ଅଯୋଧ୍ୟା: ରାମାୟଣ ହେଉ କି ମହାଭାରତ କିମ୍ବା ଅନ୍ୟ କୌଣସି ପୌରାଣିକ ଗ୍ରନ୍ଥ, ଯାହାକୁ ନେଇ ଅନେକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳେ। ତେବେ, ଯେତେବେଳେ ପ୍ରଭୁ ରାମଙ୍କର ଭଉଣୀ କଥା ଶୁଣିବାକୁ ମିଳେ, ସେତେବେଳ ଆମ ଭିତରେ ତାଙ୍କ ବିଷୟରେ ଜାଣିବାକୁ ଉତ୍କଣ୍ଠା ବଢିଥାଏ, ହେଲେ ଯାହାକୁ ବହୁତ କମ୍ ଲୋକ ଜାଣନ୍ତି। ଏପରିକି ତାଙ୍କ ବିଷୟରେ ରାମାୟଣରେ ଉଲ୍ଲେଖ କରାଯାଇ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ପ୍ରଭୁ ରାମଙ୍କ ଭଉଣୀ କିଏ ଏବଂ କାହିଁକି ରାମାୟଣରେ ତାଙ୍କ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଯେତେବେଳେ ପ୍ରଭୁ ରାମ ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଅଯୋଧ୍ୟାବାସୀ ଆନନ୍ଦରେ ସମଗ୍ର ଅଯୋଧ୍ୟାକୁ ଦୀପ ଦ୍ୱାରା ସଜାଇ ଥିଲେ। କୁହାଯାଏ ଯେ ଯେ ସେବେଠାରୁ ଦୀପାବଳିକୁ ଆମେ ଆଲୋକର ପର୍ବ ଭାବେ ପାଳନ କରିଥାଉ। ରାମାୟଣରେ ରାଜା ଦଶରଥଙ୍କ ଚାରି ପୁଅ ରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ହେଲେ ତାଙ୍କ ଝିଅଙ୍କ ବିଷୟରେ ଉଲ୍ଲେଖ କରାଯାଇନାହିଁ । ପ୍ରକୃତ କଥା ହେଉଛି ପ୍ରଭୁ ରାମଚନ୍ଦ୍ରଙ୍କର ଭଉଣୀ ଥିବା କଥା ବାଲ୍ମିକୀଙ୍କ ରାମାୟଣର ଉଲ୍ଲେଖ କରାଯାଇ ନାହିଁ । ଦକ୍ଷିଣ ଭାରତର ରାମାୟଣ ଅନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ଭଉଣୀର ନାମ ଶାନ୍ତା ଥିଲା । ଶାନ୍ତା ରାଜା ଦଶରଥ ଏବଂ କୌଶଲ୍ୟାଙ୍କ ବଡ଼ ଝିଅ ଥିଲେ । ପିଲାଦିନରୁ ସେ ବେଦ ଏବଂ କାରିଗରୀ ଶିଳ୍ପରେ ପାରଙ୍ଗମ ଥିଲେ । ତେବେ, ତାଙ୍କ ପିଲାଦିନରେ ରାଜା ଦଶରଥ ଶାନ୍ତାଙ୍କୁ ଅଙ୍ଗଦେଶର ରାଜା ରୋମପାଦଙ୍କୁ ଦେଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଏକଦା ରାଜା ରୋମପାଦ ଏବଂ ତାଙ୍କ ପତ୍ନୀ ବାର୍ଷିଣୀ ଅଯୋଧ୍ୟାକୁ ଯାଇ ରାଜା ଦଶରଥ ଏବଂ କୌଶଲ୍ୟାଙ୍କୁ ଭେଟିଲେ। ରାଜା ରୋମପାଦ ଏବଂ ବାର୍ଷିଣୀଙ୍କର କୌଣସି ସନ୍ତାନ ନ ଥିଲେ, ତେଣୁ ସେମାନେ ରାଜା ଦଶରଥ ଏବଂ ତାଙ୍କ ପତ୍ନୀଙ୍କୁ ଶାନ୍ତାକୁ ନେବାକୁ କହିଥିଲେ। ଯେହେତୁ ଶାନ୍ତା ଜଣେ ଝିଅ ସେ ଅଯୋଧ୍ୟାର ସିଂହାସନରେ ବସି ରାଜ୍ୟର ଭାର ସମ୍ଭାଳି ପାରିବେନି, ତେଣୁ ରାଜା ଦଶରଥ ଶାନ୍ତାଙ୍କୁ ଦେବାକୁ ରାଜି ହୋଇଥିଲେ । କୌଶଲ୍ୟା ତାଙ୍କ ଭଉଣୀକୁ ନିରାଶ କରିବାକୁ ଚାହୁଁନଥିଲେ କି ଶାନ୍ତାଙ୍କୁ ପଠାଇବାକୁ ଚାହୁଁ ନଥିଲେ । ହେଲେ ଶେଷରେ ଶାନ୍ତା ତାଙ୍କ ସହ ଯିବାକୁ ରାଜି ହୋଇଥିଲେ । ଏବଂ ଏହିପରି ଶାନ୍ତା ଅଙ୍ଗ ଦେଶର ରାଜକୁମାରୀ ହେଲେ।
ଶାନ୍ତାଙ୍କ ବିବାହ ସମ୍ବନ୍ଧରେ ….
ଏକଦା ରାଜା ରୋମପାଦ ଶାନ୍ତାଙ୍କ ସହ ବାର୍ତ୍ତାଳାପରେ ବ୍ୟସ୍ତ ଥିଲେ । ସେହିସମୟରେ ଜଣେ ଗରିବ ବ୍ରାହ୍ମଣ ତାଙ୍କ ଦ୍ୱାରକୁ ଆସିଲେ ଏବଂ ବର୍ଷା ଲାଗି ହେଉଥିବା ଚାଷ ସମ୍ବନ୍ଧୀୟ ସମସ୍ୟା ତାଙ୍କ ସାମ୍ନାରେ ରଖିଥିଲେ । ହେଲେ ରାଜା ରୋମପାଦ ତାଙ୍କ କଥାକୁ ଆଦୌ ଧ୍ୟାନ ଦେଇନଥିଲେ। ଅସୁବିଧାରେ ପଡ଼ିଥିବା ବ୍ରାହ୍ମଣ କ୍ରୋଧରେ ରାଜ୍ୟ ଛାଡି ଚାଲିଗଲେ। କିନ୍ତୁ ଇନ୍ଦ୍ର ଦେବ ଗରିବ ବ୍ରାହ୍ମଣଙ୍କ ଅପମାନକୁ ସହ୍ୟ କରିପାରିନଥିଲେ । ଇନ୍ଦ୍ରଦେବଙ୍କ କ୍ରୋଧ କାରଣରୁ ଅଙ୍ଗ ଦେଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ରାଜା ରୋମପାଦ ଅତ୍ୟନ୍ତ ଚିନ୍ତିତ ହୋଇଥିଲେ । ଶେଷରେ ରାଜା ଋଷ୍ୟଶୃଙ୍ଗଙ୍କ ନିକଟକୁ ଯାଇ ମରୁଡ଼ି ପାଇଁ ଉପାୟ ପଚାରିଥିଲେ। ଋଷ୍ୟଶୃଙ୍ଗଙ୍କ କହିବା ଅନୁସାରେ ଅଙ୍ଗ ଦେଶରେ ବର୍ଷା ହୋଇଥିଲା ଏବଂ ଅଙ୍ଗ ଦେଶର ଭୂମି ସବୁଜିମାରେ ପରିଣତ ହୋଇଗଲା । ଏଥିରେ ସନ୍ତୁଷ୍ଟ ହୋଇ ରାଜା ରୋମପାଦ ତାଙ୍କ ପୋଷ୍ୟ କନ୍ୟା ଶାନ୍ତାଙ୍କୁ ଋଷ୍ୟଶୃଙ୍ଗଙ୍କ ସହ ବିବାହ କରାଇଥିଲେ।