ଅଲଟ୍ରାସାଉଣ୍ଡ ପାଇଁ ଜଗିବାକୁ ପଡିବ ୨ ବର୍ଷ: ଏମ୍ସ ନୂଆଦିଲ୍ଲୀରେ ଏଭଳି ଅବସ୍ଥାକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଅଲଟ୍ରାସାଉଣ୍ଡ ଓ ଏମାରଆଇ ପାଇଁ ଜଗିବାକୁ ପଡିବ ୨ ବର୍ଷ | ଯଦି ଆପଣ ଦିଲ୍ଲୀ ଏମ୍ସରେ ଅଲଟ୍ରାସାଉଣ୍ଡ କରିବାକୁ ଚାଁହୁଛନ୍ତି ତେବେ ହାତରେ ଏତିକି ସମୟ ରଖିବାକୁ ପଡିବ | ବାସ୍ତବରେ ଏମଆରଆଇ ପରୀକ୍ଷା ପାଇଁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) କୁ ଆସୁଥିବା ରୋଗୀଙ୍କୁ ୨୦୨୬ ତାରିଖ ଦିଆଯିବା ପରେ ଏହି ଚର୍ଚ୍ଚା ଜୋର ଧରିଛି | ଏମ୍ସରେ ଅଲଟ୍ରାସାଉଣ୍ଡ ପାଇଁ ଜଣେ ରୋଗୀଙ୍କୁ ଜାନୁଆରୀ ୨୦୨୫ ତାରିଖ ଦିଆଯାଇଥିଲା | ଏହାପୂର୍ବରୁ ଦିଲ୍ଲୀର ଲୋକ ନାୟକ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ପାଇଁ ଦିଲ୍ଲୀ ସରକାର ୨୦୨୬ ତାରିଖ ପ୍ରଦାନ କରୁଥିବା ନେଇ ଏକ ମାମଲା ସାମ୍ନାକୁ ଆସିଥିଲା। ଏହାକୁ ନେଇ ରୋଗୀମାନେ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଏମ୍ସକୁ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି। ଜଣେ ବ୍ୟକ୍ତି ତାଙ୍କ ମା’ଙ୍କର ମେଡିକାଲ ରିପୋର୍ଟ ସେୟାର କରି ଲେଖିଛନ୍ତି – ମୋ ମା ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଛନ୍ତି |

ସେଠାରେ ଥିବା ଡାକ୍ତରମାନେ ଏମଆରଆଇ ମାଗିଥିଲେ। ଯେତେବେଳେ ମାଙ୍କୁ ପରୀକ୍ଷା ପାଇଁ ନିଆଯାଇଥିଲା, ଏମାରଆଇ ପାଇଁ ଦିଆଯାଇଥିବା ତାରିଖ ଫେବୃଆରୀ ୨, ୨୦୨୬ ଥିଲା | ବ୍ୟକ୍ତିଜଣକ ପଚାରିଛନ୍ତି – ଯେତେବେଳେ ୨୦୨୬ରେ ଏମାରଆଇ କରାଯିବ, ତେବେ ମା’ଙ୍କ ଚିକିତ୍ସା କେବେ ଆରମ୍ଭ ହେବ ? ସେତେବେଳକୁ ମୋ ମାଙ୍କର ଅବସ୍ଥା ତ ଆହୁରି ଖରାପ ହୋଇଯାଇଥିବ | ଦିଲ୍ଲୀର ମୟୂର ବିହାରର ଅନ୍ୟ ଜଣେ ରୋଗୀ, ଯିଏ ଏମ୍ସର ମେଡ଼ିସିନ ବିଭାଗରେ ଚିକିତ୍ସିତ ହେଉଛନ୍ତି, ସେ କହିଛନ୍ତି ଯେ ଏମ୍ସର ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ କହିଥିଲେ। ଯେତେବେଳେ ସେ ଅଲଟ୍ରାସାଉଣ୍ଡ ପାଇଁ ଯାଇଥିଲେ, ତାଙ୍କୁ ଜାନୁଆରୀ ୩, ୨୦୨୫ ତାରିଖ ଦିଆଯାଇଥିଲା | ସେ କହିଛନ୍ତି ଯେ ଅଲଟ୍ରାସାଉଣ୍ଡ ଗୋଟିଏ ଦିନ ମଧ୍ୟରେ କରାଯିବା ଉଚିତ, କିନ୍ତୁ ସେମାନଙ୍କୁ ଦୁଇ ବର୍ଷ ପରେ ଆସିବାକୁ କୁହାଯାଇଛି। ତେବେ ଏହାକୁ ନେଇ ଏମ୍ସ ମିଡିଆ ବିଭାଗର ମୁଖ୍ୟ ପ୍ରଫେସର ରେମା ଦାଦା କହିଛନ୍ତି ଯେ ଏମ୍ସରେ ଦିନକୁ ୨୪ ଘଣ୍ଟା ଏମଆରଆଇ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। । ଏହା ପରେ, ବି ବହୁ ସଂଖ୍ୟକ ରୋଗୀ ଏମ୍ସକୁ ଆସୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି |

ସମ୍ବନ୍ଧିତ ଖବର