ବୁଷ୍ଟର ଡୋଜ୍ ନାମରେ ସାଇବର ଠକେଇ: ମୁମ୍ବାଇ-ହାଇଦ୍ରାବାଦ ପୁଲିସର ଚେତାବନୀ

ମୁମ୍ବାଇ: କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ନାମରେ ବିଶେଷତଃ ବରିଷ୍ଠ ନାଗରିକମାନଙ୍କୁ ଠକିବା ପାଇଁ ଦଳେ ସାଇବର ଠକ ବାହାରିଥିବା ନେଇ ମୁମ୍ବାଇ ଓ ହାଇଦ୍ରାବାଦ ପୁଲିସ ଚେତାବନୀ ଦେଇଛି। ଲୋକମାନେ ସତର୍କ ରହିବା ଓ ଠକଙ୍କ ହାବୁଡ଼ରେ ନ ପଡ଼ିବା ପାଇଁ ପୁଲିସ ପରାମର୍ଶ ଦେଇଛି। ଏହି ନୂଆ ଠକେଇ ପଦ୍ଧତି ଅତି ସରଳ। ଠକ ନିଜକୁ ସରକାରୀ କର୍ମଚାରୀ ବୋଲି ପରିଚୟ ଦେଇ ବରିଷ୍ଠ ନାଗରିକଙ୍କୁ ଫୋନ୍ କରିଥାଏ। ସେମାନେ ଦୁଇଟି ଡୋଜ୍ ଟିକା ନେଇଛନ୍ତି କି ନା ପଚାରିଥାଏ। ବେଳେବେଳେ ସେ ଏକଥା ନ ପଚାରି ସିଧାସଳଖ କହିଥାଏ ‘ଆପଣ ଦୁଇଟି ଟିକା ନେଇସାରିଛନ୍ତି ଏବଂ ଏବେ ବୁଷ୍ଟର ନେବା ପାଇଁ ଯୋଗ୍ୟ ଅଟନ୍ତି’।

ଫୋନ୍ କରୁଥିବା ବ୍ୟକ୍ତି ବେଳେବେଳେ ବରିଷ୍ଠ ନାଗରିକଙ୍କ ବୟସ, ଜନ୍ମତାରିଖ, ଠିକଣା ଓ ଆଧାର ନମ୍ବର ଇତ୍ୟାଦି ଠିକ୍ ଠିକ୍ କହି ବିଶ୍ବାସ ଜନ୍ମାଇଥାଏ। ବରିଷ୍ଠ ନାଗରିକ ବୁଷ୍ଟର ନେବାକୁ ରାଜି ହେଲା ପରେ ଟିକା ନେବାର ତାରିଖ ଓ କେନ୍ଦ୍ର ମଧ୍ୟ ଜଣାଇ ଅଧିକ ବିଶ୍ବାସ ଜନ୍ମାଇଥାଏ। ଏହାପରେ ଠକ ବୁଷ୍ଟର ନେବା ପାଇଁ ନାମ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି କହିଥାଏ। ଅଧଘଣ୍ଟା ପରେ ଗୋଟିଏ ଓଟିପି ଆସେ। ଓଟିପି ଦେଲେ ନାମ ପଞ୍ଜୀକରଣ ହେବ ବୋଲି ଠକ କହିଥାଏ। ବରିଷ୍ଠ ନାଗରିକ ଜଣକ ଓଟିପି ଦେବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଏ। ବୁଷ୍ଟର ପ୍ରଦାନ ପ୍ରକ୍ରିୟା ଜାନୁଆରି ୨ରୁ ଆରମ୍ଭ ହେବାକୁ ଥିବାବେଳେ ଲୋକମାନେ ଠକଙ୍କ କବଳରେ ନ ପଡ଼ିବା ପାଇଁ ପୁଲିସ ସତର୍କ କରାଇଦେଇଛି।

ସମ୍ବନ୍ଧିତ ଖବର