ସୁପ୍ରିମ୍‌ କୋର୍ଟରେ ୪ ନୂଆ ବିଚାରପତି

ନୂଆଦିଲ୍ଲୀ: ହାଇକୋର୍ଟର ୪ ଜଣ ମୁଖ୍ୟ ବିଚାରପତି ‌ପଦୋନ୍ନତି ପାଇ ଆଜି ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଜଷ୍ଟିସ ‌ହେମନ୍ତ ଗୁପ୍ତା, ଜଷ୍ଟିସ ଅଜୟ ରସ୍ତୋଗି, ଜଷ୍ଟିସ ଏମ୍‌ ଆର ଶାହ ଏବଂ ଆର ସୁଭାଷ ରେଡ୍ଡି । ଆଜି ପ୍ରଧାନ ବିଚାରପତି ରଂଜନ ଗୋଗଇ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉପରୋକ୍ତ ୪ ବିଚାରପତି ଶପଥ ନେବା‌ପରେ ଆଜି ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୪ରୁ ୨୮ କୁ ବୃଦ୍ଧି ପାଇଛି। ୪ ହାଇକୋର୍ଟ ବିଚାରପତିଙ୍କ ନାମ ଗତ ମଙ୍ଗଳବାର ଦିନ ସରକାରଙ୍କୁ ସୁପାରିସ କରାଯାଇଥିଲା। ସୁପାରିସ ହେବାର ୪୮ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ। ଜଷ୍ଟିସ୍‌ ହେମନ୍ତ ଗୁପ୍ତାଙ୍କର ସୁପ୍ରିମକୋର୍ଟକୁ ନିଯୁକ୍ତି ହେବା ପୂର୍ବରୁ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଜଷ୍ଟିସ ଆର ସୁଭାଷ ରେଡ୍ଡି ଗୁଜରାଟ ହାଇ‌କୋର୍ଟର ମୁଖ୍ୟ ବିଚାରପତି ଥିଲେ। ୧୯୮୦ ମସିହା‌‌ରେ ସେ ଆ‌ଇନ ବୃତ୍ତିରେ ପ୍ରବେଶ କରିଥିଲେ । ୨୦୦୪ ମସିହାରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଏବଂ ପରେ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ। ଜଷ୍ଟିସ ଏମ୍‌ଆର ଶାହ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେବା ପୂର୍ବରୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ନିକଟରେ ସେ ଗୁଜରାଟ ହାଇକୋର୍ଟରୁ ପାଟନା ହାଇକୋର୍ଟକୁ ବଦଳି ହୋଇଥିଲେ। ଜଷ୍ଟିସ ଅଜୟ ରସ୍ତୋଗି ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ।

ସମ୍ବନ୍ଧିତ ଖବର