କୋଟାରେ ପୁଣି ଜଣେ ନିଟ୍‌ ଆଶାୟୀଙ୍କ ଆତ୍ମହତ୍ୟା

କୋଟା: ରାଜସ୍ଥାନର କୋଟାରେ ପୁଣିଜଣେ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଏହା ଚଳିତ ବର୍ଷର ୨୫ତମ ମାମଲା। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବୟସ ୧୬ ଏବଂ ସେ ଝାଡ଼ଖଣ୍ଡର ରାଞ୍ଚିରୁ ଆସି ଏଠାରେ କୋଚିଂ ନେଉଥିଲେ। ଅତ୍ୟଧିକ ପାଠ ଚାପରେ ସେ ଆତ୍ମହତ୍ୟା କରିଦେଇଛନ୍ତି ବୋଲି କୁହାଯାଉଛି। ପ୍ରତିବର୍ଷ କୋଟାକୁ ପାଖାପାଖି ୨ ଲକ୍ଷ ପିଲା ନିଟ୍‌ କିମ୍ବା ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆଶା ନେଇ ଆସୁଛନ୍ତି। କିନ୍ତୁ ଗତ କିଛି ବର୍ଷ ଧରି କୋଟାରେ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଚଳିତ ବର୍ଷ ୮ ମାସ ମଧ୍ୟରେ କୋଟାରେ ୨୫ ଛାତ୍ର ଆତ୍ମହତ୍ୟା କରିଛନ୍ତି। ରାଜସ୍ଥାନ ପୁଲିସ ତଥ୍ୟ ଅନୁଯାୟୀ ୨୦୨୨ରେ ଏହି ସଂଖ୍ୟା ୧୫ ଏବଂ ୨୦୧୯ରେ ୧୮ ଥିଲା।

ସେହିପରି ୨୦୧୮ରେ ୨୦, ୨୦୧୭ରେ ୭, ୨୦୧୬ରେ ୧୭ ଏବଂ ୨୦୧୫ରେ ୧୮ ଜଣ ଛାତ୍ର କୋଟାରେ ଆତ୍ମହତ୍ୟା କରିଥିଲେ। ୨୦୨୦ ଏବଂ ୨୦୨୧ରେ କରୋନା ମହାମାରୀ ପାଇଁ କୋଟାରେ ସମସ୍ତ କୋଚିଂ ଇନଷ୍ଟିଚ୍ୟୁଟ୍‌ ବନ୍ଦ ଥିବାରୁ କୌଣସି ଛାତ୍ର ଆତ୍ମହତ୍ୟା କରିନାହାନ୍ତି। ତେବେ କୋଟାରେ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବାରୁ ସମସ୍ତ ହଷ୍ଟେଲ ରୁମ୍‌ରେ ସ୍ପ୍ରିଙ୍ଗ୍‌ ଫ୍ୟାନ୍‌ ଲଗାଇବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରମାନଙ୍କୁ ମାନସିକ ସହାୟତା ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନିକଟରେ ଛାତ୍ରମାନଙ୍କ ମାନସିକ ସ୍ବାସ୍ଥ୍ୟ ନେଇ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ଆଉ ଏକ ଆତ୍ମହତ୍ୟା ମାମଲା ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର