ଇନ୍ଦୋରରୁ ଗିରଫ ହେଲେ ରାହୁଲ୍‌ ଗାନ୍ଧୀଙ୍କୁ ହତ୍ୟା ଧମକ ପଠାଇଥିବା ୬୦ ବ‌ର୍ଷିୟ ବ୍ୟକ୍ତି

ଇନ୍ଦୋର: ହତ୍ୟା ଧମକ ଦେଇ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ନିକଟକୁ ଚିଠି ପଠାଇଥିବା ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ଗୁରୁବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ଗତବର୍ଷ ‘ଭାରତ ଯୋଡ଼ୋ ଯାତ୍ରା’ ମଧ୍ୟପ୍ରଦେଶରେ ପ୍ରବେଶ କରିବା ପୂର୍ବରୁ ସେ ରାହୁଲ୍‌ ଗାନ୍ଧୀଙ୍କ ନିକଟକୁ ହତ୍ୟା ଧମକ ଚିଠି ପଠାଇଥିଲେ। ମଧ୍ୟପ୍ରଦେଶର ଇନ୍ଦୋରରେ ଯାତ୍ରା ପ୍ରବେଶ କରିବାକ୍ଷଣି ରାହୁଲ୍‌ ଗାନ୍ଧୀଙ୍କ ଉପରେ ବୋମା ପଡ଼ିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ଥିଲା। ଇନ୍ଦୋରର ଗୋଟାଏ ମିଠା ଦୋକାନ ବାହାରେ ଉକ୍ତ ଚିଠିଟି ମିଳିଥିଲା।

Image Courtesy of India Today

ପତ୍ରର ପ୍ରେରକ ଦୟାସିଂହ ଓରଫ୍‌ ଐଶିଲାଲ୍‌ ଝାମ୍ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଏଥିରେ କଂଗ୍ରେସ ନେତା କମଲ ନାଥଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା।

Image Courtesy of Outlook India

ଗତକାଲି ଅଭିଯୁକ୍ତ ଦୟାସିଂହ ଟ୍ରେନ୍‌ ଚଢ଼ି ଖସି ପଳାଇ ଯିବାକୁ ଉଦ୍ୟମ କରୁଛନ୍ତି ବୋଲି ଷ୍ଟେସନ୍‌ରୁ ସୂଚନା ପାଇବା ପରେ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଆକ୍ଟ’ରେ ଗିରଫ କରିଛି।

ଡେପୁଟି ପୁଲିସ କମିସନର୍‌ (ଅପରାଧ ଶାଖା) ନିମିଷ ଅଗ୍ରୱାଲ୍‌ କହିଛନ୍ତି, ଝାମ୍‌ଙ୍କୁ ଜେଲ୍‌ରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ଆଦେଶ ଜାରି କରିଛି। ରାହୁଲ୍‌ ଗାନ୍ଧୀଙ୍କ ନିକଟକୁ ଅଭିଯୁକ୍ତ କାହିଁକି ଚିଠି ପଠାଇଲେ ତାହା ଜଣାପଡ଼ିନାହିଁ।

ସମ୍ଭବତଃ ୧୯୮୪ ଶିଖ୍‌ ଦଙ୍ଗା ବିରୋଧୀ ଘଟଣା ସହିତ ଏହା ଜଡ଼ିତ ଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେଣୁ, ଘଟଣାର ତଦନ୍ତ ଚାଲିଛି।

ଉଲ୍ଲେଖଯୋଗ୍ୟ, ୨୦୨୨ ନଭେମ୍ବରରେ ଚିଠିଟି ମିଳିବା ସଙ୍ଗେ ସଙ୍ଗେ ‘ଆଇପିସି’ ଧାରା ୫୦୭ ଅନୁଯାୟୀ ଚିଠି ଲେଖଥିବା  ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର