ଟ୍ରକ ସହିତ ଧକ୍କା ହେଲା କାର: ଆଖିପିଛୁଳାକେ ଚାଲିଗଲା ୭ଜଣଙ୍କ ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ସିକର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ସାତଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, କାରରେ ଥିବା ଯାତ୍ରୀମାନେ ଉତ୍ତରପ୍ରଦେଶର ମେରୁଟର ବାସିନ୍ଦା ଥିବା ବେଳେ ସେମାନେ ରାଜସ୍ଥାନର ସାଲାସର ବାଲାଜୀ ମନ୍ଦିରରୁ ହିସାର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଦେଖୁଦେଖୁ କାରରେ ନିଆଁ ଲାଗି ଯାଇଥିଲା।

ତେବେ କାର ଭିତରେ ଥିବା ଯାତ୍ରୀମାନଙ୍କୁ ବାହାରକୁ ବାହାରିବା ପାଇଁ ସୁଯୋଗ ମିଳି ନଥିଲା। ଫଳରେ କାର ଭିତରେ ହିଁ ଶିଶୁ ଓ ମହିଳାଙ୍କ ସମେତ ଗୋଟିଏ ପରିବାରର ୭ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୁଲିସ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ  ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ମୃତକଙ୍କ ମଧ୍ୟରେ ମଞ୍ଜୁ ବିନ୍ଦଲ (୫୮), ହାର୍ଦ୍ଦିକ ବିନ୍ଦଲ (୩୭), ସ୍ୱାତୀ ବିନ୍ଦଲ (୩୨), ନୀଲମ ଗୋଏଲ (୫୫), ଅଶୁତୋଷ ଗୋଏଲ (୩୫) ଏବଂ ଦୁଇ ଜଣ ଶିଶୁ ଅଛନ୍ତି। ଗୋଟିଏ ପରିବାରର ୭ଜଣଙ୍କୁ ହରାଇ ମୃତକଙ୍କ ସମ୍ପର୍କୀୟମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, କାରକୁ ଧକ୍କା ‌ଦେଇଥିବା ଟ୍ରକରେ କପା ବୋଝେଇ ହୋଇ ଯାଉଥିଲା।  ଟ୍ରକଟି କାରକୁ ଧକ୍କା ଦେବା ପରେ କ‌ପାଗୁଡ଼ିକ କାର ଉପରେ ପଡି ଯାଇଥିଲା।କାରରେ ଏଲପିଜି କିଟ୍ ଥିବାରୁ ଆଖିପିଛୁଳାକେ ଏଥିରେ ନିଆଁ ଲାଗି ଜଳି ଯାଇଥିଲା।

 

ସମ୍ବନ୍ଧିତ ଖବର