ପୁରୀ ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀ ସମାରୋହରେ ‘ହିନ୍ଦୁ ରାଷ୍ଟ୍ର’ ପାଇଁ ଆହ୍ବାନ ଦେଲେ କଂଗ୍ରେସ ବିଧାୟିକା

ରାୟପୁର: ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଏକତ୍ର ହୋଇ ସମସ୍ତେ ଆଗେଇ ଆସନ୍ତୁ ବ‌ୋଲି ଛତିଶଗଡ଼ କଂଗ୍ରେସ ନେତ୍ରୀ ତଥା ବିଧାୟିକା ଅନୀତା ଶର୍ମା ଶୁକ୍ରବାର ଦିନ ରାୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।

ପୁରୀ ଶଙ୍କରାଚର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଜନ୍ମବାର୍ଷିକୀ ପାଳନ ଅବସରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ କଂଗ୍ରେସ ନେତ୍ରୀ ଜନସାଧାରଣଙ୍କୁ ଉପରୋକ୍ତ ଅନୁରୋଧ କରିଛନ୍ତି।

ଛତିଶଗଡ଼ର ଧରସିୱା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ଅନୀତା ଶର୍ମା କହିଛନ୍ତି, ଯେଉଁଠି ଥାଆନ୍ତୁ ନା କାହିଁକି, ଆମେ ସମସ୍ତେ ହିନ୍ଦୁ ରାଷ୍ଟ୍ର ଗଠନ କରିବା ନିମନ୍ତେ ଶପଥ ନେବା ଆବଶ୍ୟକ। ଆମେ ହିନ୍ଦୁମାନଙ୍କ ସପକ୍ଷରେ କହିବା ଉଚିତ। ହିନ୍ଦୁମାନେ ଏକତ୍ର ହେଲେ ଯାଇ ତାହା ସମ୍ଭବ ହେବ।

Image Courtesy of Vartha Bharati

ବିଧାୟିକାଙ୍କର ଉପରୋକ୍ତ ବିବୃତି ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ କହିଛି ଯେ, ଏହା ହେଉଛି ତାଙ୍କର ବ୍ୟକ୍ତିଗତ ମତ। ଛତିଶଗଡ଼ କଂଗ୍ରେସ ମୁଖପାତ୍ର ସୁଶୀଳ ଆନନ୍ଦ ଶୁକ୍ଳା କହିଛନ୍ତି, ଅନୀତା ତାଙ୍କ ନିଜସ୍ବ ମତ ବ୍ୟକ୍ତ କରିଛନ୍ତି। କଂଗ୍ରେସ ପାର୍ଟି ସମ୍ବିଧାନକୁ ଅନୁସରଣ କରେ। ଆମ୍ବେଦକର, ନେହେରୁ, ଓ ରାଜେନ୍ଦ୍ର ପ୍ରସାଦଙ୍କଦ୍ବାରା ପ୍ରସ୍ତୁତ ସମ୍ବିଧାନରେ ଉଲ୍ଲେଖ ଥିବା ଧର୍ମନିରପେକ୍ଷତାକୁ କଂ‌ଗ୍ରେସ ସମର୍ଥନ କରେ। ଦଳରେ ବିବିଧତା ଥିବାରୁ ପ୍ରତ୍ୟେକ ନିଜ ନିଜର ମତ ବ୍ୟକ୍ତ କରିପାରିବେ।

କିନ୍ତୁ, ପରେ ପରେ ନିଜେ ବିଧାୟିକା ସ୍ପଷ୍ଟୀକରଣ ଦେଇ କହିଲେ ଯେ, ବିରୋଧୀମାନେ ତାଙ୍କ ବିବୃତିର ଭୁଲ୍‌ ଅବତାରଣା କରୁଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ବିଭିନ୍ନ ଧର୍ମର ଲୋକେ ଏ ଦେଶରେ ସହାବସ୍ଥାନ କରୁଛନ୍ତି ଏବଂ ଆମେ କାହାରିକୁ ଛାଡ଼ିବାକୁ ଚାହୁଁନି। ‘ବିଜେପି’ର କେତେକ ଲୋକ ସମାଜରେ ବିଭେଦ ସୃଷ୍ଟି କରିବାକୁ ମାତିଥିବାରୁ ଜନତାଙ୍କୁ ଏକଜୁଟ କରିବା ଲାଗି ଆ‌ମ ନେତା (ରାହୁଲ୍‌ ଗାନ୍ଧୀ) ‘ଭାରତ ଯୋଡ଼ୋ ଯାତ୍ରା’ରେ ବାହାରି ଥିଲେ।

ସମ୍ବନ୍ଧିତ ଖବର