ଜାକଲିନ ମୋଠାରୁ କେବଳ ଭଲପାଇବା ଚାହୁଁଥିଲେ… ଅଭିନେତ୍ରୀଙ୍କ କୌଣସି ଦୋଷ ନଥିବା କହି ଓକିଲଙ୍କୁ ଚିଠି ଲେଖିଲେ ସୁକେଶ

ମୁମ୍ବାଇ: ଶନିବାର ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅନ୍ତରୀଣ ଜାମିନ ଅବଧି ବଢ଼ାଇଦିଆଯାଇଥିଲା। ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଚାଲିଥିବା ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜାକ୍‌ଲିନ୍‌ ଫଣ୍ଡାଣ୍ଡିଜ୍‌ଙ୍କୁ ଗତ ମାସରେ ଅନ୍ତରୀଣ ଜାମିନ ମିଳିଥିଲା। ଶନିବାର ଏହାର ଅବଧିକୁ ବଢ଼ାଯାଇଥିଲେ ପଟିଆଲା ହାଉସ କୋର୍ଟ। ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୦ପର୍ଯ୍ୟନ୍ତ ବଢ଼ାଯାଇଛି। ତେବେ ଏମଧ୍ୟରେ ପୁଣି ଥରେ ଜାକଲିନଙ୍କୁ ସମର୍ଥନ କରି ନିଜ ଓକିଲଙ୍କ ପାଖକୁ ଚିଠି ଲେଖିଛନ୍ତି ସୁକେଶ। ଚିଠିରେ ଜାକଲିନଙ୍କ କୌଣସି ଦୋଷ ନଥିବା କହିଛନ୍ତି ସୁକେଶ।

ଲେଖିଥିବା ଚିଠିରେ ସୁକେଶ କହିଛନ୍ତି ଯେ, ମୁଁ ତାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ ତାଙ୍କୁ ଦାମୀ ଉପହାର ଦେଇଥିଲି। ୨୦୦କୋଟି ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ସେ ଏବିଷୟରେ କିଛି ବି ଜାଣିନଥିଲେ। ମୁଁ ତାଙ୍କୁ ଦେଇଥିବା ଉପହାର ପାଇଁ ଅର୍ଥ ହେରଫେର ହୋଇଥିବା ୨୦୦କୋଟି ଟଙ୍କାରୁ ଟଙ୍କାଟିଏ ବି ନେଇନାହିଁ। ଠକାମି ଟଙ୍କାରେ ମୁଁ ତାଙ୍କୁ ଉପହାର ଦେଇନଥିଲି। ଆଗରୁ ବି କହିଛି ଏବଂ ଏବେ ବି କହୁଛି ଜାକଲିନ ମୋତେ ଭଲପାଇବା ଦେବା ଛଡ଼ା ଆଉ କିଛି ବି ଦେଇନାହାନ୍ତି। ସେ ସବୁବେଳେ ମୋଠାରୁ କେବଳ ଭଲପାଇବା ଚାହୁଁଥିଲେ। ମୋତେ ଆଗକୁ ବଢ଼ିବାକୁ ସମର୍ଥନ କରିବା ସହ ମୋତେ ଭଲପାଇବା ଦେଇଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଜାକଲିନଙ୍କୁ ପିଏମଏଲଏ ମାମଲାରେ ଅଭିଯୁକ୍ତ କରାଯାଇଛି। ଆଗାମୀ ଦିନରେ ମୁଁ କୋର୍ଟରେ ଏହା ପ୍ରମାଣ କରିଦେବି ଯେ, ଏହି ମାମଲାରେ ଜାକଲିନ ଓ ତାଙ୍କ ପରିବାରର କୌଣସି ସମ୍ପୃକ୍ତି ନାହିଁ।

ସମ୍ବନ୍ଧିତ ଖବର