ଭଲ ଭୂମିକା ଖୋଜୁଛନ୍ତି ପାଭଲିନ୍‌, ‘ସୁଖୀ’ରେ ନିଜ ଚରିତ୍ରକୁ ନେଇ ଖୁସି ଅଛନ୍ତି

ଗତ ମାସରେ ଶୁଭମୁକ୍ତି ହୋଇଥିବା ହାସ୍ୟରସାତ୍ମକ ହିନ୍ଦୀ ଫିଲ୍ମ ‘ସୁଖୀ’ରେ ନଜରକୁ ଆସିଥିବା ଅଭିନେତ୍ରୀ ପାଭଲିନ୍‌ ଗୁଜରାଲ ନିଜ ପ୍ରଦର୍ଶନ ପାଇଁ ବେଶ ଖୁସି ଅଛନ୍ତି। ଅତି ହାଲକା ଢଙ୍ଗରେ ମହିଳାଙ୍କ ପାଇଁ ଏକ ବଳିଷ୍ଠ ବାର୍ତ୍ତା ଦେବାକୁ ଚାହୁଁଥିବା ଉକ୍ତ ଫିଲ୍ମରେ ପାଭଲିନ୍‌ ନିଜ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାକୁ ସକ୍ଷମ ହୋଇଛନ୍ତି। ଏଥିରେ ଅତ୍ୟନ୍ତ ଉତ୍ସାହିତ ହୋଇ ସେ କହିଛନ୍ତି, ‘ଏହି ଚଳଚ୍ଚିତ୍ର ପାଇଁ ମୋତେ ଅଦ୍ଭୁତପୂର୍ବ ପ୍ରତିକ୍ରିୟାମାନ ମିଳିବାରେ ଲାଗିଛି। ଏହା ଏକ ଅତ୍ୟନ୍ତ ପାରିବାରିକ, ହାଲକା, ମଧୁର ହୃଦୟର ସିନେମା ହୋଇଥିବାରୁ ଚର୍ଚ୍ଚିତ ହେବାରେ ଲାଗିଛି। ଯେଉଁ ମହିଳାମାନେ ନିଜ କଥା ଭୁଲିଯାଇ ପୂରା ପରିବାରର ଯତ୍ନ ନେବାରେ ନିଜକୁ ସମର୍ପି ଦେଇଥା’ନ୍ତି, ସେମାନଙ୍କ ଜୀବନକୁ ଏଥିରେ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି।

ପ୍ରତ୍ୟେକ ମହିଳା, ଏପରିକି ପୁରୁଷ ମଧ୍ୟ, ପରିବାରର ସମସ୍ତଙ୍କର ନିଜସ୍ବ ବ୍ୟକ୍ତିତ୍ବ ରହିବା ବାଞ୍ଛନୀୟ ଏବଂ ପରିବାର ହିସାବରେ ସମସ୍ତେ ପରସ୍ପରର ଭାବନାକୁ ସମର୍ଥନ କରିବା ସହ ଯତ୍ନବାନ ହେବା ମଧ୍ୟ ଆବଶ୍ୟକ। ଏହା ହିଁ ହେଉଛି ଏହି ଫିଲ୍ମଟିର କଥାବସ୍ତୁ।’ ତେବେ ସେ କେଉଁ ଭଳି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରନ୍ତି ବୋଲି ପ୍ରଶ୍ନରେ ପାଭଲିନ୍‌ ଏବେ ବିଶେଷ କରି ବିଷୟବସ୍ତୁ ଆଧାରିତ ଭୂମିକାକୁ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି। ଅତୀତରେ ତାଙ୍କ ଅଭିନୀତ ଚରିତ୍ରଗୁଡ଼ିକ ମୁଖ୍ୟତଃ ବିଷୟବସ୍ତୁ ଆଧାରିତ ଏବଂ ମହିଳା କୈନ୍ଦ୍ରିକ ହୋଇଥିବା ସେ ଦର୍ଶାଇଛନ୍ତି। ସେହିପରି ବ୍ୟକ୍ତିଗତ ଓ ପେସାଗତ ଜୀବନରେ ତାଳମେଳ ରଖିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଜଣେ ଘରେ ଥିଲା ବେଳେ ଯେପରି ଘରୋଇ କଥାରେ ନିଜକୁ ସାମିଲ କରିଦେବା ଦରକାର, ସେହିପରି କାମ କଲାବେଳେ ନିଜକୁ କାମ ପ୍ରତି ସଂପୂର୍ଣ୍ଣ ଉତ୍ସର୍ଗ କରିଦେବା ଜରୁରୀ ବୋଲି ତାଙ୍କ ମତ। ଏଥି ସହିତ ଜଣେ ସ୍ବାଧୀନ ମହିଳା ଭାବରେ ଜୀବନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର