୭ ଦିନରେ ‘ଦୃଶ୍ୟମ୍-୨’ର ବକ୍ସ ଅଫିସ୍‌ କଲେକ୍ସନ୍‌: ୧୦୦ କୋଟି ରୋଜଗାର ପାର୍ କଲା ଅଜୟଙ୍କ ଫିଲ୍ମ

ମୁମ୍ବାଇ: ବକ୍ସ ଅଫିସ୍‌ରେ କମାଲ କରୁଛି ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ୍-୨’। ଫିଲ୍ମଟି ଦ୍ବିତୀୟ ସପ୍ତାହ‌ରେ ୧୦୦ କୋଟିର ବେପାର ପାର୍‌ କରିଛି। ଅଜୟ ପୁଣି ଥରେ ସାବ୍ୟସ୍ତ କରି ଦେଇଛନ୍ତି ଯେ ସେ ୧୦୦ କ‌ୋଟି କ୍ଲବ୍‌ର ମାଷ୍ଟର୍‌। ତାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ୨ଟି ସପ୍ତାହ ମଧ୍ୟରେ ୧୦୦ କୋଟି ପାର୍‌ କରିଛି। ‘ଦୃଶ୍ୟମ୍-୨’ର ଏହି ନନ୍‌-ଷ୍ଟପ୍‌ ରୋଜଗାର କମ୍‌ ହେବାର ନାଁ ଧରୁନି। ଆଶା ଅନୁସାରେ ଚଳଚ୍ଚିତ୍ରଟି ପ୍ରଦର୍ଶନ କରିଚାଲିଛି। ରିଲିଜ୍‌ ହେବାର ପ୍ରଥମ ଦିନରୁ ହିଁ ଅଜୟଙ୍କ ଏହି ଫିଲ୍ମ ଚକା ଛକା ମାରିଚାଲିଛି।

ଫିଲ୍ମ ‘ଦୃଶ୍ୟମ୍-୨’ ପ୍ରଥମ ଦିନରେ ୧୫.୩୮କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୨୧.୫୯କୋଟି ଟଙ୍କା ଆୟ କରିଥିଲା। ପ୍ରଥମ ସପ୍ତାହନ୍ତରେ ଏହା ୬୪ କୋଟି ଟଙ୍କା ରୋଜଗାର କରି ‘ଭୁଲ୍‌ ଭୁଲେୟାଁ୨’ର ରେକର୍ଡ ଭଙ୍ଗ କରିଥିବା‌ ବେଳେ ଦ୍ବିତୀୟ ସପ୍ତାହରେ ୧୦୦ କୋଟିର ବେପାର କରିିଛି।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ଅଜୟ ଦେବଗନଙ୍କ ଚରିତ୍ରର ନାଁ ବିଜୟ ସଲଗାଓଁକର ଥିବା ବେଳେ ଫିଲ୍ମ ପାଇଁ ଅଜୟ ୩୦କୋଟି ନେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଅଭିନେତ୍ରୀ ତବୁ ଆଇଜି ମୀରା ଦେଶମୁଖ ଚରିତ୍ରରେ ନଜର ଆସିଥିବା ବେଳେ ସେ ଫିଲ୍ମ ପାଇଁ ୩.୫କୋଟି ନେଇଥିବା ସାମ୍ନାକୁ ଆସିଛି। ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଥିବା ଅକ୍ଷୟ ଖନ୍ନା ଫିଲ୍ମ ପାଇଁ ୨.୫କୋଟି ଟଙ୍କା ନେଇଥିବା ଜଣାପଡ଼ିଛି।

ତେବେ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍-୨’ ଅଭିନେତ୍ରୀ ଆଲିଆ ଭଟ୍ଟ, ଅକ୍ଷୟ କୁମାର, କାର୍ତ୍ତିକ ଆରୟନ, ରଣବୀର କପୁର ଏବଂ ରିତିକ ରୋଶନଙ୍କ ଚଳିତ ବର୍ଷ ରିଲିଜ ‌ହୋଇଥିବା ଫିଲ୍ମକୁ ପଛରେ ପକାଇଛି।

ସମ୍ବନ୍ଧିତ ଖବର