିଁ ଧାନ କିଣା ପାଇଁ ମଣ୍ଡି। ମଣ୍ଡି ଖୋଲିବା ପୂର୍ବରୁ କିନ୍ତୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରୁ ବିଭିନ୍ନ ଚାଷୀଙ୍କଠାରୁ ବଙ୍ଗ ଦଲାଲମାନେ ବୋହି ନେଲେଣି ଟ୍ରକ୍ ଟ୍ରକ୍ ଧାନ। ରାସ୍ତା କଡ଼ରେ ବଙ୍ଗ ଦଲାଲଙ୍କ ଟ୍ରକ୍ ଲାଗିଛି। ବିଲରୁ ଧାନ କାଟିବା ପରେ ଚାଷୀଙ୍କ କ୍ଷେତରେ ଲାଗିଛି ଧାନ କଟା ଓ ଧାନ ପିଟା ମେସିନ । ମେସିନରେ ଧାନ ପିଟା ହେବାପରେ ବସ୍ତାରେ ଧାନ ଭର୍ତ୍ତି କରାଯାଇ ଟ୍ରକରେ ଧାନ ଲୋଡ କରାଯାଉଛି। ଚାଷୀଙ୍କଠାରୁ ଦଲାଲମାନେ କୁଇଣ୍ଟାଲ ପିଛା ୧୫୦୦ ଟଙ୍କାରୁ ୧୭୦୦ ଟଙ୍କାରେ ଧାନ ଉଠାଇ ନେଉଛନ୍ତି। ଚାନ୍ଦବାଲି ବ୍ଲକର ଖେରଙ୍ଗ, ଫିଗଛିଆ, ନାଲଗୋହିରା, ମତ୍ୟୋ, ଦୋଳ ମଣ୍ଡପ, ଚର୍ଡିଆ, ଯଶିପୁର, ସୁଭଡ଼ିଆ, ଜନ୍ତୁଆଲି, ନୂଆ ଗାଁ, ମହୁଲିଆ, ଉତ୍ କୁଡ଼ା, ସିଙ୍ଗିଟି, ବାଲିଗାଁ, କରଞ୍ଜ ମାଲ, ସାସିକା ଦେଇ ପୁରା, ଜଳେଶ୍ଵରପୁର ଆଦି ଗ୍ରାମରୁ ବଙ୍ଗ ବେପାରୀମାନେ ଚାଷୀଙ୍କ ଠାରୁ ଧାନ ନେଇ ଗଲେଣି।

କମ ମୂଲ୍ୟରେ ନଗଦ ଟଙ୍କା ଦେଇ ଦଲାଲ ଧାନ ଉଠାଇ ନେଉଛି। ଆରମ୍ଭରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଲାଣି । ଚାଷୀ କମ ମୂଲ୍ୟରେ ଦଲାଲକୁ ଧାନ ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଥିବାବେଳେ ପ୍ରଶାସନ ପକ୍ଷରୁ କିଛି ଅଙ୍କୁଶ ଲଗାଇ ନାହିଁ। ସରକାରୀ ଭାବରେ ଧାନ ମଣ୍ଡି ଖୋଲିଲା ବେଳକୁ ଅଧା ଧାନ ବାହାର ରାଜ୍ୟକୁ ଚାଲାଣ ହୋଇଯାଇଥିବା ନେଇ କିଛି ଚାଷୀ ନିଜର ମତ ଦେଇଛନ୍ତି। ଦିଗଛିଆର ଚାଷୀ ଅମର ରାଉତଙ୍କ କହିବା କଥା ହେଉଛି, ଘରୋଇ ଖର୍ଚ୍ଚ ପାଇଁ ଆମେ ବାଧ୍ୟ ହୋଇ ବାହାର ଦଲାଲଙ୍କ ହାତକୁ ଆମର ଧାନ କମ ମୂଲ୍ୟରେ ଟେକି ଦେବାକୁ ବାଧ୍ୟ ହେଉଛୁ।

ସମ୍ବନ୍ଧିତ ଖବର