ସମ୍ବିଧାନ ବିରୋଧୀ: କେଜ୍ରିୱାଲ୍‌ଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ସମାଲୋଚନା କଲେ ନୀତୀଶ କୁମାର

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଭେଟିବା ପରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ସମ୍ବିଧାନ ବିରୋଧୀ କହି ସମାଲୋଚନା କରିଛନ୍ତି।

ଶାସକ ‘ବିଜେପି’ ବିରୋଧରେ ବୃହତ୍ତର ବିରୋଧୀ ଏକତା ବିଷୟରେ ଆଲୋଚନା କରିବା ଲାଗି ଆଜି ସକାଳେ ନୀତୀଶ କେଜ୍ରିୱାଲ୍‌ଙ୍କ ବାସଭବନରେ ପହଞ୍ଚିଥିଲେ। ଏଥିପାଇଁ ପୂର୍ବରୁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଥିଲା।

ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ କେଜ୍ରିୱାଲ୍‌ କହିଲେ, ଦିଲ୍ଲୀ ସରକାରଙ୍କ ସପକ୍ଷରେ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟକୁ ଅସିଦ୍ଧ କରିବା ପାଇଁ କେନ୍ଦ୍ର ସରକାର ଆଗତ କରୁଥିବା ଅଧ୍ୟାଦେଶ ପ୍ରସଙ୍ଗରେ ନୀତୀଶଜୀ ଦିଲ୍ଲୀବାସୀଙ୍କୁ ସମର୍ଥନ କରନ୍ତି ବୋଲି ଆଜି ବୈଠକରେ ଆଲୋଚନା କରୁଥିବା ବେଳେ କହିଛନ୍ତି। ଯଦି କେନ୍ଦ୍ର ସରକାର ଚିଠା ବା ‘ବିଲ୍‌’ ଭାବେ ଏହି ଅଧ୍ୟାଦେଶ ଆଗତ କରନ୍ତି ଏବଂ ଯଦି ସମସ୍ତ ‘ଅଣ-ବିଜେପି’ ଦଳ ଏକଜୁଟ ହୁଅନ୍ତି ତେବେ ଉକ୍ତ ଚିଠାକୁ ରାଜ୍ୟସଭାରେ ନାକଚ କରିହେବ। ଯଦି ଏମିତି ହୁଏ, ତେବେ ୨୦୨୪ରେ ‘ବିଜେପି’ ସରକାର ରହିବ ନାହିଁ ବୋଲି ସୂଚନା ଜାରି କରାଯାଇପାରିବ।

Image Courtesy of The Indian Express

ଆଜି ନୀତୀଶଙ୍କ ସହିତ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ‘ଜେଡିୟୁ’ ନେତା ମ‌ନୋଜ ଝା, ଲାଲନ୍‌ ସିଂହ ଓ ସଞ୍ଜୟ ଝା ମଧ୍ୟ ଆସିଥିଲେ। ଦିଲ୍ଲୀସ୍ଥିତ ଫ୍ଲାଗ୍‌ ଷ୍ଟାଫ୍‌ ରୋଡ୍‌‌ରେ ଅବସ୍ଥିତ କେଜ୍ରିୱାଲ୍‌ଙ୍କ ବାସଭବନରେ ପୂର୍ବାହ୍ନ ୧୧.୩୦ରେ ଏହି ବୈଠକ ଆରମ୍ଭ ହୋଇଥିଲା।

ଗଣମାଧ୍ୟମକୁ ନୀତୀଶ ମଧ୍ୟ କହିଛନ୍ତି, ନିର୍ବାଚିତ ସରକାରକୁ ମିଳିଥିବା କ୍ଷମତା ଛଡ଼ାଇ ନିଆଯାଇ ପାରିବ ନାହିଁ। ନିର୍ବାଚିତ ସରକାରକୁ ମିଳିଥିବା କ୍ଷମତା କିପରି ଛଡ଼ାଇ ନିଆଯାଇ ପାରିବ? ଏହା ସମ୍ବିଧାନ ବିରୋଧୀ। ଆମେ କେଜ୍ରିୱାଲ୍‌ଙ୍କୁ ସମର୍ଥନ କରୁଛୁ। ଆମେ ଦେଶର ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବା ଲାଗି ଉଦ୍ୟମ କରୁଛୁ।

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିଷୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ରାଜ୍ୟସଭାରେ ବିରୋଧୀମାନଙ୍କ ସହଯୋଗ ପାଇଁ ନିବେଦନ କରିବ‌େ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଜାରି କରିବେ।

ସମ୍ବନ୍ଧିତ ଖବର