ଏହି ଗାଁରେ ମାଙ୍କଡଙ୍କ ନାମରେ ଅଛି ୩୨ ଏକର ଜମି

ମୁମ୍ବାଇ: ଆଜିର ଯୁଗରେ, ଯେତେବେଳେ ଇଞ୍ଚେ ଜମି ପାଇଁ ବି ବିବାଦ ହେଉଛି | କେଉଁଠି ଜମି ପାଇଁ ଭାଇ ଭାଇ ମଧ୍ୟରେ ବିବାଦ ଦେଖାଯାଉଛି ତ ପୁଣି କେବେ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଛି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବାବଦରେ କହିବୁ ଯେଉଁଠାରେ କୌଣସି ମଣିଷଙ୍କ ନାମରେ ନୁହେଁ ବରଂ ମାଙ୍କଡଙ୍କ ନାମରେ ପ୍ରାୟ ଏକର ଏକର ଜମି ରହିଛି | ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ୩୨ ଏକର ଜମି ମାଙ୍କଡଙ୍କ ନାମରେ ନାମିତ ହୋଇଛି | ଏହି ଗାଁରେ ମାଙ୍କଡମାନଙ୍କୁ ଏତେ ସମ୍ମାନ ଦିଆଯାଇଥାଏ ଯେ, ଗାଁରେ କୌଣସି ବିବାହ ସମୟରେ ଲୋକଙ୍କ ଆଗରୁ ମାଙ୍କଡମାନଙ୍କୁ ଖାଦ୍ୟ ଦିଆଯାଏ | ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାରେ ଥିବା ଏହି ଗାଁର ନାମ ଉପଲା |

ଏଠାକାର ଲୋକମାନେ ମାଙ୍କଡମାନଙ୍କୁ ବିଶେଷ ସମ୍ମାନ ଦିଅନ୍ତି | ଉପଲା ଗ୍ରାମ ପଞ୍ଚାୟତର ଜମି ରେକର୍ଡ ଅନୁଯାୟୀ, ୩୨ ଏକର ଜମି ଗାଁରେ ରହୁଥିବା ସମସ୍ତ ମାଙ୍କଡଙ୍କ ନାମରେ ଅଛି। ଗ୍ରାମର ସରପଞ୍ଚ ବାପ୍ପା ପାଦୱାଲ କହିଛନ୍ତି, ଏହି ଦଲିଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଏହି ଜମିର ମାଲିକ ମାଙ୍କଡମାନେ ହୋଇଥିବାବେଳେ କେବେଠାରୁ ଏହି ବ୍ୟବସ୍ଥା କରାଯାଇଛି ତାହା ଜଣାପଡିନାହିଁ | ପାଦୱାଲ କହିଛନ୍ତି ଯେ ବର୍ତ୍ତମାନ ଗାଁରେ ପ୍ରାୟ ୧୦୦ଟି ମାଙ୍କଡ ଅଛନ୍ତି ଏବଂ ଗତ କିଛି ବର୍ଷ ହେଲା ମାଙ୍କଡଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି | ଏହାର କାରଣ ବାବଦରେ ସେ କହିଛନ୍ତି ଯେ ଜଙ୍ଗଲ କମୁଥିବାରୁ ମାଙ୍କଡଙ୍କ ସଂଖ୍ୟା କମିଯାଉଛି | ତେବେ ବର୍ତ୍ତମାନ ମାଙ୍କଡଙ୍କ ନାମରେ ଥିବା ଜମିରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି |

ସମ୍ବନ୍ଧିତ ଖବର